ସାରା ଭାରତରେ ଖୁସି ବାଣ୍ଟୁଛି ଦାନ ଉତ୍ସବ

ଭୁବନେଶ୍ବର: ଦାନ ଉତ୍ସବ ଅବସରରେ ବକୁଳ ଫାଉଣ୍ଡେସନର ୩୦୦ ସ୍ବେଚ୍ଛାସେବୀ ଭୁବନେଶ୍ବରର ୫୦ରୁ ଅଧିକ ବସ୍ତି ଅଞ୍ଚଳରେ ଖେଳ, ନାଚଗୀତ, ହସ୍ତଶିଳ୍ପ କାରିଗରି ଆଦି ବିଭିନ୍ନ ଉପାୟରେ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଖୁସି ବାଣ୍ଟିଥିଲେ। ନାଲକୋର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ଓ ୧୩ ବର୍ଷୀୟ ନିଖାର ସୋମାନି ଛୋଟପିଲାଙ୍କ ସହ ବଲ୍ ଖେଳୁଥିବା ଦୃଶ୍ୟ ସମସ୍ତଙ୍କୁ ଉତ୍ସାହିତ କରିଥିଲା। ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟା ଚୌଧୁରୀ ମଧ୍ୟ ଏହି ଉତ୍ସବରେ ଯୋଡ଼ି ହୋଇ ଛୋଟ ପିଲାଙ୍କୁ କାହାଣୀ ଶୁଣାଇ ଉତ୍ସାହିତ କରିଥିଲେ। କେବଳ ଏତିକି ନୁହେଁ ଯେଉଁ ପିଲାମାନେ ବକୁଳ ଲାଇବ୍ରେରିରେ ଆସି ୧୦ଟି ଲେଖାଏ ବହି ପଢିବେ ସେମାନଙ୍କୁ ବକୁଳ ପକ୍ଷରୁ ପୁରସ୍କୁତ କରାଯିବ। ଏହାଦ୍ବାରା ପିଲାଙ୍କର ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି କହିଛନ୍ତି ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର।

ଏପଟେ କଳାହାଣ୍ଡି ଜିଲ୍ଲା ଭାନୁପୁରବାସୀ ଜଗଦୀଶ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ଝିଅ ନିଜକୁ ଦାନ ଉତ୍ସବ ପରମ୍ପରାରେ ସାମିଲ କରି ୪୦ଟି ପରିବାର ମୁହଁରେ ହସ ଫୁଟାଇଛନ୍ତି। ଆଖପାଖ ଅଞ୍ଚଳରେ ତମ୍ବୁ ତଳେ ଜୀବନ ବିତାଉଥିବା ୫୦ ଜଣ ଯାଯାବର ସମ୍ପ୍ରଦାୟ ଛୁଆଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିଥିଲେ ଶ୍ରୀ ପ୍ରଧାନଙ୍କ ସାନ ଝିଅ। ସେହିପରି ପୁରୀରେ ରକ୍ତଦାନ କରି ଦାନ ଉତ୍ସବ ପାଳନ କରିଛି ମିସନ ଓଡ଼ିଶା। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ ଯୋଗଦେଇ ୩୩ ଜଣ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସଂଯୋଜନାରେ ଝଣ୍ଡୁ ଫାର୍ମାସି ସହଯୋଗରେ ୬୫ ଜଣଙ୍କର ମାଗଣା ବୋନ୍ ମିନେରାଲ ଡେନସିଟି ମଧ୍ୟ ଟେଷ୍ଟ କରାଯାଇଥିଲା ବୋଲି କହିଛନ୍ତି ମିସନ ଓଡ଼ିଶାର ମଧୁସୂଦନ ମିଶ୍ର। ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାର ନାଗରିକ ହାଟ ମଞ୍ଚ ପକ୍ଷରୁ ଆଦିବାସୀ ସମ୍ପ୍ରଦାୟର ୨୦୦ ବୟସ୍କଙ୍କୁ ନିମନ୍ତ୍ରଣ କରି ପ୍ରତ୍ୟେକଙ୍କୁ ନୂତନ ବସ୍ତ୍ର ଉପହାର ଦିଆଯାଇଥିଲା।। ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। କେବଳ ଏତିକି ନୁହେଁ, ବ୍ୟବହାର ଉପଯୋଗୀ କିଛି ପୁରୁଣା ବସ୍ତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ଚଳିତ ଦାନ ଉତ୍ସବ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାପାଳ ଓ କୋଟ୍ଟମରେ ୨ଟି ଲାଇବ୍ରେରି ପ୍ରତିଷ୍ଠା ପାଇଁ ପ୍ରୟାସ ଆରମ୍ଭ କରିଛି ବିଶ୍ବ ଓଡ଼ିଶା। ଲୋକଙ୍କ ପାଖରୁ ପୁରୁଣା ଓ ଲାଇବ୍ରେରି ଉପଯୋଗୀ ବହି ଓ ଅନ୍ୟାନ୍ୟ ଅଧ୍ୟୟନ ସାମଗ୍ରୀ ସଂଗ୍ରହ କରାଯାଉଛି। ଏଥିସହ ଲାଇବ୍ରେରି ପାଇଁ ଆବଶ୍ୟକ ଉପକରଣ ଯଥା ଟେବୁଲ, ଚେୟାର, ଆଲମିରା, କାରପେଟ୍, ପଙ୍ଖା ଆଦି ମଧ୍ୟ ଯୋଗାଡ଼ କରାଯାଉଛି। ଲାଇବ୍ରେରି ପ୍ରତିଷ୍ଠା ପାଇଁ ଓଡ଼ିଶା ବୁକ୍ ଟ୍ରଷ୍ଟ ସହାୟତାର ହାତ ବଢାଇଛି।

ସେହିପରି ଗଁଦିଆର ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ଗରିବ ଛାତ୍ରଛାତ୍ରୀଙ୍କ ଜେଜେ ବାପା ଓ ମା’ମାନଙ୍କୁ ଇନରହ୍ବିଲ କ୍ଲବ୍ ପକ୍ଷରୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଥିଲା। ଦିଲ୍ଲୀ ପବ୍ଲିକ୍ ସ୍କୁଲ ଢେଙ୍କାନାଳ ପକ୍ଷରୁ ଦାନ ଉତ୍ସବ ପାଳନ କରାଯିବା ସହ ସମସ୍ତ କର୍ମଚାରୀଙ୍କ ସହଭାଗିତା ପାଇଁ ପ୍ରଶଂସା କରାଯିବା ସହ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା। ରାଉରକେଲାର ପ୍ରଦୀପ ଦାନ ଉତ୍ସବ ଉପଲକ୍ଷେ ଗ୍ରିନ ଆଣ୍ଡ କ୍ଲିନ୍ ଅଭିଯାନ ଆରମ୍ଭ କରିଥିଲେ। ଢେଙ୍କାନାଳର ସିଆରିୟାରେ ଶହେଟି ଫଳ ଗଛ ଲଗାଇବା ସହ ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ସଫେଇ କରିଥିଲେ। ସେ ଜଣେ ଡେଙ୍ଗୁ ରୋଗୀଙ୍କୁ ରକ୍ତ ଦେଇ ଦାନ ଉତ୍ସବରେ ସାମିଲ ହୋଇଥିବାରୁ ଖୁସି ଅନୁଭବ କରିଥିଲେ। ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳ ସୀମାନ୍ତ ମାଓ ଅଞ୍ଚଳ କଣ୍ଡାର ଉପତ୍ୟାକାରେ ବି ଦାନ ଉତ୍ସବ ପାଳନ କରାଯାଇଛି। ସଂସ୍କାର ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ଓ କର୍ମଚାରୀ ଛୋଟଛୋଟ ପିଲାଙ୍କୁ ଶିକ୍ଷା ଉପକରଣ, ଖାଦ୍ୟ ସାମଗ୍ରୀ ଆଦି ବଣ୍ଟନ କରିଥିଲେ। ମହିଳାଙ୍କ ପାଇଁ ନୂତନ ବସ୍ତ୍ର ଆଦି ମଧ୍ୟ ସଂସ୍କାର ଜୟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ବଣ୍ଟନ କରାଯାଇଥିଲା। ସେହିପରି ବ୍ୟକ୍ତିଗତ ସ୍ତରରେ ଦାନ ଉତ୍ସବରେ ଅନନ୍ୟ ଉଦାହରଣ ପାଲଟିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ତଥା ପ୍ରଫେସର ମଳୟ ପତି। ସେ ଉପାନ୍ତ ଅଞ୍ଚଳରେ ଏକ ସିବିଏସଇ ସ୍କୁଲ ପ୍ରତିଷ୍ଠା କରିଥିବା ବେଳେ ସ୍କୁଲର ସମସ୍ତ ତଳ ଶ୍ରେଣୀର କର୍ମଚାରୀଙ୍କୁ ୭୫୦ ଟଙ୍କାର ଏକ କୁପନ୍ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର