କାର୍‌ ଧକ୍କାରେ ଯୁବତୀ ଗୁରୁତର, ଚାଳକକୁ ଉଦ୍ଧାର କରିବାରୁ ପୁଲିସ୍‌କୁ ଟେକା ମାଡ଼

ଓମ୍‌ଫେଡ୍‌ ବସ୍ତିରେ ଉତ୍ତେଜନା

ଚନ୍ଦ୍ରଶେଖରପୁର : କାର୍‌ ଧକ୍କାରେ ଜଣେ ଯୁବତୀ ଆହତ ହେବା ଘଟଣାକୁ କେନ୍ଦ୍ର କରି ଆଜି ରାତି ପ୍ରାୟ ସାଢ଼େ ୮ଟାରେ ନୀଳାଦ୍ରିବିହାର ଓମ୍‌ଫେଡ୍‌ ବସ୍ତିରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ଚାଳକ ଓ କାର୍‌ରେ ଥିବା ଜଣେ ଯୁବତୀଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌କୁ ମଧ୍ୟ ଟେକା, ପଥର ମାଡ଼ କରିଛନ୍ତି। ଏଥିରେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ପରିସ୍ଥିତି ଅଣାୟତ୍ତ ହେବାରୁ ଦୁଇ ପ୍ଲାଟୁନ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ପରେ ପୁଲିସ୍‌ କାର୍‌ ଚାଳକ ଓ ଯୁବତୀଙ୍କୁ ଥାନାକୁ ନେବା ସହ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିଛି।

ଅପରପକ୍ଷେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବତୀଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ହେଲେ, କୋଣାର୍କ କାକଟପୁରର ଶୁଭସ୍ମିତା ସ୍ବାଇଁ(୨୬)।

ପୁଲିସ୍‌ ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ୮ଟା ବେଳେ ଜଣେ ଯୁବକ ଓ ଯୁବତୀ ଏକ କାର୍‌ରେ ଦ୍ରୁତ ଗତିରେ ଶୈଳଶ୍ରୀବିହାର ଦିଗରୁ ଉତ୍କଳ ହସ୍ପିଟାଲ୍ ଦିଗକୁ ଯାଉଥିଲେ। ଏହି ସମୟରେ ରାସ୍ତା ପାର୍‌ ହେଉଥିବା ଶୁଭସ୍ମିତାଙ୍କୁ କାର୍‌ଟି ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଶୁଭସ୍ମିତା ପାଖାପାଖି ୫ ଫୁଟ୍‌ ଉପରକୁ ଉଠି ଯାଇ ଡିଭାଇଡର୍‌ରେ ପିଟି ହୋଇଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିବା ସହ କାର୍‌କୁ ଅଟକାଇଥିଲେ। ବସ୍ତିରେ ଦ୍ରୁତ ଗତିରେ କାର୍‌ ଚଳାଉଥିବା ଅଭିଯୋଗ କରି ବସ୍ତିବାସିନ୍ଦା ପାଟିତୁଣ୍ଡ କରିବା ସହ କାର୍‌ ଭିତରୁ ଉଭୟ ଯୁବକ ଓ ଯୁବତୀଙ୍କୁ ବାହାରକୁ ଘୋଷାରି ଆଣିଥିଲେ। ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ଟଣାଓଟରା କରି ମାଡ଼ ମାରୁଥିବା ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ଏଥି‌ରେ ଅସନ୍ତୋଷ ପ୍ରକାଶ କରି ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଉପରକୁ ଟେକା, ପଥର ମାଡ଼ କରିଥିଲେ।

ସମ୍ବନ୍ଧିତ ଖବର