ବସ୍‌ଷ୍ଟାଣ୍ଡ ଶୌଚାଳୟର ବିଚିତ୍ର ସ୍ଥିତି: ଦିନରେ ବନ୍ଦ, ରାତିରେ ଖୋଲା

ଭୁବନେଶ୍ବର: ବସ୍‌ଷ୍ଟାଣ୍ଡସ୍ଥିତ ଶୌଚାଳୟର ବିଚିତ୍ର ସ୍ଥିତି। ଦିନରେ ତାଲା ଝୁଲୁଛି, କିନ୍ତୁ ରାତିରେ ଖୋଲା ରହୁଛି। ତେଣୁ ଯାତ୍ରୀମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ଏହି ଶୌଚାଳୟ ଏବେ ନିଶାଡ଼ିଙ୍କ କାମରେ ଲାଗୁଛି। ଦିନରେ ଯାତ୍ରୀମାନେ ଶୌଚ ପାଇଁ ନାହିଁନଥିବା ସମସ୍ୟାରେ ପଡ଼ୁଥିବାବେଳେ ରାତିରେ ନିଶାଡ଼ିମାନେ ବେଶ୍ ଆରାମ୍‌ରେ ଏହାକୁ ସେମାନଙ୍କ ଆଡ଼ାଭାବେ ବ୍ୟବହାର କରୁଛନ୍ତି। ରାଜଧାନୀର ପ୍ରମୁଖ ଛକ ମାଷ୍ଟରକ୍ୟାଣ୍ଟିନ୍‌ ଛକସ୍ଥିତି ବସ୍‌ଷ୍ଟାଣ୍ଡ ଶୌଚାଳୟର ଏମିତି ଅବସ୍ଥା ମାସ ମାସ ଧରି ଯାତ୍ରୀମାନଙ୍କ ଚିନ୍ତାର କାରଣ ପାଲଟିଛି।

ସ୍ମାର୍ଟ ସିଟି ଭୁବନେଶ୍ବରର ଏହି ବସଷ୍ଟାଣ୍ଡରେ ଶୌଚାଳୟଟିଏ ଅଛି। କିନ୍ତୁ ଦିନର ସବୁ ସମୟରେ ତାହା ବନ୍ଦ ରହୁଛି। ସବୁବେଳେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଫଳରେ ଯାତ୍ରୀଙ୍କଠାରୁ ଆରମ୍ଭ କରି ବସ୍‌ କର୍ମଚାରୀମାନେ ବାଧ୍ୟ ହୋଇ ଷ୍ଟାଣ୍ଡ୍‌ ପରିସରରେ ପରିସ୍ରା କରୁଛନ୍ତି। କିନ୍ତୁ ମହିଳା ଯାତ୍ରୀମାନଙ୍କ ଅବସ୍ଥା ସଂଗିନ୍ ହୋଇପଡ଼ୁଛି। ସେମାନେ ନାର୍ହିନଥିବା ଅସୁବିଧାରେ ପଡ଼ୁଛନ୍ତି। ପ୍ରତିଦିନ ଏହି ବସ୍‌ଷ୍ଟାଣ୍ଡକୁ ଶହ ଶହ ବସ୍ ଆସୁଛି। ମୋ ବସ୍‌ଠାରୁ ଆରମ୍ଭ କରି ଘରୋଇ ବସ୍‌ ପର୍ଯ୍ୟନ୍ତ ବହୁ ବସ୍ ଆସୁଛି। ସେଥିରେ ଶହ ଶହ ଯାତ୍ରୀ ଏଠାରେ ବସ୍‌ରୁ ଓହ୍ଲାଉଛନ୍ତି ଓ ବସ୍‌ରେ ଚଢ଼ି ଏଠାରୁ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି। ସେହିଭଳି ଟ୍ରେନ୍‌ ଯାତ୍ରୀମାନେ ଭୁବନେଶ୍ବର ରେଳ ଷ୍ଟେସନରେ ଓହ୍ଲାଇବା ପରେ ଏଠାରୁ ବସ୍‌ ଯୋଗେ ବିଭିନ୍ନ ଅଞ୍ଚଳକୁ ଯାଇଥାନ୍ତି। ମାତ୍ର ଶୌଚାଳୟର ଏମିତି ଅବସ୍ଥା ପାଇଁ ସେମାନେ ବହୁ ସମସ୍ୟାରେ ପଡ଼ୁଛନ୍ତି। ଦିନବେଳା ଶୌଚାଳୟ ବନ୍ଦ ରହୁଥିବାରୁ ଲୋକେ ଏଠାରେ ବାହାରେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଏହି ସମଗ୍ର ଅଞ୍ଚଳ ଏବେ ଗନ୍ଧମୟ ହୋଇପଡ଼ିଛି। ବଡ଼ କଥା ହେଉଛି, ଏହି ଶୌଚାଳୟ ଦିନରେ ବନ୍ଦ ରହୁଥିବାବେଳେ ରାତିରେ ଖୋଲା ରହୁଥିବା ଦେଖିବାକୁ ମିଳୁଛି। ରାତିରେ ଏଠି ନିଶାଡ଼ିମାନଙ୍କର ମେଳା ଜମେ। ସେଠାରେ ମଦ ଓ ଗଞ୍ଜେଇ ଆସର ଜମେ। ତେଣୁ ଏହି ଶୌଚାଳୟର ଚାବି କାହା ପାଖରେ ରହୁଛି, ତାହା ଜଣାପଡ଼ୁନାହିଁ। ରାତିରେ ନିଶାଡ଼ିମାନଙ୍କ ଆଡ଼ା ଜମୁଥିବାରୁ ଏହାର ଚାବି କୌଣସି ନିଶାଡ଼ିଙ୍କ ପାଖରେ ରହୁଛି ବୋଲି ଅଭିଯୋଗ ହେଉଛି।

ମୋ ବସ୍‌ର କର୍ମଚାରୀମାନଙ୍କ କହିବା କଥା ଏହି ଶୌଚାଳୟ ବନ୍ଦ ରହୁଥିବାରୁ ସେମାନେ ବି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାହାରେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ସୂଚନାଯୋଗ୍ୟ ଏହି ବସଷ୍ଟାଣ୍ଡ ଦେଇ ଦୈନିକ ୨୫ଟି ରୁଟ୍‌କୁ ୫୦ରୁ ଅଧିକ ବସ୍‌ ଯିବା ଆସିବା କରିଥାଏ। ଏଥିସହିତ ଏହି ବସଷ୍ଟାଣ୍ଡରୁ ବହୁ ଘରୋଇ ବସ୍ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଛି। ଜନଗହଳିପୂର୍ଣ୍ଣ ଏହି ଛକରେ ପରିସ୍ରାଗାର ନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପଦ‌କ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର