ଭାବର ବାହକ ହେଉଛି ଭାଷା

ଗଳ୍ପ ସଂକଳନ ‘ଆକାଶର ତାରା’ ଲୋକାର୍ପିତ

ଭୁବନେଶ୍ୱର : ଭାବର ବାହକ ହେଉଛି ଭାଷା। ସୁସଂଗଠିତ ସମାଜ ପାଇଁ ଭାଷାର ଆବଶ୍ୟକତା ରହିଛି। ଭାଷାକୁ ଯେତେ ଅଧିକରୁ ଅଧିକ ବ୍ୟବହାର କରାଯିବ ଭାଷା ବଞ୍ଚିବ। ବର୍ତ୍ତମାନ ସମୟରେ ଆଧୁନିକ କାରିଗରୀ ଜ୍ଞାନ କୌଶଳକୁ ବିନିଯୋଗ କରି ଭାଷାକୁ ସୁଦୃଢ଼ କରାଯାଇପାରିବ। ଭାଷା ବଞ୍ଚିବାକୁ ହେଲେ ଗଳ୍ପ ଓ କବିତା ଅପେକ୍ଷା ଗଦ୍ୟ ଅତ୍ୟନ୍ତ ଉପାଦେୟ ମାଧ୍ୟମ ବୋଲି ଅଜୟ କୁମାର ପଟ୍ଟନାୟକଙ୍କ ଗଳ୍ପ ସଂକଳନ ‘ଆକାଶର ତାରା’ ଲୋକାର୍ପଣ କରି ମୁଖ୍ୟ ଅତିଥି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ଡ.ପ୍ରଫୁଲ୍ଲ ଚନ୍ଦ୍ର ଦାଶ ମେମୋରିଆଲ ଟ୍ରଷ୍ଟ ତରଫରୁ ଆଜି ରେଡକ୍ରସ୍‌ ଭବନଠାରେ ଅନୁଷ୍ଠିତ ଏହି ପୁସ୍ତକ ଲୋକାର୍ପଣ ଉତ୍ସବ ସହ ‘ସୁସଂଗଠିତ ସମାଜ ପାଇଁ ଭାଷା କେତେ ଜରୁରୀ’ ଶୀର୍ଷକ ଆଲୋଚନାଚକ୍ର ଅୁନୁଷ୍ଠିତ ହୋଇଥିଲା। ଉତ୍ସବରେ ଲେଖକ ଓ ଗବେଷକ ତଥା ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି ଯୋଗ ଦେଇ ପୁସ୍ତକରେ ସ୍ଥାନ ପାଇଥିବା ଗଳ୍ପଗୁଡ଼ିକ ସଂପର୍କରେ ନିଜର ମତ ଉପସ୍ଥାପନ କରିଥିଲେ। ଲେଖକ ଆଗକୁ ବହୁ ଉତ୍କଷ୍ଟ ଗଳ୍ପମାନ ପାଠକଙ୍କୁ ଭେଟିଦେବେ ବୋଲି ଶ୍ରୀ ମହାନ୍ତି ଆଶାବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ପ୍ରଶାସକ ଓ ସୁସାହିତ୍ୟିକ ଡ.ଅଲେଖ ଚନ୍ଦ୍ର ପଢ଼ିଆରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସାମଲ ଯୋଗ ଦେଇ ଲେଖକଙ୍କୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଭାଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଓଡ଼ିଶା କିପରି ଭାବେ ଏକ ଭାଷା ଭିତ୍ତିିକ ରାଜ୍ୟ ଭାବେ ଗଠନ ହୋଇଥିଲା ସେ ବିଷୟରେ ମତ ରଖିଥିଲେ। ପ୍ରାରମ୍ଭରେ ଡ. ଅଜୟ ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସୁଶାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର