ଓଡ଼ିଶାରେ ଏଯାଏ ଦ୍ବିତୀୟ ଲହର ଆସିନି: ନୂଆ ଷ୍ଟ୍ରେନ୍ ଘାତକ ହେବ ନାହିଁ, ଟିକାକରଣକୁ ବ୍ୟ‌ାପକ କରିବାକୁ ହେବ

ଅନେକ ଦେଶରେ ଏବେ କରୋନାର ତୃତୀୟ ଓ ଚତୁର୍ଥ ଲହର ଚାଲିଛି। ଏହା ହେଉଛି ମଣିଷ ଓ ଭୂତାଣୁ ତଥା ଆଣ୍ଟିବଡି ଓ ସଂକ୍ରମଣ ମଧ୍ୟରେ ଗୋଟିଏ ଯୁଦ୍ଧ। ଯେତେବେଳେ ଆମକୁ କୌଣସି ଭୂତାଣୁ ସଂକ୍ରମଣ କରେ, ଧୀରେଧୀରେ ଆମେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଚାଲିଥାଉ। ପୂର୍ବରୁ ମଧ୍ୟ ଦେଖାଦେଇଥିବା ବିଭିନ୍ନ ମହାମାରୀ ଯଥା ପ୍ଲେଗ୍, ସ୍ପାନିସ୍ ଫ୍ଲୁ, ଏସିଆନ୍ ଫ୍ଲୁଗୁଡ଼ିକ ମଧ୍ୟ ସେତେବେଳେ ନିୟନ୍ତ୍ରଣକୁ ଆସିଥିଲା, ଯେତେବେଳେ ଆମେ ନିଜ ଦେହରେ ଅଧିକରୁ ଅଧିକ ଆଣ୍ଟିବଡି ତଥା ପ୍ରତିରୋଧକ ଶକ୍ତି ବଢ଼ାଇଥିଲୁ। ମାତ୍ର ଭାଇରସ୍ କେବେ ଦୁର୍ବଳ ହେବା ଯୋଗୁଁ ନିୟନ୍ତ୍ରଣାଧୀନ ହୋଇନାହିଁ। ଶରୀରରେ କ୍ଲିନିକାଲ୍ ଓ ସଫ୍ଟ କ୍ଲିନିକାଲ୍ ଏକ୍ସପୋଜର୍‌ରେ ଆଣ୍ଟିବଡି ତିଆରି ହୁଏ। ଟିକାକରଣ ହେଲେ, ତାହା ଶରୀରର ଆଣ୍ଟିବଡିକୁ ବଢ଼ାଇବାରେ ସାହାଯ୍ୟ କରେ। ସେରୋସର୍ଭେର ତଥ୍ୟ ମୁତାବକ, ଓଡ଼ିଶାବାସୀଙ୍କ ଦେହରେ ଭଲ ପରିମାଣର ଆଣ୍ଟିବଡି ରହିଛି। ଏପରିକି ଯେଉଁମାନଙ୍କୁ କରୋନା ହୋଇନାହିଁ, ସେମାନଙ୍କ ଶରୀରରେ ମଧ୍ୟ ୫୦ରୁ ୬୦ପ୍ରତିଶତ ଆଣ୍ଟିବଡି ରହିଛି। ଆମ ଦେଶକୁ କରୋନା ଟିକେ ଡେରିରେ ଆସିଛି। ଏବେ ଓଡ଼ିଶା ସ୍ଥିତି ଅନୁଧ୍ୟାନ କଲେ, ଦିନକୁ ୫୦ରୁ ୬୦ଟି କେସ୍ ବି ଦେଖିବାକୁ ମିଳୁନି। ମୃତ୍ୟୁ ସଂଖ୍ୟା ବି ଶୂନ ରହିଛି। ତେଣୁ ଓଡ଼ିଶାକୁ ଏଯାଏ ଦ୍ବିତୀୟ ଲହର ଆସିନି। ଦ୍ବିତୀୟ ଲହର ଆସିଲେ ବି ଆମେ ସଜାଗ ରହିଛୁ।
ନୂଆ ଷ୍ଟ୍ରେନ୍ ଘାତକ ହେବ ନାହିଁ
ପରିବର୍ତ୍ତିତ ଷ୍ଟ୍ରେନ୍‌ ମହାମାରୀର ଏକ ଅଂଶ। ଆମେ ଶତ୍ରୁକୁ ପ୍ରତିହତ କରିବା ପାଇଁ ଉଦ୍ୟମ କଲେ, ଶତ୍ରୁ ମଧ୍ୟ ଆମ ସହ ଲଢ଼ିବା ପାଇଁ ନୂଆ କୌଶଳ ଅବଲମ୍ବନ କରିଥାଏ। ତେଣୁ ଭୂତାଣୁ ମଧ୍ୟ ଜୀବିତ ରହିବା ପାଇଁ ଷ୍ଟ୍ରେନ୍‌ର ପରିବର୍ତ୍ତନ କରିଥାଏ। ଆମେ କେବଳ ୟୁକେ, ବ୍ରାଜିଲ୍, ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌କୁ ନେଇ ଚିନ୍ତା ପ୍ରକଟ କରୁଛେ। ମାତ୍ର ଗବେଷଣାରୁ ଜଣାପଡ଼ିଛି, ବର୍ତ୍ତମାନ କରୋନାର ପ୍ରାୟ ୭ହଜାର ୫ଶହ ଷ୍ଟ୍ରେନ୍ ରହିଛି। ନୂଆ ଷ୍ଟ୍ରେନ୍ ସଂକ୍ରମଣର ହାର ବଢ଼ାଇବ, ହେଲେ ଘାତକ ହେବ ନାହିଁ। ନୂଆ ଷ୍ଟ୍ରେନର ଲକ୍ଷଣ ମଧ୍ୟ ପୁରୁଣା ଷ୍ଟ୍ରେନ୍ ଭଳି। ଭୂତାଣୁ ଗୋଟେ ହୋଇଥିବାରୁ ଲକ୍ଷଣ ମଧ୍ୟ ସମାନ। କିନ୍ତୁ ପୁରୁଣା ଅପେକ୍ଷା ନୂଆ ଷ୍ଟ୍ରେନ୍ କରୋନା ସଂକ୍ରମଣ ହାରକୁ ତୀବ୍ର କରିଥାଏ। କରୋନା ବଢ଼ୁଥିବା ରାଜ୍ୟ ଅର୍ଥାତ୍ ମହାରାଷ୍ଟ୍ର, କେରଳ ଭଳି ଜାଗାରୁ ଲୋକେ ଓଡ଼ିଶାକୁ ଆସୁଛନ୍ତି। ସେଥିପାଇଁ ଆମେ ବିପଦରେ ଅଛୁ। ତେବେ ରାଜ୍ୟ ସରକାର ବାହାରୁ ଆସୁଥିବା ଲୋକଙ୍କର ଆର୍‌ଟିପିସିଆର୍ ଟେଷ୍ଟ୍ କରୁଛନ୍ତି। ମୋଟାମୋଟି କହିଲେ, ଭାରତରେ ଦ୍ବିତୀୟ ଲହର ଆରମ୍ଭ ହୋଇସାରିଛି। ଆମେ ଟିକା ନେବା ସହ ସମସ୍ତ ମାର୍ଗଦର୍ଶିକା ପାଳନ କଲେ କରୋନାକୁ ନିୟନ୍ତ୍ରଣରେ ରଖିପାରିବା।
ଟିକାକରଣକୁ ବ୍ୟ‌ାପକ କରିବାକୁ ହେବ
୧୨ମାର୍ଚ୍ଚ ସୁଦ୍ଧା ଦେଶରେ ୨.୬୨କୋଟି ଲୋକ ଟିକା ନେଇସାରିଲେଣି। ତେବେ ଆମେ ସବୁ ବେସରକାରୀ ହସ୍‌ପିଟାଲ୍‌କୁ ଟିକା ଦେବା ପାଇଁ ଅନୁମତି ଦେଲେ ଟିକାକରଣରକୁ ଆହୁରି ବ୍ୟାପକ କରିହେବ।
ଡା. ଜୟନ୍ତ ପଣ୍ଡା,
ମେଡିସିନ୍ ବିଭାଗର ମୁଖ୍ୟ, ଏସ୍‌ସିବି ମେଡିକାଲ୍ କଲେଜ

ସମ୍ବନ୍ଧିତ ଖବର