ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିଷ୍ଠା ଦିବସ: ସମୁଦ୍ର ଓ ନଦୀ ଜଳର ଗୁଣାତ୍ମକ ମାନ ଯାଞ୍ଚ ହେଉଛି

ଭୁବନେଶ୍ୱର: ମାନବ ସମାଜର ସ୍ୱାସ୍ଥ୍ୟ ରକ୍ଷା ଓ ସାମଗ୍ରିକ ବିକାଶ ପାଇଁ ସମଗ୍ର ବିଶ୍ୱରେ ପ୍ରଦୂଷଣ ନିୟନ୍ତ୍ରଣ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ଏଥିପାଇଁ ପ୍ରତିକାର ଓ ହ୍ରାସ ସମ୍ବନ୍ଧୀୟ ବ୍ୟବସ୍ଥା ହେଉଛି ପ୍ରମୁଖ ଅସ୍ତ୍ର। ତାହାକୁ ନଜରରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅଧିକ କ୍ଷମତାପନ୍ନ ଓ କ୍ରିୟାଶୀଳ କରାଯାଇଥିବା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୮ତମ ପ୍ରତିଷ୍ଠା ଦିବସ ଉତ୍ସବରେ ମନ୍ତ୍ରୀ ଶ୍ରୀ ଆରୁଖ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଜଳ, ବାୟୁ ଓ ପରିବେଶଜନିତ ପ୍ରଦୂଷଣକୁ ହ୍ରାସ କରାଇବା ଦିଗରେ ବୋର୍ଡ କାର୍ଯ୍ୟ ଜାରି ରଖିଛି। ବର୍ଜ୍ୟ ପରିଚାଳନା ସହ ବିଭିନ୍ନ ଶିଳ୍ପାଞ୍ଚଳ ଓ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳରେ ବାୟୁ ପ୍ରଦୂଷଣର ପ୍ରତିକାର ପାଇଁ କାର୍ଯ୍ୟ କରାଯାଉଛି। ପାରାଦୀପଠାରୁ ଧାମରା ପର୍ଯ୍ୟନ୍ତ ସମୁଦ୍ର ଜଳ, କେତେକ ପ୍ରମୁଖ ନଦୀ ଜଳର ଗୁଣାତ୍ମକ ମାନକୁ ଯାଞ୍ଚ ହେଉଛି। ମହାନଦୀର ଉଭୟ ପାର୍ଶ୍ବର ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ସବୁଜ ମହାନଦୀ ମିସନ କାର୍ଯ୍ୟକାରୀ ହେଉଛି। ବୋର୍ଡକୁ ଅଧିକ କ୍ରିୟାଶୀଳ କରିବା ପାଇଁ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ସେମାନଙ୍କ ଦ୍ୱାରା ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଜଳ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣରୁ କାର୍ଯ୍ୟ ଆରମ୍ଭ କରିଥିବା ବୋର୍ଡ ଇତିମଧ୍ୟରେ ନିଜର କାର୍ଯ୍ୟ ପରିସରକୁ ପରିବ୍ୟାପ୍ତ କରିଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନା, ମେଡିକାଲ ବର୍ଜ୍ୟ ପରିଚାଳନା, ଜଳ ଓ ବାୟୁ ପ୍ରଦୂଷଣ ବିଷୟରେ ବାସ୍ତବ ତଥ୍ୟ ସଂଗ୍ରହ, ଜନସାଧାରଣଙ୍କୁ ପ୍ରଦୂଷଣ ସମ୍ବନ୍ଧିତ ବାସ୍ତବ ସୂଚନା ପ୍ରଦାନ ଆଦି କ୍ଷେତ୍ରରେ ବୋର୍ଡ ନିଜର ଦକ୍ଷତା ପ୍ରମାଣ କରିଛି। ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଯୋଗଦେଇ କହିଲେ ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବକୁ ଯଥାସମ୍ଭବ କମ୍‌ କରିବା ଦିଗରେ ବୋର୍ଡର ନିଷ୍ଠାପର ଉଦ୍ୟମ ରହିଛି। ପୁରୀ ବେଳାଭୂମିକୁ ପରିଷ୍କାର-ପରିଚ୍ଛନ୍ନ କରି ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ ପରିଣତ କରିବା ବୋର୍ଡ ପାଇଁ ଏକ ଗୌରବର ବିଷୟ। ଆଗାମୀ ଦିନରେ ବୋର୍ଡର କାର୍ଯ୍ୟ ପରିସର ଅଧିକ ବ୍ୟାପକ ହେବ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୋର୍ଡର ସଦସ୍ୟ ସଚିବ କେ. ମୁରୁଗାସନ୍‌ ବୋର୍ଡର କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିବା ବେଳେ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ବୋର୍ଡର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ପରିବେଶ ଇଞ୍ଜିନିୟର ଏନ୍‌ ଆର୍‌ ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ବୋର୍ଡର ଅତିରିକ୍ତ ପ୍ରଶାସନିକ ଅଧିକାରୀ ଦେବଦତ୍ତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ପରିବେଶ ସମାଚାର ନିୟୁଜ ଲେଟର ସହ ଅନ୍ୟାନ୍ୟ ପ୍ରକାଶନର ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧିତ ଖବର