ବାଣୀବିହାରରେ ହେବ ଡେ’ କେୟାର ସେଣ୍ଟର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରତିଷ୍ଠା ହେବ ଡେ’ କେୟାର ସେଣ୍ଟର(କ୍ରେଚ୍‌)। ଏହି କେନ୍ଦ୍ର ମା’ମାନଙ୍କୁ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଶ୍ବବିଦ୍ୟାଳୟର ମହିଳା ଅଧ୍ୟୟନ ସ୍କୁଲ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପ୍ରଫେସର ଆଚାର୍ଯ୍ୟ ଚଳିତ ବର୍ଷର ଥିମ୍‌ ‘ମହିଳା ନେତୃତ୍ବ: କୋଭିଡ୍‌-୧୯ ଦୁନିଆରେ ସମାନତାର ଭବିଷ୍ୟତ’ ଉପରେ ବକ୍ତବ୍ୟ ରଖି କହିଲେ ଏହି ପଦକ୍ଷେପ କ୍ୟାମ୍ପସରେ ଲିଙ୍ଗଗତ ସମାନତା ଆଣିବା ନିମନ୍ତେ ଏକ ଉଦ୍ୟମ। ସମାଜରେ ପୂର୍ବରୁ ରହିଥିବା ଲିଙ୍ଗଗତ ପାର୍ଥକ୍ୟକୁ ଏହି ମହାମାରୀ ବ୍ୟାପକ କରିଛି। ତେବେ ଏହା ଆମକୁ ମହିଳା ନେତୃତ୍ୱର ଶକ୍ତି ମଧ୍ୟ ଦେଖାଇଛି ବୋଲି କହିଥିଲେ। ଅକ୍ସଫାମ୍‌ ଇଣ୍ଡିଆର ଆଞ୍ଚଳିକ ପରିଚାଳକ ଅକ୍ଷୟ ବିଶ୍ୱାଳ ଯୋଗଦେଇ କେବଳ ଉତ୍ସବ ପାଳନ ନ କରି ସାମାଜିକ ମନୋଭାବ, ସ୍ଥିତିକୁ ଆହ୍ବାନ କରିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ସ୍କିଟ୍ ପ୍ରତିଯୋଗିତା, ମହିଳା ଅଧିକାର ଉପରେ ନାଟକ, ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆଦି ଆୟୋଜିତ ହୋଇଥିଲା। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ନବନୀତା ରଥ ଅଧିବେଶନ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର