ବିଶ୍ବାସ-ଅନ୍ଧବିଶ୍ବାସର ଖେଳ : ହାତଛୁଆଁରେ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ଆଶାରେ ଲମ୍ବାଧାଡ଼ି

ମାଘମେଳା ଆରମ୍ଭ ହେବା ପରେ ଗଣମାଧ୍ୟମରେ ପ୍ରଚାର ହୋଇ ଯାଇଥିଲା ଯେ ମେଳାକୁ ଆସିଥିବା ନାଗା ସନ୍ନ୍ୟାସୀ ମହନ୍ତ ମୋହନ ଗିରି ଜଣେ ଆୟୁର୍ବେଦିକ ଡାକ୍ତର। ତାଙ୍କ ହାତଛୁଆଁରେ ଦୁରାରୋଗ୍ୟ ବ୍ୟାଧିରୁ ବି ମୁକ୍ତି ମିଳିଯିବ। ବାସ୍‌, ଏହାପରଠୁ ବାବାଙ୍କ ନିକଟରେ ଲାଗି ଯାଇଥିଲା ଲୋକଙ୍କ ଭିଡ଼। ଖାଲି ରାଜଧାନୀ ନୁହେଁ; ଜଟଣୀ, ଖୋର୍ଧା, ନୟାଗଡ଼ ଏପରିକି ସୁଦୂର କଳାହାଣ୍ଡି ଓ ବରଗଡ଼ରୁ ମଧ୍ୟ ଲୋକ ଧାଇଁ ଆସିଥିଲେ। କିଏ ନିଜର କିମ୍ବା ନିଜର ଭିନ୍ନକ୍ଷମ ଶିଶୁଙ୍କୁ ସୁସ୍ଥ କରାଇବା ପାଇଁତ କିଏ କିଡନି, ମଧୁମେହ, କର୍କଟ ଭଳି ରୋଗରୁ ଉପସମ ପାଇଁ ବାବାଙ୍କ ପାଖରେ ଭିଡ଼ ଜମାଇଥିଲେ। ଏପରିକି ନବଜାତ ଶିଶୁକୁ ନେଇ କିଛି ଭକ୍ତ ବାବାଙ୍କ ଆଶୀର୍ବାଦ ଲାଗି ଘଣ୍ଟା ଘଣ୍ଟା ଖରାରେ ଠିଆ ହୋଇ ରହୁଥିଲେ। ଏହା ମୂଳରେ ଥିଲା ଲୋକଙ୍କ ଧାର୍ମିକ ବିଶ୍ବାସ। ବାବା ଜଣେ ଆୟୁର୍ବେଦିକ ଡାକ୍ତର ହେବା ସହିତ ନାଗା ସନ୍ନ୍ୟାସୀ ହୋଇଥିବାରୁ ତାଙ୍କ ବିଭୂତିରେ ସବୁରୋଗ ଭଲ କରି ଦେଇପାରିବେ ବୋଲି କିଛି ଲୋକଙ୍କ ଭି‌ତରେ ଦୃଢ଼ ବିଶ୍ବାସ ଜନ୍ମିଥିଲା। ସବୁଆଡ଼ୁ ନିରାଶ ହୋଇଥିବା ଲୋକେ ତାଙ୍କ ପାଖରେ ଆଶାର କିରଣ ଦେଖୁଥିଲେ। ଏପରିକି ବାବା ଅଚାନକ ୪/୫ ଘଣ୍ଟା ଅନ୍ତର୍ଧାନ ହୋଇ ଯାଉଥିଲେ ବି ସାଧାରଣ ଡାକ୍ତରଖାନାର ରୋଗୀଙ୍କ ଭଳି ଉତ୍ତେଜିତ ନ ହୋଇ ଶାନ୍ତ ଭାବେ ତାଙ୍କୁ ଅପେକ୍ଷା କରି ରହୁଥିଲେ।

ବୁଧବାର ବାବାଙ୍କ ପାଖକୁ ଆସିଥିବା ଏମିତି କିଛି ରୋଗୀଙ୍କ ମଧ୍ୟରେ ଏକ ଦମ୍ପତି ହେଲେ ବଳରାମ ଓ ମଞ୍ଜୁଲତା। ବୟସ ୭୦ ଅତିକ୍ରମ କରି ସାରିଛି। ସ୍ବାସ୍ଥ୍ୟ ଭଲ ରହୁନଥିବାରୁ ଚିକିତ୍ସା ପାଇଁ ଦୌଡ଼ି ଆସିଥି‌ଲେ ବାବାଙ୍କ ପାଖକୁ। ସକାଳ ୯ଟାରୁ ଧାଡ଼ି ଲଗାଇଥିଲେବି ୨ଟା ପର୍ଯ୍ୟନ୍ତ ତାଙ୍କ ପାଳି ପଡ଼ିନଥିଲା। ସେଥିରେ ପୁଣି ଅଚାନକ ବାବା କୁଆଡ଼େ ଅନ୍ତର୍ଧାନ ହୋଇଗଲେ। ବାର୍ଧକ୍ୟ ଓ ଭଗ୍ନସ୍ବାସ୍ଥ୍ୟ ଯୋଗୁଁ ମଞ୍ଜୁଲତା ଛିଡ଼ା ବି ହୋଇ ପାରୁନଥିଲେ। ସେହିପରି ବଡ଼ଗଡ଼ରୁ ଆସିଥିବା ବିନୋଦିନୀ ନାଏକ(୫୧) କହନ୍ତି; ତାଙ୍କର ଆଜମା ଲକ୍ଷଣ ଦେଖାଦେଇଛି। ତଳି ପେଟ ପୋଡ଼ୁଛି, ଉଭୟ ସରକାରୀ ଏବଂ ଘରୋଇ ଡାକ୍ତରଙ୍କୁ ଦେଖାଇବା ସହିତ ସ୍ବାସ୍ଥ୍ୟ ପରୀକ୍ଷା ପରେବି କିଛି ବାହାରିଲା ନାହିଁ। ତେଣୁ ସେ ନାଗା ସନ୍ନ୍ୟାସୀଙ୍କୁ ଦେଖାଇଲେ କିଛି ହେବ ବୋଲି ଚାଲି ଆସିଛନ୍ତି। ଯେତେ ଘଣ୍ଟା ଲାଗିଲେ ବି ଏଠାରେ ଅପେକ୍ଷା କରି ରହିବେ ବୋଲି କହିଛନ୍ତି। ନୟାଗଡ଼ର ଜଣେ ବ୍ୟକ୍ତି କଥା କହି ପାରୁ ନ ଥିବା ନିଜର ୬ ବର୍ଷର ଭିନ୍ନକ୍ଷମ ଝିଅଙ୍କୁ ଧରି ଆସିଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ଝିଅର ଅବସ୍ଥାରେ ଉନ୍ନତି ହୋଇଛି। ତେବେ ଭଲ ହେବାକୁ ସମୟ ଲାଗୁଥିବାରୁ ଅଲୌକିକତାର ଆଶାରେ ସେ ଏଠାକୁ ଚାଲି ଆସିଥିବା କହିଥିଲେ।

ଜଣେ ମାନସିକ ଭିନ୍ନକ୍ଷମ ବାଳକ ଭୋକଶୋଷରେ ଘଣ୍ଟାଘଣ୍ଟା ଧରି ବାବା ଅପେକ୍ଷା କରି ବ୍ୟସ୍ତ ହୋଇ ପଡ଼ି ଘରକୁ ଯିବା ପାଇଁ ମା’ଙ୍କୁ ଅଳି କରୁଥିବା ଦେଖିବାକୁ ମିଳିଥିଲା। ମା କିନ୍ତୁ ପୁଅକୁ ପୁଅକୁ ବାବାଙ୍କୁ ନ ଦେଖାଇଲେ ସ୍ଥାନ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। କିଛି ଦିନ ପୂର୍ବରୁ କିଡନି ରୋଗରେ ପୀଡ଼ିତ ଜଣେ ବ୍ୟକ୍ତି ସୁସ୍ଥ ହେବା ଆଶାରେ ବାବାଙ୍କ ପାଖକୁ ଆସିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ସେ କିଛି କରିପାରିବେ ନାହିଁ ବୋଲି ବାବା ତାଙ୍କୁ ଜଣାଇ ଦେଇଥିଲେ।

ସମ୍ବନ୍ଧିତ ଖବର