ଭୁବନେଶ୍ୱରରେ ମିଠା ଦୋକାନୀଙ୍କୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହତ୍ୟା, ପୂର୍ବ ଶତ୍ରୁତା ସନ୍ଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ଦ୍ୱିପ୍ରହରରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ଜଣେ ମିଠା ଦୋକାନୀଙ୍କୁ ରାସ୍ତା ଉପରେ ଗୋଡ଼େଇ ଗୋଡେଇ ମାରଣାସ୍ତ୍ର ଦ୍ୱାରା ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାରୀର ଉଗ୍ର ରୂପ ଦେଖି ପ୍ରତ୍ୟକ୍ଷଦର୍ଶୀ ଥରି ଉଠିଛନ୍ତି।ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

Photo: Bibhuti Sahoo

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟାରେ ସାମନ୍ତରାପୁରସ୍ଥିତ ଦୁର୍ଗାମଣ୍ଡପ ନିକଟରେ ମିଠା ଦୋକାନୀଙ୍କୁ ହତ୍ୟା କରିଥିଲେ ଅନ୍ୟ ଜଣେ ମିଠା ଦୋକାନୀ। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏକ ମିଠା ଦୋକାନ କରିଥିଲେ। ହତ୍ୟାକାରୀଙ୍କର ମଧ୍ୟ ଏକ ମିଠା ଦୋକାନ ଅଛି। କରୋନା ଭାଇରସ୍‌ ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସରେ ମିଠା ଦୋକାନ ବନ୍ଦ ହୋଇଯାଇଥିଲା। କରୋନା କଟକଣା କୋହଳ ହେବା ପରେ ଉଭୟ ପୁଣି ନିଜ ନିଜର ମିଠା ଦୋକାନ ଖୋଲିଥିଲେ।

Photo: Bibhuti Sahoo

ତେବେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ସାମନ୍ତରାପୁର-ପୁରୀ ରାସ୍ତାକୁ ବନ୍ଦ କରି ଦେଇଛନ୍ତି। ଉତ୍ତେଜିତ ଲୋକେ ଟାୟାର ଜାଳି ଘଟଣାକୁ ନେଇ ତୀବ୍ର ବିରୋଧ କରିଛନ୍ତି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଖବର ପାଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି। ପୁଲିସ ମୃତଦେହ ଜବତ କରିଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର