ଛାତ୍ର ଅପହରଣ ମାମଲା: ରିମାଣ୍ଡରେ ଆସିଲେ ୪ ଅଭିଯୁକ୍ତ, ଖୁବ୍‌ ଶୀଘ୍ର ବନ୍ଧାହେବେ ଆଉ ୨

ଭୁବନେଶ୍ବର : ରାଜଧାନୀର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ପୁଅ ତଥା ବିବିଏ ଛାତ୍ର ଈଶାନ ଅଗ୍ରୱାଲ୍‌ଙ୍କୁ ଅପହରଣ ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିବା ୪ ଅପହର୍ତ୍ତାଙ୍କୁ ଦିନିକିଆ ରିମାଣ୍ଡରେ ଆଣିଛି। ଆଜି ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣି ଜଣକ ପରେ ଜଣକୁ ମାରାଥନ ଜେରା କରିଛି। ସେମାନେ କିଭଳି ପରିଚିତ ହୋଇଥିଲେ? ଅପହରଣ ପଛର କାରଣ କ’ଣ? ଗୁଡ଼ାଇ ତୁଡ଼ାଇ ବିଭିନ୍ନ ଦିଗ ଉପରେ ପ୍ରଶ୍ନ କରିଥିଲା। ତେବେ ସେମାନେ ଟଙ୍କା ପାଇଁ ସେମାନେ ଅପହରଣ କରିଥିବା ଜେରାବେଳେ ମାନିଛନ୍ତି। ସେହିପରି ସେମାନଙ୍କ ସହ ସମ୍ପୃକ୍ତ ଥିବା ଆଉ ଦୁଇ ଅପହର୍ତ୍ତାଙ୍କ ସମ୍ପର୍କରେ ପୁଲିସ ହାତରେ ତଥ୍ୟ ଲାଗିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ ପାଇଁ ପୁଲିସ ଯୋଜନା କରୁଛି। ଅନ୍ୟପଟେ ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଯିବ।

ପ୍ରକାଶ ଥାଉ କି, ଗତ ୩୧ ତାରିଖ ଅପରାହ୍ନରେ ଅପହର୍ତ୍ତାମାନେ ଝାରାପଡ଼ା ଜେଲ୍‌ ନିକଟ ଏକ ଓମ୍‌ଫେଡ୍‌ ବୁଥ୍‌ରୁ ଈଶାନଙ୍କୁ ଅପହରଣ କରିନେଇଥିଲେ। ଈଶାନଙ୍କ ବାପା ରାମରୂପ ଅଗ୍ରୱାଲ୍‌ଙ୍କୁ ଫୋନ୍‌ କରି ମୁଣ୍ଡ ଜାମିନ ବାବଦକୁ ୩୦ଲକ୍ଷ ଟଙ୍କା ଦାବି କରିଥିଲେ। ୩୬ ଘଣ୍ଟାର ଅପରେସନ୍‌ ପରେ କମିସନରେଟ୍‌ ପୁଲିସ ନୟାଗଡ଼ ବୋଲଗଡ଼ ଜଙ୍ଗଲିଆ ରାସ୍ତାରୁ ଈଶାନଙ୍କୁ ଉଦ୍ଧାର କରିବା ସହ ବ୍ରହ୍ମପୁର ବିଜିପୁର ଅଞ୍ଚଳର ରାମ କ୍ରିଷ୍ଣା, ସମ୍ବଲପୁର ରେଢ଼ାଖୋଲ ଅଞ୍ଚଳର ସନ୍ତୋଷ କୁମାର ରାଉତ, ନୟାଗଡ଼ ଗୌଡ଼ପୁଟ ଅଞ୍ଚଳର ଧନେଶ୍ବର ପାତ୍ର ଓ ଖଣ୍ଡଗିରି ଡୁମୁଡୁମା ରଘୁନାଥନଗର ଅଞ୍ଚଳର ମହମ୍ମଦ ମୁସ୍ତାକ୍‌ ଅଲ୍ଲୀଙ୍କୁ କାବୁ କରିଥିଲା। ସେମାନଙ୍କ ଠାରୁ କାର୍‌, ଛୁରି, ୫ଟି ମୋବାଇଲ ଫୋନ୍ ଜବତ କରିଥିଲା। ହେଲେ୨ଜଣ ସହଯୋଗୀ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର