ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୫ ହଜାର ଟପିଲା; ଦିନକରେ ୩୪୫ ପଜିଟିଭ୍, ୪୧୨ ସୁସ୍ଥ

ଭୁବନେଶ୍ବର: ରାଜଧାନୀରେ କରୋନାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୫ହଜାର ଟପିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ୪୧୨ ଆକ୍ରାନ୍ତ ସୁସ୍ଥ ହେବା ପରେ ଏହି ସଂଖ୍ୟା ୧୫‌,୩୫୪ରେ ପହଞ୍ଚିଛି। ଏବେ ୩୮୦୬ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଅପରପକ୍ଷ‌ରେ ରାଜଧାନୀରେ ସଂକ୍ରମଣ ପୂର୍ବଭଳି ୩ଶହ ସଂଖ୍ୟା ଅତିକ୍ରମ କରିଛି। ଦିନକରେ ରାଜଧାନୀରେ ୩୪୫ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୨୪୩ରେ ପହଞ୍ଚିଛି, ଯାହାକି ଖୋର୍ଧା ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟାର ପ୍ରାୟ ୬୦ ପ୍ରତିଶତ।

ଚିହ୍ନଟ ୩୪୫ ଆକ୍ରାନ୍ତଙ୍କ ମଧ୍ୟରେ ୧୦୧ ସଙ୍ଗରୋଧରୁ ଓ ୨୪୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ସହିଦ ନଗର, ୟୁନିଟ-୯, ଭିଏସ୍‌ଏସ୍‌ ନଗର, ୟୁନିଟ-୭, ମା’ ମଙ୍ଗଳା ବସ୍ତି, ଲକ୍ଷ୍ମୀବିହାର, ଲକ୍ଷ୍ମୀସାଗର, କଳିଙ୍ଗ ନଗର, ଜଳେଶ୍ବର କଲୋନି, ଗଜପତି ନଗର, ଗାଡ଼କଣ, ଚନ୍ଦ୍ରଶେଖରପୁର, ସିଆରପିଏଫ୍ କ୍ୟାମ୍ପସ୍‌ରୁ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି। ସେହିପରି ସ୍ଥାନୀୟ ସଂକ୍ରମିତରେ ଲକ୍ଷ୍ମୀସାଗରରୁ ୧୩, ୟୁନିଟ୍‌-୮ରୁ ୭, ଶୈଳଶ୍ରୀ ବିହାରରୁ ୯ଜଣ, ସୁନ୍ଦରପଦାରୁ ୬, ନୂଆପଲ୍ଲୀ ୪, ବେହେରା ସାହିରୁ ୫, ବମିଖାଲ, ଭୋଇନଗର, ଭୀମପୁର, ଜଗନ୍ନାଥ ନଗର, ହଂସପାଳ, ଗୋଠପାଟଣା, ଆଇଆରସି ଭିଲେଜ ଆଦି ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମ୍‌ସରୁ ୭ଜଣ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଆଜି ରାଜଧାନୀରେ ଜଣେ ୯୦ବର୍ଷର ବୃଦ୍ଧ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର