ଛାତ୍ର ସଂସଦ ନିର୍ବାଚନ : ଆଜି କ୍ଲାସରୁମ୍‌ରେ ଶେଷ ପ୍ରଚାର

ଭୁବନେଶ୍ବର : ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ। ହାତ‌େର ଆଉ ମାତ୍ର ଦୁଇ ଦିନ। ୧୦ ତାରିଖରେ କ୍ୟାମ୍ପସରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ। ତେଣୁ କ୍ୟାମ୍ପସ୍‌ରେ ପ୍ରଚାର କରିବା ପାଇଁ ପ୍ରାର୍ଥୀଙ୍କ ପାଇଁ ବୁଧବାର ହିଁ କେବଳ ଗୋଟିଏ ଦିନ। ଏହି ୧୨ ଘଣ୍ଟା ଧରି ପ୍ରାର୍ଥୀଙ୍କ ପାଇଁ ଶେଷ ସୁଯୋଗ। ତାହାକୁ ହାତଛଡ଼ା କରିବାକୁ କୌଣସି ପ୍ରାର୍ଥୀ ଚାହିଁବେ ନାହିଁ। ତେଣୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି।

ଗତକାଲି ରବିବାର ଛୁଟି ଥିବା ବେଳେ ଆଜି ମହାଳୟା ପାଇଁ କଲେଜ/ବିଶ୍ବବିଦ୍ୟାଳୟ ଛୁଟି ରହିଥିଲା। ଏହି ଦୁଇ ଦିନ ପ୍ରାର୍ଥୀମାନଙ୍କୁ କ୍ୟାମ୍ପସ୍‌ରେ ପ୍ରଚାର କରିବା ପାଇଁ ସୁଯୋଗ ମିଳିନି। ତେଣୁ ସେମାନେ ଏବେ ଦିନରାତି ଏକ କରି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। କୌଣସି ଗୋଟିଏ ବି ସୁଯୋଗ ହାତ ଛଡ଼ା କରୁନାହାନ୍ତି। ଭୁବନେଶ୍ବର ସହର ସମେତ ଉପକଣ୍ଠକୁ ଯାଇ ଛାତ୍ରଛାତ୍ରୀଙ୍କୁ ଭେଟୁଛନ୍ତି। କଲେଜ ସମସ୍ୟା ସମ୍ପର୍କରେ କହୁଛନ୍ତି। କିଭଳି ବିକାଶ କରିବେ ସେନେଇ ବ୍ଲୁପ୍ରିଣ୍ଟ ଉପସ୍ଥାପନ କରୁଛନ୍ତି। ଜଣେ ଜଣେ ପ୍ରାର୍ଥୀଙ୍କ ପାଇଁ ୫ରୁ ୬ ଜଣ ଛାତ୍ରଛାତ୍ରୀ ଦଳ କରି ବୁଲୁଥିବା ଦେଖିବାକୁ ମିଳୁଛି। ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଭୋଟ୍‌ ଉପରେ ସମସ୍ତ ପ୍ରାର୍ଥୀଙ୍କ ନଜର ରହୁଛି।

ଅନ୍ୟପକ୍ଷରେ ବାଣୀବିହାର ନିର୍ବାଚନ ବନ୍ଦ ହେବା ପରେ ଛାତ୍ର ବିଜେଡି ଓ ଏବିଭିପିର ଛାତ୍ରନେତାମାନେ ଏବେ ରମାଦେବୀ ଓ ବିଜେବି କଲେଜ ରାଜନୀତିରେ ମୁଣ୍ତ ଖେଳାଇଛନ୍ତି। ପ୍ରାର୍ଥୀମାନେ କିଭଳି ନିର୍ବାଚନ ପ୍ରଚାର କରିବେ? କେଉଁ ଅଞ୍ଚଳ ପାଇଁ କିଏ ଦାୟିତ୍ବରେ ରହିବେ? କେଉଁ ଛାତ୍ରୀଙ୍କ ଅଭିଭାବକ କେଉଁ ଦଳର ସମର୍ଥକ, ତାହାର ହିସାବ ଛିଣ୍ତାଉଛନ୍ତି ଛାତ୍ରନେତା। ଘନ ଘନ ବୈଠକ କରୁଛନ୍ତି। କିଏ କେତେ ଭୋଟ୍‌ ପାଇବ ତାହାକୁ ନେଇ ପ୍ରତିଦିନ ସଙ୍ଗଠନଗୁଡ଼ିକ ମଧ୍ୟରେ ଅବଗଣନା ଚାଲିଛି। ଛାତ୍ର ବିଜେଡି ଏଥର ରମାଦେବୀ ଓ ବିଜେବି କ୍ୟାମ୍ପସ କବ୍‌ଜା କରିବକୁ ଲକ୍ଷ୍ୟ ରଖିଛି।

ତିନି ଦିନ ଜମିବ ଖାଦ୍ୟ ପସରା

ନିର୍ବାଚନକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଏଣିକି ସବୁ କ୍ୟାମ୍ପସରେ ଜମିବ ଖାଦ୍ୟର ପସରା। ଭୋଟ ହାତେଇବା ଲାଗି ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କୁ ମନ ଇଚ୍ଛା ଖାଇବାକୁ ଦେବେ। ରମାଦେବୀ କ୍ୟାମ୍ପସ ଏହି କ୍ରମରେ ଆଗରେ ରହିଛି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଦୁଇ ଛାତ୍ର ସଙ୍ଗଠନ ପକ୍ଷରୁ କ୍ୟାମ୍ପସ ସମ୍ମୁଖରେ ବିରିୟାନି ବ୍ୟବସ୍ଥା ହୋଇଛି। ବିଜେବି ଓ ମହର୍ଷି କଲେଜ ପ୍ରାର୍ଥୀ ବି ନିଜ ସମର୍ଥକଙ୍କ ଲାଗି ଖାଇବା ବ୍ୟବସ୍ଥା କରିଛନ୍ତି।

ପ୍ରାକ୍‌ ନିର୍ବାଚନୀ ହି˚ସା : ସିଇଟିରେ ବୋମା ଫୁଟିଲା

ଖଣ୍ତଗିରି : ଛାତ୍ର ସ˚ସଦ ନିର୍ବାଚନକୁ ନେଇ ସ୍ଥାନୀୟ କଲେଜ ଅଫ୍‌ ଇ˚ଜିନିୟରି˚ ଆଣ୍ତ୍‌ ଟେକ୍ନୋଲୋଜି(ସିଇଟି) କଲେଜରେ ଗତ କିଛି ଦିନ ହେଲା ଲାଗି ରହିଥିବା ଛକାପଞ୍ଝା ଶେଷରେ ବୋମାମାଡ଼ ପର୍ଯ୍ୟନ୍ତ ଯାଇଛି। ସୋମବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ବେଳେ କଲେଜ୍‌ ମୁଖ୍ୟ ଫାଟକରେ ଦୁଇଟି ବୋମାମାଡ଼ ହୋଇଛି। ଏଥିରେ କାହାର କିଛି କ୍ଷତି ଘଟିନାହିଁ। ନିର୍ବାଚନକୁ ଭଣ୍ତୁର କରିବା ପାଇଁ କେହି ଦୁର୍ବୃତ୍ତ ଏଭଳି କାଣ୍ତ ଭିଆଇଥିବା ଅନୁମାନ କରାଯାଉଛି।

ସୂଚନାନୁସାରେ ଆଜି ସନ୍ଧ୍ୟାରେ ୪ଟି ବାଇକ୍‌ରେ ପ୍ରାୟ ୮/୧୦ ଜଣ ଯୁବକ ମୁଖ୍ୟ ଫାଟକ ନିକଟରେ ପହଞ୍ଚିଥିଲେ। ସେତେବେଳେ ଫାଟକରେ ଦୁଇ ଜଣ ସୁରକ୍ଷାକର୍ମୀ ଥିଲେ ଓ କିଛି ଛାତ୍ରଛାତ୍ରୀ ସେଠାରେ ଚଳପ୍ରଚଳ ହେଉଥିଲେ। କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ଜଣେ ଯୁବକ ଏକ ପେଟ୍ରୋଲ ଭର୍ତି ବୋତଲ ବାହାର କରି ସେଥିରେ ନିଆଁ ଲଗାଇ ଦେଇଥିଲା ଓ ତଳକୁ ଗଡ଼ାଇ ଦେଇଥିଲା। ଫଳରେ ବୋତଲଟି ପ୍ରଚଣ୍ତ ଶବ୍ଦ କରି ବିସ୍ଫୋରଣ କରିଥିଲା। ଏହା ପରେ ପରେ ଆଉ ଜଣେ ଯୁବକ ଏକ ସୁତୁଲି ବୋମା ତଳକୁ ପିଟିଥିଲା। ଏମିତି ଦୁଇ ଦୁଇ ବୋମାମାଡ଼ କରିବା ପରେ ସେମାନେ ସେଠାରୁ ଚମ୍ପଟ ମାରିଥିଲେ। ସୁରକ୍ଷାକର୍ମୀ ଦ୍ବୟ ଫାଟକ ଛାଡ଼ି ଭୟରେ କଲେଜ ଭିତରକୁ ଧାଇଁଥିଲେ। ଖଣ୍ତଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ କଲେଜରେ ଚାଲିଥିବା ନିର୍ବାଚନ ପ୍ରକ୍ରିୟାକୁ ନେଇ ଗତ କିଛି ଦିନ ହେଲା ଛକାପଞ୍ଝା ଲାଗି ରହିଛି। ଗତ ୪ ଦିନ ହେଲା କିଛି ନା କିଛି ଛୋଟମୋଟ ଗଣ୍ତଗୋଳ ଘଟିଛି। ଏଥିରେ କିଛି ଅଣଛାତ୍ର ସାମିଲ୍‌ ହୋଇ ଗଣ୍ତଗୋଳକୁ ବଢ଼ାଉଛନ୍ତି। କେହି କେହି ଏହି ବୋମାମାଡ଼ ନିର୍ବାଚନ ବନ୍ଦ କରିବା ପାଇଁ କରାଯାଇଛି ବୋଲି କହୁଛନ୍ତି। ନିର୍ବାଚନରେ ପରାଜୟ ଆଶଙ୍କା କରୁଥିବା ଗୋଷ୍ଠୀ ଏଭଳି କରିଥିବା ଚର୍ଚ୍ଚା ହେଉଛି। ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନାହିଁ।

ସମ୍ବନ୍ଧିତ ଖବର