ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ : ଏଥର ବି ଭଲ ର‍୍ୟାଙ୍କ୍‌ ମିଳିବନି!

୩୩୦୦ ମାର୍କ କଟିବା ଥୟ, କେଉଁଥିରେ କେତେ ମାର୍କ କଟିବ

ଭୁବନେଶ୍ବର : ସ୍ୱଚ୍ଛ ସର୍ବେକ୍ଷଣ ୨୦୧୭ରେ ୯୪ତମ ର‍୍ୟାଙ୍କ, ୨୦୧୮ରେ ୨୪୩ତମ ରୢାଙ୍କ, ୨୦୧୯ରେ ୨୮୮ତମ ର‍୍ୟାଙ୍କ ପାଇଥିଲା ଭୁବନେଶ୍ବର। ବର୍ଷ ବଢ଼ିବା ସହ ଭୁବନେଶ୍ବରର ପରିମଳ ବ୍ୟବସ୍ଥା ବିଗିଡ଼ି ଗଲା। ଯେତେବେଳେ ସ୍ୱଚ୍ଛ ସର୍ବେକ୍ଷଣରେ ଦେଶର ଅନ୍ୟ ସହରଗୁଡ଼ିକର ର‍୍ୟାଙ୍କ ବଢ଼ି ବଢ଼ି ଚାଲିଲା, ଭୁବନେଶ୍ବରର ର‍୍ୟାଙ୍କ କମିଲା। ଏବେ ସ୍ଥିତି ଏପରି ହୋଇଛି ଯେ ସ୍ମାର୍ଟସିଟି ପ୍ରତିଯୋଗିତାରେ ସାରା ଦେଶରେ ପ୍ରଥମ ହୋଇଥିବା ଭୁବନେଶ୍ବର ସ୍ୱଚ୍ଛତା ପ୍ରତିଯୋଗିତାରେ ଚିତ୍‌ପଟାଙ୍ଗ ମାରିଛି। କେବଳ ଏତିକି ନୁହେଁ, ରାଜ୍ୟର ବିଭିନ୍ନ ସହର ବି ଭୁବନେଶ୍ବରକୁ ମାତ୍‌ ଦେଇଦେଲେଣି।

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜାନୁଆରି ୪ରୁ ୩୧ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସର୍ବେକ୍ଷଣ ପାଇଁ କେନ୍ଦ୍ର ଗୃହ ନିର୍ମାଣ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ ଲିଗ୍ ର‍୍ୟାଙ୍କିଂ ଦୁଇଟି ପର୍ଯ୍ୟାୟରେ ପ୍ରକାଶ ପାଇ ସାରିଲାଣି। ତୃତୀୟ କ୍ବାର୍ଟରର ର‍୍ୟାଙ୍କ୍ ଚଳିତ ମାସରେ ପ୍ରକାଶ ପାଇବ। ହେଲେ ସ୍ୱଚ୍ଛ ସର୍ବେକ୍ଷଣରେ ୨୫% ମାର୍କ ଲିଗ୍‌ ରୢାଙ୍କିଂକୁ ନେଇ ହେବାକୁ ଥିବା ବେଳେ ଭୁବନେଶ୍ବରର ମାର୍କ ନୈରାଶ୍ୟଜନକ ଥିବାରୁ ଏବଂ ସ୍ୱଚ୍ଛ ସହର ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଭୁବନେଶ୍ବର ଯେ ଏଥର ପୁଣି ପଛରେ ପଡ଼ିବ ତାହା ଏକରକମ ଥୟ।

କେଉଁଥି ପାଇଁ କେତେ ମାର୍କ
ସ୍ବଚ୍ଛ ସର୍ବେକ୍ଷଣ-୨୦୨୦ରେ ମୋଟ୍‌ ୬୦୦୦ ମାର୍କକୁ ନେଇ ପ୍ରତିଯୋଗିତା ହେଉଥିବା ବେଳେ ଏଥିରୁ ୪୫୦୦ ମାର୍କ ଜାନୁଆରି ୪ରୁ ୩୧ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତା ପାଇଁ ରହିଛି। ବାକି ୧୫୦୦ ମାର୍କ ଗତ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ହୋଇଥିବା ତିନିଟି କ୍ବାର୍ଟରରେ ମିଳିଥିବା ମାର୍କକୁ ହିସାବକୁ ନେଇ ଦିଆଯିବ।

ମୋଟ୍‌ ଉପରେ ୬ହଜାର ମାର୍କକୁ ଏଥର ୪ ଭାଗରେ ବିଭକ୍ତ କରାଯାଇଛି। ଏଥି‌େର ୨୫% ବା ୧୫୦୦ ମାର୍କ ଲୋକଙ୍କ ମତାମତକୁ ନେଇ ଦିଆଯିବ। ଆଉ ୨୫% କେନ୍ଦ୍ରୀୟ ଟିମ୍‌ର ପ୍ରତ୍ୟକ୍ଷ ପରିଦର୍ଶନର ରିପୋର୍ଟ ଉପରେ ଦିଆଯିବ। ୨୫%ମାର୍କ ସ୍ବଚ୍ଛ ସର୍ବେକ୍ଷଣ ସାର୍ଟିଫିକେସନ୍‌ରୁ ମିଳିବ। ଏଥିରେ ଓଡିଏଫ୍ ପାଇଁ ୫୦୦ ମାର୍କ ଏବଂ ଜିଏଫ୍‌ସି (ବର୍ଜ୍ୟମୁକ୍ତ ସହର) ପାଇଁ ୧୦୦୦ ମାର୍କ ରହିଛି। ଶେଷ ୨୫% ଅର୍ଥାତ୍ ୧୫୦୦ ମାର୍କ ପୂର୍ବରୁ ଦିଆଯାଉଥିବା ସେବାରେ ହୋଇଥିବା ଉନ୍ନତିକୁ ଆଧାର କରି ଦିଆଯିବ। ଅର୍ଥାତ୍ ୨୦୦ ମାର୍କ ଲିଗ୍ ର‍୍ୟାଙ୍କିଂରୁ ଏବଂ ୧୩୦୦ ମାର୍କ ସେବାରେ ପ୍ରଗତି ବାବଦକୁ ମିଳିବ।

ଏହି ମାର୍କ ପ୍ରଦାନ କରିବା ବେଳେ ସହରଗୁଡ଼ିକ କିପରି କଠିନ ବର୍ଜ୍ୟବସ୍ତୁ ନେଉଛନ୍ତି, ପ୍ରକ୍ରିୟାକରଣ କରୁଛନ୍ତି, ପାଇଖାନା ମଳ ପରିଚାଳନା, ବର୍ଜ୍ୟଜଳକୁ କିପରି ପ୍ରକ୍ରିୟାକରଣ କରୁଛନ୍ତି ଏବଂ ପୁନଃ ବ୍ୟବହାର କରୁଛନ୍ତି କି ନାହିଁ; ତାହାକୁ ଭିତ୍ତି କରି ମାର୍କ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିବାରୁ ଭୁବନେଶ୍ବର କେତେ ମାର୍କ ପାଇବ ଓ କେତେ ରୢାଙ୍କ ଏଥର ପାଇବ ତାହା ଉପରେ ସମସ୍ତଙ୍କ ନଜର।

୩୩୦୦ ମାର୍କ କଟିବା ଥୟ, କେଉଁଥିରେ କେତେ ମାର୍କ କଟିବ
ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ବିଏମ୍‌ସି କର୍ତ୍ତୃପକ୍ଷ ଅଧିକରୁ ଅଧିକ ମାର୍କ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। କିନ୍ତୁ ରାଜଧାନୀର ପରିମଳ ବ୍ୟବସ୍ଥା, ଭିତ୍ତିଭୂମି ଦେଖିଲେ, ଏଥର ୩୩୦୦ ମାର୍କ କଟିବା ଥୟ। ପ୍ରତିବର୍ଷ ଯେଉଁ ଯେଉଁ ବିଭାଗରେ ମୁଖ୍ୟତଃ ମାର୍କ କଟୁଛି, ସେଥିରେ ବିଏମ୍‌ସି କର୍ତ୍ତୃପକ୍ଷ ଆବଶ୍ୟକ ଉନ୍ନତି ଆଣି ପାରିନଥିବାରୁ ଏଥର ବି ମାର୍କ କଟିବ। ଯେମିତି କଠିନ ବର୍ଜ୍ୟବସ୍ତୁ ବିଶୋଧନ ପ୍ଲାଣ୍ଟ, କମ୍ପୋଷ୍ଟ ପ୍ଲାଣ୍ଟ ନାହିଁ, ସ୍ଥାୟୀ ସ୍ବଚ୍ଛତା କ୍ଷେତ୍ରରେ ଭିତ୍ତିଭୂମି ଅଭାବ ରହିଛି, ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ହେଉଥିଲେ ହେଁ ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ ସଂଗ୍ରହ ହୋଇପାରୁନାହିଁ, ଲୋକ ରାସ୍ତା ଉପରେ ଆବର୍ଜନା ପକାଉଛନ୍ତି ଓ ରାସ୍ତାରେ ଝାଡ଼ା ପରିସ୍ରା କରୁଛନ୍ତି, ଆବର୍ଜନା ସଂଗ୍ରହ ଓ ବିଶୋଧନ କ୍ଷେତ୍ରରେ ଅନ୍ୟ ସହର ତୁଳନାରେ କିଛି ବି ନୂତନତ୍ବ ନାହିଁ। ସେହିପରି ଓଡିଏଫ୍ (ଖୋଲାରେ ମଳତ୍ୟାଗମୁକ୍ତ ସହର) ସହର ନେଇ ବିଏମ୍‌ସି ଆତ୍ମଘୋଷଣା କରିଥିଲେ ହେଁ ଏପର୍ଯ୍ୟନ୍ତ ଓଡିଏଫ୍ ସହର ହୋଇପାରିନି। ଏବେ ବି ରାସ୍ତାଘାଟରେ ଲୋକ ପରିସ୍ରା କରୁଛନ୍ତି। ଏହି କ୍ଷେତ୍ରରେ ମୋଟ୍‌ ୧୫୦୦ ମାର୍କ ଥିବା ବେଳେ ୧୨୦୦ ମାର୍କ କଟିବା ଥୟ।

ଏହାବ୍ୟତୀତ ସେବାସ୍ତରରେ ପ୍ରଗତି ପାଇଁ ୧୩୦୦ମାର୍କ ଥିବା ‌େ‌ବଳେ ଏ ପର୍ଯ୍ୟନ୍ତ ପ୍ରସ୍ତାବିତ ତରଳ ବର୍ଜ୍ୟବସ୍ତୁ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇନି କି ସ୍ବେରେଜ୍‌ ବ୍ୟବସ୍ଥା ସୁଧୁରିନି। ଲୋକ ଯେପରି ସହଜରେ ଡଷ୍ଟବିନ୍‌ରେ ଆବର୍ଜନା ପକାଇ ପାରିବେ, ସେହିଭଳି ଆବଶ୍ୟକ ଡଷ୍ଟବିନ୍ ଉପଲବ୍ଧ ହେଉନି। ଡଷ୍ଟବିନ୍‌ଗୁଡ଼ିକ ଜିପିଏସ୍‌ ଟ୍ରାକିଂ ହୋଇନଥିବାରୁ ଏଥିରେ ଅଳିଆ ଭର୍ତ୍ତି ହେଲେ ବି ବିଏମ୍‌ସି ପାଖରେ ଖବର ରହୁନି। ଫଳରେ ଦିନ ଦିନ ଧରି ଅଳିଆ ଜମା ହୋଇରହୁଛି। ଏହି କ୍ଷେତ୍ରରେ ତ ପ୍ରାୟ ୧୦୦୦ ମାର୍କ କଟିବ।

ସେହିପରି କେନ୍ଦ୍ରୀୟ ଟିମ୍‌ର ପ୍ରତ୍ୟକ୍ଷ ପରିଦର୍ଶନ କରି ୧୫୦୦ ମାର୍କ ଦେବାକୁ ଥିବା ବେଳେ ଏହି ଟିମ୍‌ ଯଦି ଗଳିକନ୍ଦି ଅଞ୍ଚଳ ବୁଲିବେ, ତେବେ ବିଏମ୍‌ସିର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଦେଖିପାରିବେ। ରାସ୍ତାରେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଛି ଏବଂ ଡ୍ରେନ୍ ପାଣି ରାସ୍ତାରେ ଭାସୁଥିବା ଦେଖିବାକୁ ପାଇବେ। ଏଥିରେ ବି ଅଧା ମାର୍କ କଟିପାରେ। ତାହା କେନ୍ଦ୍ରୀୟ ଟିମ୍‌ର ପରିଦର୍ଶନ ଉପରେ ନିର୍ଭର କରୁଛି। ତେଣୁ ଏଥିରେ ପ୍ରାୟ ୫୦୦ମାର୍କ କଟିପାରେ।

ଏବେ କମ୍ପୋଷ୍ଟ ପ୍ଲାଣ୍ଟକୁ କେତେକ ସ୍ଥାନରେ ଲୋକ ବିରୋଧ କରୁଥିବାରୁ ବିଏମ୍‌ସି ସେହି ଅଞ୍ଚଳରୁ ଆବର୍ଜନା ଉଠାଉନି। ତେଣୁ ନାଗରିକଙ୍କଠାରୁ ଯେଉଁ ମତାମତ ସଂଗ୍ରହ କରାଯିବ, ସେଥିରେ ଯଦି ଏହି ଅଞ୍ଚଳର ଲୋକମାନେ ଫୋନ୍‌ କରି ନକାରାତ୍ମକ ମତାମତ ଦେବେ, ତେବେ ବିଏମ୍‌ସିର ୧୫୦୦ରୁ ୫୦୦ ମାର୍କ କଟିପାରେ।

ତିନିଟି କ୍ବାର୍ଟର୍‌ରେ ହୋଇଥିବା ପ୍ରତିଯୋଗିତାରେ ଭୁବନେଶ୍ବରକୁ ବହୁତ କମ୍‌ ମାର୍କ ମିଳିଛି। ଏପରିକି କ୍ବାର୍ଟର-୧ରେ ୨୨୫.୧୩ ମାର୍କ ଏବଂ କ୍ବାର୍ଟର-୨ରେ ୭୭୯.୯୬ ମାର୍କ ମିଳିଛି। କ୍ବାର୍ଟର-୩ ଫଳ ପ୍ରକାଶ ପାଇବା ପରେ ମୋଟ୍‌ ମାର୍କକୁ ମିଶାଇ ମୋଟ୍‌ ୨୦୦ ମାର୍କରୁ ନମ୍ବର ଦିଆଯିବ। ହେଲେ ଦୁଇଟି କ୍ବାର୍ଟର ରୢାଙ୍କରେ ଭୁବନେଶ୍ବରକୁ ଭଲ ରୢାଙ୍କ ମିଳି ନ ଥିବାରୁ ଏଥିରେ ଭୁବନେଶ୍ବରର ୧୦୦ ମାର୍କ କଟିବା ଥୟ।

ସମ୍ବନ୍ଧିତ ଖବର