ଚିଠା ଭୋଟର ତାଲିକାକୁ ନେଇ ଝଡ଼: ଲକ୍ଷେ ଭୋଟର ଉଭାନ୍‌

ସବୁଠି ଅସନ୍ତୋଷ, ମାଳମାଳ ଅଭିଯୋଗ, ସବୁ ଅଭିଯୋଗର ସମାଧାନ ହେବ: ଏଡିଏମ୍‌

ଭୁବନେଶ୍ୱର : ବିଏମ୍‌ସି ପ୍ରକାଶ କରିଥିବା ଚିଠା ଭୋଟର ତାଲିକାକୁ ନେଇ ଝଡ଼ ଉଠିଛି। ପୂର୍ବରୁ ଗୋଟିଏ ୱାର୍ଡର ଭୋଟର ଅନ୍ୟ ୱାର୍ଡରେ ସାମିଲ ହୋଇଛନ୍ତି। ଗୋଟିଏ କଲୋନିକୁ ଭାଗ ଭାଗ କରି ସୀମାକୁ ଲାଗିଥିବା ୱାର୍ଡରେ ଭୋଟରଙ୍କୁ ସାମିଲ କରିଛନ୍ତି। କେଉଁଠି ହଜାର ହଜାର ଭୋଟର ଗାଏବ୍‌ ହୋଇଯାଇଥିବା ବେଳେ କେଉଁଠି ହଜାର ହଜାର ଭୋଟର ମିଶି ଯାଇଛନ୍ତି। ଏଭଳି ବିଚିତ୍ର ସ୍ଥିତି ଭୁବନେଶ୍ବରେ ପ୍ରଥମ ଥର ପାଇଁ ହୋଇଥିବା ବେଳେ ଶାସକ ଦଳ କ୍ଷମତା ହାତେଇବା ପାଇଁ ଏଭଳି ବ୍ୟବସ୍ଥା କରିଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି। ତେଣୁ ସବୁଠି ପ୍ରବଳ ଅସନ୍ତୋଷ ସହ ମାଳମାଳ ଅଭିଯୋଗ ଗଦା ହେବା ଆରମ୍ଭ ହୋଇଛି। କୌତୁହଳପ୍ରଦ ହେଉଛି ସବୁ ୱାର୍ଡରୁ ମୋଟାମୋଟି ଲକ୍ଷାଧିକ‌ ଭୋଟର ଉଭାନ୍‌ ହୋଇଯାଇଛନ୍ତି। ଭୋଟରଙ୍କ ନାମ କଡ଼ରେ ‘ଡିଲିଟେଡ୍‌’ ଲେଖା ହୋଇଛି। ଏହାକୁ ନେଇ ଭୋଟରଙ୍କ ସମେତ କର୍ପୋରେଟରମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।

୧୦ରୁ ୧୧ ହଜାର ଭୋଟରଙ୍କୁ ନେଇ ୱାର୍ଡ ଗଠନ ହେବା ନିୟମ ରହିଛି। ଯେତେବେଳେ ସୀମା ନିର୍ଦ୍ଧାରଣ ହୁଏ ଏହି ଆଧାରରେ ୱାର୍ଡ ଗଠନ କରାଯାଏ। କିନ୍ତୁ ପ୍ରଥମ ଥର ପାଇଁ ୱାର୍ଡ ୱାର୍ଡ ଭିତରେ ଭୋଟରଙ୍କ ସଂଖ୍ୟାରେ ଆକାଶ ପାତାଳ ଫରକ ଦେଖାଦେଇଛି। ୱାର୍ଡ ନମ୍ବର ୮ରେ ସର୍ବାଧିକ ୨୬ ହଜାର ୨୯୮ ‌ଭୋଟର୍‌ ରହିଥିବା ବେଳେ ୩୩ ନମ୍ବର ୱାର୍ଡରେ ସର୍ବନିମ୍ନ ୧ହଜାର ୭୮୪ ଭୋଟର୍‌ ରହିଛନ୍ତି। ୱାର୍ଡ ନମ୍ବର ୮ରେ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନି, ଡମଣା ହାଟ, ଡିଏଭି ସ୍କୁଲ ଅଞ୍ଚଳ, ନୀଳାଦ୍ରି ବିହାର ସେକ୍ଟର୧ ଓ ୨, ପ୍ରାଚୀ ଏନ୍‌କ୍ଲେଭ୍‌, ଆଚାର୍ଯ୍ୟ ହରିହର କଲେଜ୍‌ ଓ ଡିଷ୍ଟ୍ରିକ୍ଟ ସେଣ୍ଟର ରହିଛି। ପୂର୍ବରୁ ଏହି ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିଲେ। ପରେ ବିଜେଡିରେ ଯୋଗ ଦେଇଥିଲେ। ସେତେବେଳେ ଏହା ମହିଳାବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା। ଏବେ ଏହି ୱାର୍ଡ ଅନୁସୂଚିତ ଜନଜାତିବର୍ଗଙ୍କ ପଇଁ ସଂରକ୍ଷିତ।

ସେହିଭଳି ୩୩ ନମ୍ବର ୱାର୍ଡରେ ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନି, ସତ୍ୟମ୍‌ ଭିଲ୍ଲା, ବସନ୍ତ ଭିଲ୍ଲା, ଜୟଦୁର୍ଗା ନଗର, ଗାୟତ୍ରୀ ନଗର, ଏକାମ୍ର ସିନେମା ହଲ୍‌, ଯାତ୍ରୀ ନିବାସ, ଫାଲକନ ମୋଟର୍ସ, ଓକିଲବାଗ୍‌, ହଳଦିପଡ଼ିଆ ବସ୍ତି, ଜେଲ୍‌ ଏରିଆ ଓ ଓପେଲ୍‌ଫେଡ୍‌ ଫାର୍ମ ରହିଛି। ଏତେ ସବୁ ଅଞ୍ଚଳକୁ ନେଇ ଗଠିତ ହୋଇଥିବା ଏହି ୱାର୍ଡରେ ସର୍ବନିମ୍ନ ୧ହଜାର ୭୮୪ ଭୋଟର୍‌ ରହିଛନ୍ତି। ପୂର୍ବରୁ ଏଠାରେ ୮ ହଜାର ଭୋଟର ରହିଥିଲେ। ହେଲେ ଏତେ ସଂଖ୍ୟାରେ ଭୋଟର କୁଆଡ଼େ ଗଲେ ସେ ନେଇ ପ୍ରଶ୍ନ ଉଠିଛି। ଏଠାରେ ବିଜେପି କର୍ପୋରେଟର ବିଜୟୀ ହୋଇଥିଲେ। ଷଡ଼୍‌ଯନ୍ତ୍ର କରି ବିଜେପି ଭୋଟରଙ୍କୁ ନେଇ ଅଲଗା ୱାର୍ଡରେ ଜାଣିଜାଣି ସାମିଲ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ପ୍ରତ୍ୟେକ ୱାର୍ଡରେ ଅଭିଯୋଗ ରହିଛି। ସ୍ଥିତି ଏଭଳି ଅଛି କି ଗୋଟିଏ ୱାର୍ଡର ଭୋଟରଙ୍କ ବୁଥ୍‌ ଅନ୍ୟ ୱାର୍ଡରେ ରହିଛି।

ସିପିଆଇ ସମ୍ପାଦକ ସୁର ଜେନା କହିଛନ୍ତି, ପ୍ରତ୍ୟେକ ୱାର୍ଡରେ ଏଭଳି ଅଭିଯୋଗ ରହିଛି। ଗୋଟିଏ ଦିନରେ ରାଜ୍ୟ ଓ ମହାନଗର ନିଗମର ସର୍ବଦଳୀୟ ବୈଠକ କଲେ। ଅଭିଯୋଗ କରିବା ପାଇଁ ମାତ୍ର ୪୮ ଘଣ୍ଟା ସମୟ ଦେଲେ। ୱାର୍ଡ ଅଫିସ୍‌ରେ ଗୋଟିଏ ତାଲିକା ଝୁଲାଇଲେ। ଗଦା ଗଦା ଲୋକ ଭୋଟର ଆଇ କାର୍ଡ ଧରି ଏପାଖ ସେପାଖ ହେଉଛନ୍ତି। ନିଜ ନିଜର ବୁଥ୍‌ ଖୋଜୁଛନ୍ତି। ସମସ୍ତ ୱାର୍ଡକୁ ନିଜ ଅକ୍ତିଆରକୁ ନେବାକୁ ଜାଣି ଜାଣି ସରକାରୀ ଦଳ ଏଭଳି କାରବାର କରିଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି କି ସମଗ୍ର ରାଜ୍ୟରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା ହୋଇଛି। ଭୋଟର୍‌ ତାଙ୍କ ନାମକୁ ଅନ୍‌ଲାଇନ୍‌ରେ ଖୋଜି ପାରିବେ। ବିଏମ୍‌ସିର ୱେବ୍‌ସାଇଟ୍‌ର ଡାହାଣ ପାର୍ଶ୍ବରେ ‘ଭୋଟର୍‌ ଲିଷ୍ଟ’କୁ ଯାଇ ନାମ, ଇପିଆଇସି ନମ୍ବର, ୱାର୍ଡ ନମ୍ବର ସହ ଅନ୍ୟାନ୍ୟ ବିବରଣୀ ଦାଖଲ କଲେ ତାଙ୍କର ସମସ୍ତ ବିବରଣୀ ପାଇପାରିବେ। ଏହା ଓଡ଼ିଆରେ ମଧ୍ୟ ଉପଲବ୍ଧ। ଏଣୁ ଏହାର ସୁଯୋଗ ନେଇ ଭୋଟରମାନେ ଅଭିଯୋଗ କରନ୍ତୁ। ତେବେ ଏଭଳି କାହିଁକି ହେଲା? ହଜାର ହଜାର ଭୋଟରଙ୍କୁ କାହିଁକି ଏପଟ ସେପଟ କରାଗଲା? ବିଏମ୍‌ସି ଉତ୍ତର ଦେଇନାହିଁ। ତେବେ ଜଣେ ଅଧିକାରୀଙ୍କ କହିବା କଥା କେତେକ ଅନଭିଜ୍ଞ ବିଏଲ୍‌ଓ ତଥ୍ୟ ସଂଗ୍ରହ ବେଳେ କରିଥିବା ତ୍ରୁଟି ଯୋଗୁ ଏହି ସମସ୍ୟା ଉପୁଜିଛି। କେତେକ କୋଭିଡ୍‌ ଆଳରେ କୁଆଡ଼େ ନ ଯାଇ ତାଲିକା ତିଆରି କରିଥିବାରୁ ଏଭଳି ହୋଇଛି। ଅନ୍ୟପଟେ ସବୁ ଅଭିଯୋଗର ସମାଧାନ କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ଏଡିଏମ୍‌ ପ୍ରଫୁଲ୍ଲ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର