ଅନୁଭବର କାହାଣୀ ସବୁବେଳେ ଲୋକାଦୃତ

ନାରାୟଣ ସାହୁଙ୍କ ସ୍ମୃତିକଥା ‘ଅମଡ଼ା ପଥର ଯାତ୍ରୀ’ ଲୋକାର୍ପିତ

ଭୁବନେଶ୍ବର: ସ୍ମୃତିକଥା ଲେଖିବା ବେଳେ ଲେଖକକୁ ନିଜ ଜୀବନର ଘଟଣାବଳୀକୁ ପରସ୍ତ ପରସ୍ତ କରି ଉନ୍ମୋଚିତ କରିବାକୁ ହୁଏ। ଅନେକ ବ୍ୟକ୍ତି ନିଜକୁ ଭଲ ଓ ବିବାଦରୁ ଦୂରେଇ ରଖିବା ପାଇଁ କିଛି କଥାକୁ ଲୁଚାଇ ଦିଅନ୍ତି। ପୁସ୍ତକରେ ସ୍ବଚ୍ଛ ଓ ନିର୍ବିବାଦୀୟ ଘଟଣାକୁ ସ୍ଥାନ ଦିଅନ୍ତି। କିନ୍ତୁ ସେ ଦୃଷ୍ଟିରୁ ନାରାୟଣ ସାହୁ ବ୍ୟତିକ୍ରମ। ନିଜ ଜୀବନରେ ଘଟିଥିବା କିଛି ଘଟଣାକୁ ସେ ଏପରି ମାପିଚୁପି ଲେଖିଛନ୍ତି ଯେ ତାହା ଭିତରେ ଥିବା ସତ୍ୟତା ସ୍ପଷ୍ଟ ବାରି ହୋଇପଡ଼ୁଛି। ତାଙ୍କର ଏହି ଲେଖା ପାଠକାଦୃତ ହେବ ବୋଲି ଆଶା କରୁଛି। ଉତ୍କଳ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ପ୍ରେକ୍ଷାଳୟ‌ରେ ଅନୁଷ୍ଠିତ ଅଧ୍ୟାପକ ନାରାୟଣ ସାହୁଙ୍କ ସ୍ମୃତିକଥା ‘ଅମଡ଼ା ପଥର ଯାତ୍ରୀ’ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ବରିଷ୍ଠ ଲେଖକ ଅଧ୍ୟାପକ ବିଶ୍ବରଞ୍ଜନ। ସେ ଆହୁରି କହିଥିଲେ ଯେ ସାହିତ୍ୟ‌ର ବିଶେଷ କଥା ହେଉଛି, ଲେଖିବା ବେଳେ ଅନୁଭବର କଥା କହିବା ଓ ଲେଖିବା। ତେଣୁ ବର୍ତ୍ତମାନ ଆତ୍ମଜୀବନୀ ଓ ଭ୍ରମଣ କାହାଣୀ ଲୋକାଦୃତ ହୋଇପାରୁଛି।

ପେନ୍‌-ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ବିଶିଷ୍ଟ କଥାକାର ଗୌରହରି ଦାସ ଗଳ୍ପ ମାଧ୍ୟମରେ ଏକ ସୁନ୍ଦର ଉଦାହରଣ ଦେଇ କହିଲେ, ସୀମାବଦ୍ଧତାରୁ ସୀମାଲୀନତାକୁ ଯାତ୍ରାର ଅବକାଶ ହେଉଛି ମଣିଷର ଜୀବନ। ସବୁ ମଣିଷ ଗୋଟିଏ ଗୋଟିଏ ଗଳ୍ପ। ମୃତ୍ୟୁ ପରେ ଗଳ୍ପରେ ପରିଣତ ହେବା ହିଁ ମଣିଷର ଭାଗ୍ୟ। ଲୋକଟିଏ ଚାଲିଯିବା ପରେ ତା’ ଉପରେ ବେଶି ଚର୍ଚ୍ଚା, ଆଲୋଚନା ହୁଏ। ପୁସ୍ତକର ରଚୟିତା ପ୍ରଫେସର୍‌ ସାହୁଙ୍କ ପ୍ରଶଂସା କରି ସେ କହିଲେ ଯେ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସେ ଆଜି ସଫଳ ହୋଇପାରିଛନ୍ତି। ସମ୍ମାନିତ ଅତିଥି ଲେଖିକା ସଂଘମିତ୍ରା ମିଶ୍ର କହିଲେ, ଶ୍ରୀ ସାହୁ ନିଜ ଜୀବନରେ ଘଟିଥିବା ବହୁ ଦୁଃଖ ଓ କଷ୍ଟର ସମୟକୁ ବ୍ୟଙ୍ଗାତ୍ମକ ଢଙ୍ଗ‌‌‌ରେ ଏହି ପୁସ୍ତକରେ ପ୍ରକାଶ କରିଛନ୍ତି। ଏହା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରୁଛି। ପ୍ରାକ୍ତନ ଅଧ୍ୟାପକ ରଞ୍ଜିତ ପରିଡ଼ା ପୁସ୍ତକର ସମୀକ୍ଷା କରିଥିଲେ। ଲେଖକ ପ୍ରଫେସର୍‌ ସାହୁ ନିଜ ପୁସ୍ତକ ସଂପର୍କରେ ସୂଚନା ଦେଇ କହିଲେ ଯେ ‘ଅମଡ଼ା ପଥର ଯାତ୍ରୀ’ ଏକ ଆତ୍ମଜୀବନୀ ନୁହେଁ। ମୋ ଜୀବନରେ ଘଟିଥିବା ବିଭିନ୍ନ ଘଟଣା ଭିତରୁ ମନେ ପଡ଼ିଥିବା କିଛି ଘଟଣା, ଦୁର୍ଘଟଣା ଓ ଅଘଟଣର ଏହା ଏକ ତିକ୍ତ ଓ ମଧୁର ଅନୁଭୂତି।

ଅସିତ ପ୍ରଧାନ ସ୍ବାଗତଭାଷଣ ଦେଇଥିବା ବେଳେ ଆଲୋକ ଷଡ଼ଙ୍ଗୀ ଅତିଥି ପରିଚୟ ଦେଇଥିଲେ। ସନ୍ଦୀପ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ସୂର୍ଯ୍ୟକାନ୍ତ ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର