ଟଙ୍କା ଅଭାବରୁ ହୋଇପାରୁନି ଅପରେସନ୍‌, ୯ବର୍ଷ ହେଲା ପୁଅ ଶଯ୍ୟାଶାୟୀ

ଭୁବନେଶ୍ବର: ଦିନେ କି ଦୁଇ ଦିନ ନୁହେଁ। ଦୀର୍ଘ ୯ ବର୍ଷ ଧରି ବେଡ୍‌ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଯୁବକ। ଟଙ୍କା ଅଭାବରୁ ପୁଅର ଅପରେସନ କରିନପାରି ଅନବରତ ଲୁହ ଢାଳୁଛନ୍ତି ଯୁବକଙ୍କ ବୃଦ୍ଧ ପିତାମାତା। ଯେଉଁ ବୟସରେ ରୋଜଗାର କରି ବୃଦ୍ଧ ମା’ ବାପାଙ୍କ ସାହାରା ହୋଇଥାଆନ୍ତେ ସେ ବୟସରେ ସେ ପରିବାର ପାଇଁ ପାଲଟିଛନ୍ତି ସବୁଠୁ ବଡ଼ ଦୁଃଖ। ଅପରେସନ ପାଇଁ ସେ ତହସିଲଦାରଙ୍କଠୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହୋଇଛନ୍ତି। ମାତ୍ର ଲୁହରେ ଭିଜୁଥିବା ଏ ପରିବାର ପାଇଁ ନା କୌଣସି ବଦାନ୍ୟ ବ୍ୟକ୍ତି ଆଗେଇ ଆସିଛନ୍ତି ନା ସରକାର ସାହା ହୋଇଛନ୍ତି। ଏହି ଶଯ୍ୟାଶାୟୀ ଯୁବକ ହେଲେ ପିପିଲି ଦୁର୍ଗାଦାସପୁର ପଞ୍ଚାୟତସ୍ଥିତ ଠଣଠଣା ଗ୍ରାମର ତରୁଣ କୁମାର ଡଗରା(୩୦)। ମେରୁଦଣ୍ଡ ରୋଗରେ ଜର୍ଜରିତ ହୋଇ ଟଙ୍କା ଅଭାବରୁ ମୃତ୍ୟୁ ଆଡ଼କୁ ଠେଲି ହୋଇଯାଉଥିଲେ ହେଁ ସମସ୍ତେ ଯେମିତି ତାଙ୍କ କ୍ଷେତ୍ରରେ ବଧିର ପାଲଟି ଯାଇଛନ୍ତି।

୨୦୧୧ ମସିହା ଜାନୁଆରି ୪ର ସକାଳ ତରୁଣଙ୍କ ପରିବାରର ସବୁ ସୁଖ ଛଡ଼ାଇ ନେଇଥିଲା। ପଇଡ଼ ଖାଇବେ ବୋଲି ତରୁଣ ନଡ଼ିଆ ଗଛ ଉପରକୁ ଚଢ଼ିଗଲେ। ବିନା ଦୌଡ଼ିରେ ସିନା ଚଢ଼ିଗଲେ, କିନ୍ତୁ ଅଧାରୁ ହାତ ଖସିଗଲା। ତଳେ କଚାଡ଼ି ହୋଇ ପଡ଼ିଲେ। ଏହା ଜାଣି ତରୁଣଙ୍କ ବାପା ଶରତ ଓ ମା’ ପ୍ରମିଳା ଡଗରା (ଦୁହେଁ ହୃଦରୋଗୀ) ତାଙ୍କୁ କଟକ ବଡ଼ ମେଡିକାଲ୍‌ ନେଇଗଲେ। ସେଠି ପହଞ୍ଚିବା ପରେ ମେରୁଦଣ୍ଡରେ ଅସ୍ତ୍ରୋପଚାର ପାଇଁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଲେ। ମୂଲ ଲାଗି ଚଳୁଥିବା ଶରତ ଦେଢ଼ ଲକ୍ଷ କଥା ଶୁଣି ସ୍ତବ୍ଧ ହୋଇଗଲେ। ବାପାଙ୍କର ଏପରି ଅବସ୍ଥା ଦେଖି ତରୁଣ କହିଲେ, ଅପରେସନ କରିବାନି। ତେଣୁ ୨୪ ଦିନ ପରେ ଘରକୁ ପଳେଇ ଆସିଲେ। ମାତ୍ର ଧୀରେଧୀରେ ମେରୁଦଣ୍ଡରେ ରକ୍ତ ଓ ପାଣି ଜମା ହୋଇ ଟ୍ୟୁମର ହୋଇଗଲା। ‌ଏନେଇ ଶରତ ତହସିଲଦାର, ବିଧାୟକଙ୍କୁ ପାଖକୁ ଦୌଡ଼ିଲେ। ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଜଣେଇଲେ। କିନ୍ତୁ କିଛି ଲାଭ ହେଲାନାହିଁ। ବେଡ୍‌ରେ ପଡ଼ିପଡ଼ି ଏବେ ତରୁଣଙ୍କ ଦେହ ସାରା ଘା’ ହୋଇଗଲାଣି। ମେରୁଦଣ୍ଡ ହାଡ଼ ଦୁର୍ବଳ ହୋଇଗଲାଣି। ‌ଅଣ୍ଟା ସଳଖି ବସିବାକୁ ଦମ୍ଭ ପାଉନି। ତରୁଣଙ୍କ ସାନ ଭାଇ ମୂଲ ଲାଗି ଆଣିଲେ ତାଙ୍କ ଘର ଚଳୁଛି। କିଛି ମାସ ତଳେ ଅତ୍ୟଧିକ ଯନ୍ତ୍ରଣା ହେବାରୁ ତରୁଣଙ୍କୁ ନେଇ ଏକ ଘରୋଇ ହସ୍ପିଟାଲ୍‌ରେ ପରୀକ୍ଷା କରାଇବାରୁ ଅପରେସନ ପାଇଁ ୪ଲକ୍ଷ ୨୦ ହଜାର ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି। ତେଣୁ ୨ ମାସ ହେଲା ପୁଣି ଶରତ ତହସିଲଦାରଙ୍କ ଶରଣ ପଶିଛନ୍ତି। ତହସିଲଦାର ପୁରୀ ଜିଲ୍ଲାପାଳଙ୍କୁ ଏନେଇ ଚିଠି କରୁଥିଲେ ବି ଜିଲ୍ଲାପାଳ ଏହା ଗ୍ରହଣ କରୁନଥିବା ଶରତ କହିଛନ୍ତି।

ସବୁଆଡ଼ୁ ନିରାଶ ହେବା ପରେ ଶରତ ନେହୁରା ହୋଇ ସାହାଯ୍ୟ ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ତତଃ ତାଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା ଯୋଗାଇ ଦେ‌ଲେ କେବଳ ତରୁଣଙ୍କର ଅପରେସନ ହେବ ନାହିଁ, ବରଂ ୯ ବର୍ଷ ହେଲା ପ୍ରତି କ୍ଷଣ ମରି ମରି ବଞ୍ଚୁଥିବା ପରିବାର ପୁଣି ବଞ୍ଚିବାକୁ ରାହା ପାଇଯିବ। ପରିବାରରେ ହସ ଟିକେ ପାଇଁ ବଦାନ୍ୟ ବ୍ୟକ୍ତିମାନେ ତାଙ୍କୁ ମୋବାଇଲ୍‌ ନମ୍ବର ୭୦୭୭୫୧୩୫୧୭ରେ ଯୋଗାଯୋଗ କରି ସହାୟତାର ହାତ ବଢ଼ାଇବାକୁ ୭୧ ବର୍ଷୀୟ ବୃଦ୍ଧ ବାପା ଶରତ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର