ବହୁତ ହୋଇଗଲା ଦରଦାମ ବୃଦ୍ଧି, ଏଥର ହଟିବେ ନବୀନ-ମୋଦୀ: କଂଗ୍ରେସ

ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ଯୁବ କଂଗ୍ରେସ

ଭୁବନେଶ୍ୱର: ‘ବହୁତ ହୋଇଗଲା ଦରଦାମ ବୃଦ୍ଧି, ଏଥର ହଟିବେ ନବୀନ-ମୋଦୀ’ ଏଭଳି ନାରା ଦେଇ ଅଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ହାତରେ ପ୍ଲାକାର୍ଡ ଧରି ମୋଦୀ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଏହି ଅବସରରେ ଶ୍ରୀ ଲେଙ୍କା କହିଛନ୍ତି କେନ୍ଦ୍ରର ମୋଦୀ ସରକାର ଅଚ୍ଛେ ଦିନର ସୁନେଲି ସ୍ୱପ୍ନ ଦେଖାଇ ମିଥ୍ୟା ପ୍ରତିଶ୍ରୁତି ଦେଇ ଦେଶର ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି। ଦେଶର ଗରିବ ଜନସାଧାରଣଙ୍କ ପେଟକୁ ଲାତ ମାରି ଯୁବପିଢ଼ିଙ୍କୁ ବେରୋଜଗାରର ରାସ୍ତାକୁ ଠେଲି ଦେଇ ମୋଦୀ ସରକାର କେବଳ ଆଦାନି, ଅମ୍ବାନିଙ୍କ ସମ୍ପତ୍ତି ବଢ଼ାଇଛି।

ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବର୍ତ୍ତମାନ ଅହେତୁକ ଭାବେ ବୃଦ୍ଧି ପାଇଥିବାବେଳେ ରନ୍ଧନ ଗ୍ୟାସ ମୂଲ୍ୟ ଆସି ହଜାରେ ଟଙ୍କା ଛୁଇଁବାକୁ ବସିଲାଣି। ଏଥିପାଇଁ ମୋଦୀ ସରକାରଙ୍କୁ ଦେଶର ଜନସାଧାରଣଙ୍କ ଆଗରେ ଜବାବ ଦେବାକୁ ହେବ। ସେପଟେ କଂଗ୍ରେସ ଓ ଭାଜପାଠାରୁ ସମଦୂରତା ରକ୍ଷା କଥା କହୁଥିବା ବିଜୁ ଜନତା ଦଳ ମଧ୍ୟ ଏସବୁ କାର୍ଯ୍ୟରେ ଭାଜପା ସରକାରକୁ ସମର୍ଥନ ଦେଇ ଆସୁଛି। ତାଙ୍କର ନେତା ସଂସଦରେ ମୋଦୀ ସରକାରର ଗରିବ ମାରଣ ନୀତିରେ ସମର୍ଥନ ଜଣାଉଛନ୍ତି। ତେଣୁ ଭାଜପା ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱରେ ବୋଲି ଶ୍ରୀ ଲେଙ୍କା କହିଛନ୍ତି। ଏହି ପ୍ରତିବାଦ ସଭାରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ପାତ୍ର, ବିଶ୍ୱରଞ୍ଜନ ଦାସ, ସମ୍ପାଦକ ବୀରେନ କୁମାର ଦଳେଇ, ସ୍ମୃତି ମନ୍ତ୍ରୀ, ଜ୍ଞାନ ରଞ୍ଜନ ରାଉତ, ଆଦିତ୍ୟ ପ୍ରସାଦ ପରିଡ଼ା, ରଞ୍ଜିତ ପାତ୍ର, ସ୍ୱାଗତ କର, ବିଶ୍ୱଜିତ ଲେଙ୍କା, ନଳିନୀକାନ୍ତ ନାୟକ, ମନୋଜ ବିଶ୍ୱାଳ, କେଦାର ଦଳେଇ, ଜୀବନ ସାହାଣୀ, ସମୀର ପାତ୍ର, ବିଶ୍ୱଜିତ ସ୍ୱାଇଁ, ଜୟନ୍ତ କିଷାନ, ରାକେଶ କୁମାର ଦାସ, ବିକାଶ ପାତ୍ର, ଆଶୁତୋଷ ଲେଙ୍କା, ସୌମ୍ୟରଞ୍ଜନ ବେଉରା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର