ନୂଆବର୍ଷରୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଏମ୍‌ସ, ଓପିଡି ଓ ଆଇପିଡିରେ ଥିବା ରୋଗୀ କଟକଣା ହଟିବ

କମିଲାଣି କରୋନା ଚିକିତ୍ସିତଙ୍କ ସଂଖ୍ୟା

ଭୁବନେଶ୍ବର: ଆସନ୍ତା ନୂଆବର୍ଷରୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ଏମ୍‌ସ। କୋଭିଡ୍ ପାଇଁ କଟକଣା ଭିତରେ ଚାଲୁଥିବା ଆଇପିଡି, ଅସ୍ତ୍ରୋପଚାର ଇତ୍ୟାଦି ଜାନୁଆରି ପହିଲାରୁ ସବୁ ରୋଗୀମାନଙ୍କ ପାଇଁ ଖୋଲିବ। ଫଳରେ ଏମ୍‌ସ ଭଳି ଜାତୀୟସ୍ତରୀୟ ଅନୁଷ୍ଠାନରେ ରୋଗୀମାନେ ଆବଶ୍ୟକ ସେବା ପାଇପାରିବେ। ରାଜ୍ୟରେ ମାର୍ଚରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ପରବର୍ତୀ ସମୟରେ ରାଜ୍ୟ ତଥା ରାଜଧାନୀରେ ହୁ’ ହୁ’ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଏମ୍‌ସ‌ର ବହୁ ସଂଖ୍ୟାରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସଂକ୍ରମିତ ହୋଇଥିଲେ। ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ବାଧ୍ୟ ହୋଇ ଏମ୍‌ସ କର୍ତୃପକ୍ଷ ଜୁଲାଇ ୧୦ ତାରିଖରୁ ଓପିଡି ବା ବହିର୍ବିଭାଗକୁ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନେଇଥିଲେ। କେବଳ ଡେ’ କେୟାର ସହିତ ରେଡିଓଥେରାପି, ଡାଏଲିସିସ୍, ଟ୍ରମା ଓ ଜୁରୀକାଳୀନ ସେବା ଜାରି ରହିଥିଲା। ତେବେ ଅକ୍ଟୋବର ମାସରେ ରାଜଧାନୀରେ ସଂକ୍ରମଣ ହ୍ରାସ ପାଇବା ପରେ ନଭେମ୍ବର ୨ ତାରିଖରୁ ଓପିଡିକୁ ପୁନର୍ବାର ଖୋଲା ଯାଇଥିଲା। ସପ୍ତାହ ପର୍ଯ୍ୟନ୍ତ ସବୁ ବିଭାଗରେ ୩୦ଜଣ ରୋଗୀ ଓ ପରେ ଦିନକୁ ୫୦ଜଣ ରୋଗୀଙ୍କ ଚିକିତ୍ସା ପାଇଁ ଅନୁମତି ଦିଆଯାଇଥିଲା।

ରାଜଧାନୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଏବେ ଦିନକୁ ସଂକ୍ରମିତଙ୍କ ସଂଖ୍ୟା ୩୦-୪୦ ଭିତରେ ସୀମିତ ରହୁଛି। ତେଣୁ ଏମ୍‌ସ ଓପିଡିରେ ଦୈନିକ ଶହେରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଉଛି। ଆଇପିଡିରେ ଆଡମିସନ୍ ୫୦ ପ୍ରତିଶତରୁ କମ୍ ରହିଛି। ନୂଆବର୍ଷ ପରେ ରୋଗୀ ଚିକିତ୍ସାରେ କୌଣସି ପ୍ରକାର କଟକଣା ରହିବ ନାହିଁ ବୋଲି ଏମ୍‌ସ ସୂତ୍ରରୁ ଜଣାପଡ଼ିଛି। ଏହାସହ ଓପିଡିକୁ ଆସୁଥିବା ରୋଗୀଙ୍କ ପାଇଁ କୋଭିଡ୍‌ ପରୀକ୍ଷା କଟକଣା ନାହିଁ। ହେଲେ ଆଡମିସନ୍ ପାଇଁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ତେବେ ଜାନୁଆରି ଶେଷ ଆଡ଼କୁ ଅସ୍ତ୍ରୋପଚାର ସଂପୂର୍ଣ୍ଣ ଭାବେ ନିୟମିତ ହେବ ବୋଲି ଏମ୍‌ସ ସୂତ୍ରରୁ ସୂଚନା ମିଳିଛି।

ଅପରପକ୍ଷରେ ଏମ୍‌ସରେ ଚାଲୁଥିବା କୋଭିଡ୍‌ କେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଏବେ ଦୈନିକ ୪/୫ ଆକ୍ରାନ୍ତ ଆସୁଥିବା ଜଣାପଡ଼ିଛି। ଏମ୍‌ସର କୋଭିଡ୍‌ ୱାର୍ଡରେ ଏବେ ୧୫ଜଣ ସଂକ୍ରମିତ ଆଡମିଟ୍‌ ଥିବା ବେଳେ ତହିଁରୁ ୫ଜଣ ଭେଣ୍ଟିଲେଟରରେ ଅଛନ୍ତି। ମାତ୍ର କୋଭିଡରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ଏମ୍‌ସରେ ସ୍ବତନ୍ତ୍ର ଭାବେ କୋଭିଡ ପରବର୍ତୀ କ୍ଲିନିକ୍ ଖୋଲାଯାଇ ନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର