ଭୁବନେଶ୍ୱର, (ବିବୁଧ ମହାନ୍ତି): ସ୍ବଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ବ୍ରହ୍ମପୁର, ବାଲେଶ୍ବର, ରାଉରକେଲା ଭଳି ପୌରସଂସ୍ଥା ପୁରସ୍କାରର ହକ୍ଦାର ହୋଇପାରୁଥିବା ବେଳେ ବିଏମ୍ସି ଏତେ ପଛରେ କାହିଁକି? ସ୍ବଚ୍ଛ ଭୁବନେଶ୍ବର ପାଇଁ ବିଏମ୍ସି ବର୍ଷକୁ ପ୍ରାୟ ୧୦୦ କୋଟି ଖର୍ଚ୍ଚ କରୁଥିବା ବେଳେ ପୁରସ୍କାର ବେଳକୁ ଅସୁବିଧା କେଉଁଠି ରହୁଛି? ବାରମ୍ବାର ଭୁବନେଶ୍ବର ପ୍ରତିଯୋଗିତାରେ ପଛରେ ପଡ଼ି ଜାତୀୟସ୍ତରରେ ନିନ୍ଦିତ ହେଉଥିବା ପରେ ମଧ୍ୟ ଅଧିକାରୀମାନେ କରୁଛନ୍ତି କ’ଣ? ସ୍ବଚ୍ଛ ସର୍ବେକ୍ଷଣ-୨୦୨୧ରେ ବିଏମ୍ସି ୧୪୪ ନମ୍ବର ରୢାଙ୍କ୍ ପାଇବା ପରେ ଏଭଳି ଅନେକ ପ୍ରଶ୍ନ ଏବେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ କାଠଗଡ଼ାରେ ଛିଡ଼ା କରିଛି।
ବିଏମ୍ସି ୫୦ଟି ସ୍ଥାନରେ ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍, ସହରରେ ୨ହଜାରରୁ ଅଧିକ ସିଟ୍ ବିଶିଷ୍ଟ ଶୌଚାଳୟ, ୬୦ ସ୍ମାର୍ଟ ଶୌଚାଳୟ, ୮୦କିମି ରାସ୍ତାରେ ଯାନ୍ତ୍ରିକ ସଫେଇ, ଭୁବନେଶ୍ବରକୁ ଓଡିଏଫ୍++, ପ୍ଲାଷ୍ଟିକ୍ ଓ ପଲିଥିନ୍ମୁକ୍ତ ସହର ଘୋଷଣା, ୨୪ ଏମ୍ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର), ଇ-ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ସହ ପ୍ରଶାସକ, କମିସନର, ଜଣେ ମୁଖ୍ୟ ଯନ୍ତ୍ରୀ ପାହ୍ୟାର ଅଧିକାରୀ, ନଗର ସ୍ବାସ୍ଥ୍ୟ ଅଧିକାରୀ, ଜୋନାଲ ଡେପୁଟି କମିସନର ପରିମଳ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦେଇଛନ୍ତି। ଏତେ ବ୍ୟବସ୍ଥା ସତ୍ତ୍ବେ ବିଏମ୍ସି ଉପରକୁ ଉଠିପାରୁନି କାହିଁକି?
ଏହାର କାରଣ ଖୋଜିବା ବେଳେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆସିଛି। ଯେଉଁ ତିନୋଟି ସଂସ୍ଥା ସଫା କରିବା ପାଇଁ ଦାୟିତ୍ବ ନେଇଛନ୍ତି, ସେମାନଙ୍କର ଚୁକ୍ତି ଅବଧି ପ୍ରାୟ ବର୍ଷେ ତଳୁ ଶେଷ ହେଲାଣି। ବିଏମ୍ସିର ଭୁଲ ନୀତି ଯୋଗୁଁ ଟେଣ୍ଡର୍ ପ୍ରକ୍ରିୟା ଶେଷ ହୋଇପାରୁନି କି ନୂଆ ସଂସ୍ଥା ଚୟନ କରାଯାଇପାରୁନି। ବାରମ୍ବାର ଟେଣ୍ଡର୍ ବାତିଲ ହେଉଥିବାରୁ ବିଏମ୍ସି ବାଧ୍ୟ ହୋଇ ଏହି ସଂସ୍ଥାଙ୍କ ଦ୍ବାରା ସଫେଇ କରାଉଛି। ତେଣୁ ସଫେଇ ସଂସ୍ଥା କୌଣସି ସ୍ଥାନରେ ଅବହେଳା କଲେ ବି ବିଏମ୍ସି ସେମାନଙ୍କୁ ଉତ୍ତରଦାୟୀ କରିପାରୁନାହିଁ। ଯେଉଁଥିପାଇଁ ପରିମଳ ବ୍ୟବସ୍ଥାରେ ଆଶାନୁରୂପ ଉନ୍ନତି ହୋଇପାରୁନି।
ପରିମଳ ଦାୟିତ୍ବରେ ଡେପୁଟି କମିସନର ଶୁଭେନ୍ଦୁ ସାହୁ ରହିଛନ୍ତି। ପ୍ରାୟ ତିନିବର୍ଷ କାଳ ସେ ଏହି ଗୋଟିଏ ଦାୟିତ୍ବରେ ରହି ତିନିଥର ସ୍ବଚ୍ଛ ସର୍ବେକ୍ଷଣର ଅନୁଭୂତି ରଖିଛନ୍ତି। ପରିମଳ ବ୍ୟବସ୍ଥାରେ ସୁଧାର ଆଣି ଭୁବନେଶ୍ବରକୁ ଏକ ଭଲ ରୢାଙ୍କ୍କୁ ଆଣିବା ପାଇଁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ହେଲେ ସେ ଏମିତି ପାରଙ୍ଗମତା ଦେଖାଉଛନ୍ତି ଯେ ଭୁବନେଶ୍ବର କ୍ରମାଗତ ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରିଚାଲିଛି। ସ୍ଥିତି ଏପରି ହୋଇଛି ଯେ ଅନ୍ୟ ସବୁ ପ୍ରତିଯୋଗିତାରେ ଭୁବନେଶ୍ବର କଳେବଳେ ଶ୍ରେଷ୍ଠତ୍ବ ପ୍ରତିପାଦିତ କରୁଥିଲେ ହେଁ ସ୍ବଚ୍ଛ ସର୍ବେକ୍ଷଣରେ ଚିତ୍ପଟାଙ୍ଗ ମାରୁଛି।
ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଛି। ଅନେକ ସମୟରେ ବିଏମ୍ସିର ଅଭିଯୋଗ ଯେ ପ୍ରକଳ୍ପ ମଞ୍ଜୁରି ପାଇବାକୁ ବିଳମ୍ବ ହେଉଛି। ଅନେକ ଯୋଜନା ଥିଲେ ମଧ୍ୟ ସରକାରୀ ମୋହର ବାଜୁନଥିବାରୁ ବିଏମ୍ସି ପଛରେ ପଡ଼ୁଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଦାରୁଠେଙ୍ଗ ବାଇଓମାଇନିଂ ପ୍ରକଳ୍ପ। ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ପ୍ରକଳ୍ପ ଉପରେ ସରକାରଙ୍କ ମୋହର ବାଜି ପାରୁନି। କେବଳ ଏହି ଗୋଟିଏ ପ୍ରକଳ୍ପ ନୁହେଁ, ଅନେକ ପ୍ରସଙ୍ଗରେ ବିଏମ୍ସି ଫେଲ୍ ମାରିବାର କାରଣ ନଗର ଉନ୍ନୟନ ବିଭାଗକୁ ଦାୟୀ କରୁଛି। କୌତୂହଳର ବିଷୟ ହେଉଛି, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍ ହିଁ ବିଏମ୍ସିର ପ୍ରଶାସକ ଦାୟିତ୍ବରେ ଅଛନ୍ତି। ସେ ଚାହିଲେ ଗୋଟିଏ ବି ପ୍ରକଳ୍ପର ଫାଇଲ୍ କେଉଁଠି ଅଟକିବନି। ଏଠାରେ ପ୍ରଶ୍ନ ଉଠୁଛି ବିଏମ୍ସିର ପ୍ରକଳ୍ପ ମଞ୍ଜୁରି ପାଇବାକୁ ସେ କ’ଣ ଉଦ୍ୟମ କରୁନାହାନ୍ତି? ଅପରପକ୍ଷେ ବର୍ତ୍ତମାନର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂର୍ବରୁ ବିଏମ୍ସି କମିସନର ଥିଲେ। ସେତେବେଳେ ତାଙ୍କ ଉଦ୍ୟମରେ ଭୁବନେଶ୍ବର କ୍ଲିନ୍ ସିଟି ଭାବରେ ସୁନାମ ଅର୍ଜନ କରିଥିଲା। ଏବେ ସ୍ବଚ୍ଛତାରେ ବିଏମ୍ସି ଆଗକୁ ଗଲେ ସାଂସଦ କାଳେ ବାହାଦୂରୀ ନେଇଯିବେ, ସେ ନେଇ ଭୁବନେଶ୍ବରକୁ ପଛରେ ପକାଇବାକୁ ବାବୁମାନଙ୍କର ଏହା ଷଡ଼୍ଯନ୍ତ୍ର ନୁହେଁ ତ!
ସେହିପରି ସଫେଇ ପାଇଁ ଠିକା ନେଇଥିବା ସଂସ୍ଥା କର୍ମଚାରୀଙ୍କ ହକ୍ ପ୍ରଦାନ କରୁନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଫଳରେ ସେମାନେ ବାରମ୍ବାର କାମ ବନ୍ଦ କରି ଧାରଣା ଦେଉଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ରାଜଧାନୀରେ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଛି। ଠିକାସଂସ୍ଥା ଉପରେ ଦୋଷ ଦେଇ ବିଏମ୍ସି ବସି ଯାଉଛି। କିନ୍ତୁ ବାସ୍ତବରେ ଏହି ଅବହେଳା ପଛରେ ମଧ୍ୟ ବିଏମ୍ସି ରହିଛି। ବକେୟା ‘ଏସ୍କାଲେସନ ଫି’ ବାବଦକୁ ସଫେଇ ସଂସ୍ଥାଗୁଡ଼ିକ ପ୍ରାୟ ୬୦କୋଟି ଟଙ୍କା ପାଇବାକୁ ଥିବା ବେଳେ ବିଏମ୍ସି ଏହାକୁ ଦେବାକୁ ନାରାଜ। ବିଏମ୍ସି ବକେୟା ଟଙ୍କା ଦେଉନଥିବାରୁ ସଫେଇ ସଂସ୍ଥା କର୍ମଚାରୀଙ୍କୁ ଅଧିକ ସୁବିଧା ସୁଯୋଗ ଦେଇ ପାରୁନଥିବା କହୁଛନ୍ତି। ଫଳରେ ଆନ୍ଦୋଳନ ହେଉଛି। କିନ୍ତୁ ଶେଷରେ ବିଏମ୍ସି ହିଁ ଅପମାନ ମୁଣ୍ଡାଉଛି।
ସ୍ବଚ୍ଛତା ପାଇଁ ପରାମର୍ଶ ଦେବା ସହ ସଚେତନତା ଦିଗରେ କାମ କରିବା ପାଇଁ ବିଏମ୍ସିରେ ସ୍ବଚ୍ଛ ଭାରତ ଅଭିଯାନ ସେଲ୍ ବା ଏସ୍ବିଏ ସେଲ୍ ଖୋଲା ଯାଇଛି। କିନ୍ତୁ ଏସ୍ବିଏ ସେଲ୍ କୌଣସି ନୂତନତ୍ବ ଦେଖାଉନି କି ବର୍ଜ୍ୟ ବରିଚାଳନା ଠିକ୍ ଭାବେ ହେବା ନେଇ ପଦକ୍ଷେପ ନେଉନି। ଲୋକ ସଚେତନ ନଥିବାରୁ ବାହାରେ ଆବର୍ଜନା ଗଦା କରୁଛନ୍ତି। ଅନ୍ୟ ସହରରେ ଏହି ସମସ୍ୟା ଥିବାରୁ ପ୍ରତ୍ୟେକ ଘରକୁ ଦୁଇଟି ଭିନ୍ନ ରଙ୍ଗର ଡଷ୍ଟବିନ୍ ଯୋଗାଇ କର୍ତ୍ତୃପକ୍ଷ ପୃଥକ୍ ପୃଥକ୍ (ଓଦା, ଶୁଖିଲା) ଆବର୍ଜନା ସଂଗ୍ରହ ପାଇଁ ବ୍ୟବସ୍ଥା କରି ସ୍ବଚ୍ଛ ସର୍ବେକ୍ଷଣରେ ପୁରସ୍କାର ପାଉଛନ୍ତି। କିନ୍ତୁ ଲକ୍ଷାଧିକ ଟଙ୍କା ଦରମା ନେଇ ଏସ୍ବିଏ ସେଲ୍ରେ ବସିଥିବା ଅଧିକାରୀଙ୍କ ମୁଣ୍ଡରେ ଏହା ଜୁଟୁନି।
ଆପାର୍ଟମେଣ୍ଟ, ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ହସ୍ପିଟାଲଗୁଡ଼ିକ ନିଜର ଆବର୍ଜନାକୁ ପୃଥକ୍ କରି ବିଶୋଧନ କରିବା ବ୍ୟବସ୍ଥା ଅଛି। କେହି ଏହାକୁ ମାନୁନାହାନ୍ତି। ସ୍ବେରେଜ୍ ପରିଚାଳନା ବ୍ୟବସ୍ଥା ବି କରୁନାହାନ୍ତି। କିନ୍ତୁ ବିଏମ୍ସି ଏମାନଙ୍କଠାରୁ ଜରିମାନା ଆଦାୟ କରୁନି କି କାମ କରିବାକୁ ବାଧ୍ୟ ପରିପାରୁନି। ଫଳରେ ରାତିଅଧିଆ ଏମାନେ ଆବର୍ଜନା ରାସ୍ତା କଡ଼ରେ ଗଦାଇ ଦେଉଛନ୍ତି। ସେହିଭଳି ଯେଉଁ ଉଦ୍ଦେଶ୍ୟ ନେଇ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏମ୍ସିସି ପରିଚାଳନା ଦାୟିତ୍ବ ଦିଆଯାଇଛି, ତାହା ମଧ୍ୟ ଶତପ୍ରତିଶତ ପୂରଣ ହୋଇନାହିଁ। ଏସ୍ଏଚ୍ଜିଗୁଡ଼ିକ କମ୍ପୋଷ୍ଟ ପ୍ଳାଣ୍ଟର ପରିଚାଳନା ଦାୟିତ୍ବ ନେଇଥିଲେ ହେଁ ଠିକାରେ କାମ ଦେଇ ଲାଭ ଖାଉଛନ୍ତି।
ବିଡ଼ମ୍ବନାର ବିଷୟ ବିଏମ୍ସି କାହିଁକି ସ୍ବଚ୍ଛ ସର୍ବେକ୍ଷଣରେ ଭଲ ରୢାଙ୍କ ପାଉନି ତାହାକୁ କେହି ସମୀକ୍ଷା କରୁନାହାନ୍ତି। ବରଂ ଗତ ଥର ତୁଳନାରେ ଭଲ ରୢାଙ୍କ ମିଳିଛି କହି ଛାତି ଫୁଲାଇ ବୁଲୁଛନ୍ତି।