ସତ୍‌ସଙ୍ଗ ବିହାର ସମ୍ମୁଖରେ ହେବ ଫୁଟ୍‌ ଓଭରବ୍ରିଜ୍‌: ୬୦ ମିଟର ଲମ୍ବ, ଓସାର ହେବ ୧୦ଫୁଟ୍‌

ତିନିରୁ ଚାରିମାସ ମଧ୍ୟରେ କାମ ଆରମ୍ଭ ହେବ

ଭୁବନେଶ୍ବର: ଭିଏସ୍‌ଏସ୍‌ନଗର ପାର୍ଶ୍ବରୁ ସହିଦନଗର ପାର୍ଶ୍ବକୁ ଆସୁଥିବା ଲୋକମାନେ ବିପଦସଙ୍କୁଳ ଭାବେ ଜାତୀୟ ରାଜପଥ-୧୬ ଅତିକ୍ରମ କରୁଛନ୍ତି। ଅଧିକାଂଶ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି। ଏହାକୁ ନଜରରେ ରଖି ଏଠାରେ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୧.୨୫ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ମଧ୍ୟ ଅନୁମୋଦନ କରିଛନ୍ତି। ଜାତୀୟ ରାଜପଥ-୧୬ରେ ସତ୍‌ସଙ୍ଗ ବିହାର ନିକଟରେ ସହିଦନଗରରୁ ଶ୍ୟାମାପ୍ରସାଦ ମୁଖାର୍ଜୀ ମଧ୍ୟରେ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଭୁବନେଶ୍ବରସ୍ଥିତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ ନିର୍ଦ୍ଦେଶକ ମାର୍ଚ୍ଚ ୨୦, ୨୦୧୮ରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ଏହାପରେ ଗତବର୍ଷ ଡିସେମ୍ବର ୧୪, ଡିସେମ୍ବର ୩୧ ଏବଂ ଚଳିତବର୍ଷ ଜାନୁଆରି ୬ରେ ଚିଠି ଲେଖିଥିଲେ। ଏହାକୁ ବିଚାର କରି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ନେଇ ଅନୁମତି ଦେଇଛନ୍ତି।

ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଓଡ଼ିଶା ମୁଖ୍ୟ ଆର୍‌.ପି ପଣ୍ଡା କହିଛନ୍ତି ଯେ ଏହି ଫୁଟ୍‌ ଓଭରବ୍ରିଜ୍‌ ୬୦ ମିଟର ଲମ୍ବର ହେବ। ଓସାର ପ୍ରାୟ ୧୦ ଫୁଟ୍‌ ରହିବ। ଏହାକୁ ଜାତୀୟ ରାଜପଥ ନିର୍ମାଣ କରିଥିବା ସଂସ୍ଥା ଏସ୍‌ଜେଇପିଏଲ୍‌ ହିଁ ନିର୍ମାଣ କରିବ। ପ୍ରାୟ ଦୁଇ ବର୍ଷ ତଳେ ଏହି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଖର୍ଚ୍ଚ ଅଟକଳ ହୋଇଥିଲା। ତାହାକୁ ଏବେ ଅନୁମୋଦନ କରାଯାଇଛି। ଏସ୍‌ଜେଇପିଏଲ୍‌ ସଂସ୍ଥା ଯଦି ପୂର୍ବ ଅଟକଳ ଅନୁଯାୟୀ କାମ ନ କରିବ, ତେବେ ଏହି ଫୁଟ୍‌ ଓଭରବ୍ରିଜ୍‌ ପାଇଁ ଟେଣ୍ଡର୍‌ ହେବ। ଏସ୍‌ଜେଇପିଏଲ୍‌ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କଲେ ଦୁଇରୁ ତିନି ମାସରେ ଏହା ଶେଷ ହେବ। ଯଦି ଟେଣ୍ଡର୍‌ ହୁଏ, ତେବେ ୪ରୁ ୬ମାସରେ କାମ ଶେଷ ହେବ।

ଶ୍ରୀ ପଣ୍ଡା କହିଛନ୍ତି ଯେ ଖୁବ୍‌ ଶୀଘ୍ର ଏହି ଫୁଟ୍‌ ଓଭରବ୍ରିଜ୍‌ର ଡିଜାଇନ୍ ପ୍ରସ୍ତୁତ ହେବ। ଯେପରି ଭାରୀଯାନ ଯାତାୟାତରେ କୌଣସି ସମସ୍ୟା ହେବନି, ତାହାକୁ ନଜରରେ ରଖି ଏହାକୁ ନିର୍ମାଣ କରାଯିବ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ନିର୍ମାଣ କରାଯାଉଥିବାରୁ ଯଥାସମ୍ଭବ ଶୀଘ୍ର ଏହାର ନିର୍ମାଣ କରାଯିବ। ହେଲେ କାମ ଆରମ୍ଭ ହେବାକୁ ତିନିରୁ ଚାରି ମାସ ଲାଗିବ। ଅପରପକ୍ଷେ ଏବେ ଅଧିକାଂଶ ନାଇଟ୍‌ କୋଚ୍‌ ବସ୍ ବରମୁଣ୍ଡାରୁ ଫ୍ଲାଏଓଭର୍‌ ଉପରେ ଆସି ସତ୍‌ସଙ୍ଗ ନିକଟରେ ଯାତ୍ରୀ ଉଠାଉଛନ୍ତି। ତେଣୁ ଏଠାରେ ସଂଧ୍ୟା ପରେ ଅସମ୍ଭାଳ ଭିଡ଼ ହେଉଛି। ଏହାସହ ଭିଏସ୍‌ଏସ୍‌ ନଗର ବାସିନ୍ଦା ଏବଂ ଏହି ପାର୍ଶ୍ବରେ ଥିବା ଆୟକର ଭବନ ଓ ‌ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କର ଯାତାୟାତରେ ସମସ୍ୟା ହେଉଛି। ଲୋକମାନେ ବିପଦସଙ୍କୁଳ ଭାବେ ରାସ୍ତା ଅତିକ୍ରମ କରୁଛନ୍ତି। ଏଠାରେ ଫ୍ଲାଏଓଭର ଶେଷ ହୋଇଥିବାରୁ ବରମୁଣ୍ଡା ପାର୍ଶ୍ବରୁ ଆସୁଥିବା ଗାଡ଼ିଗୁଡ଼ିକ ହଠାତ୍‌ ବ୍ରେକ୍‌ ମାରିଲେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ତେଣୁ ଏହି ଫୁଟ୍‌ ଓଭରବ୍ରିଜ୍‌ ବହୁ ସମସ୍ୟାର ସମାଧାନ କରିବ। ଅନ୍ୟପକ୍ଷରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସତ୍‌ସଙ୍ଗ ବିହାର ସମ୍ମୁଖରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି।

ଅପରାଜିତାଙ୍କ ଚିଠି ପରେ ମଳିପଡ଼ାରେ ହେବ ଅଣ୍ଡରପାସ୍‌
ଖୋର୍ଦ୍ଧା ମଳିପଡ଼ା ନିକଟରେ ଭେଇକିଲ୍‌ ଅଣ୍ଡରପାସ୍‌ ନିର୍ମାଣ ପାଇଁ ସ୍ଥାନୀୟ ଲୋକ ବହୁ ବର୍ଷ ହେଲା ଦାବି କରୁଥିବା ବେଳେ ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଜୁନ୍‌ ୫, ୨୦୨୦ରେ ଚିଠି ଲେଖିଥିଲେ। ଏହାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି। ଖୁବ୍‌ଶୀଘ୍ର ଏଠାରେ ଏକ ଅଣ୍ଡରପାସ୍‌ ନିର୍ମାଣ ହେବା ନେଇ ନିଷ୍ପତ୍ତି ହୋଇଛି ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହାସହ କହିଛନ୍ତି ଯେ ତାଙ୍କ ଚିଠି ପରେ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ତିନିଟି ଅଣ୍ଡରପାସ୍‌ ନିର୍ମାଣ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସହମତି ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ।
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଉଗ୍ରତାରା ଛକରୁ ଚମ୍ପାଗଡ଼ା ମଧ୍ୟରେ ଅଶୋକେଇଖୋଲ ନିକଟରେ ଏକ ଫ୍ଲାଏଓଭର୍‌ କିମ୍ବା ଅଣ୍ଡରପାସ୍‌ ନିର୍ମାଣ ହେବ। ଏହାସହ ଚାନ୍ଦପୁର ନିକଟରେ ଏକ ଅଣ୍ଡରପାସ୍‌ ନିର୍ମାଣ ନେଇ ଆଲୋଚନା ଚାଲିଛି।

ପଳାସୁଣିରେ ଫୁଟ୍‌ ଓଭରବ୍ରିଜ୍‌ ‌େକବେ?
ସତ୍‌ସଙ୍ଗ ବିହାର ଛକ ପରି ପଳାସୁଣି ଛକରେ ବି ସମାନ ସମସ୍ୟା। ଏଠାରେ ନାଇଟ୍‌ କୋଚ୍‌ ବସ୍‌ ଏବଂ ବିଭିନ୍ନ ବସ୍‌ ଯାତ୍ରୀ ଉଠାଉଥିବାରୁ ଲୋକମାନେ ବିପଦସଂକୁଳ ଭାବେ ରାଜପଥ ଅତିକ୍ରମ କରୁଛନ୍ତି। ଏପରିକି ଏଠାରେ ରାସ୍ତା ଅତିକ୍ରମ କରିବା ବେଳେ ଦୁଇଜଣଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲାଣି। ପ୍ରତ୍ୟେକ ଦିନ ଶହ ଶହ ଲୋକ ନିଜ ଜୀବନକୁ ବାଜି ଲଗାଇ ଏଠାରେ ରାସ୍ତା ଅତିକ୍ରମ କରୁଛନ୍ତି। ତେଣୁ ଏଠାରେ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ପାଇଁ ବହୁ ବର୍ଷ ହେଲା ଦାବି ହେଉଛି।
ସେହିପରି କ୍ରାଉନ୍‌ ହୋଟେଲ ନିକଟରେ ଏ‌କ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ୧୪ତାରିଖରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ସାଂସଦ ଶ୍ରୀମତୀ ଷଡଙ୍ଗୀ ଲେଖିଛନ୍ତି ଯେ ଆଇଆରସି ଭିଲେଜସ୍ଥିତ ଶ୍ରୀରାମେଶ୍ବର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ହୋଟେଲ କ୍ରାଉନ୍‌ ନିକଟରେ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଦାବି କରାଯାଉଛି। ଏହା ସ୍ଥାନୀୟ ଅଞ୍ଚଳବାସୀଙ୍କର ଦୀର୍ଘ ଦିନର ଦାବି। ମୁଁ ନିଜେ ଘଟଣାସ୍ଥଳକୁ ଦୁଇଥର ପରିଦର୍ଶନରେ ଯିବା ପରେ ଜାଣିବାକୁ ପାଇଛି ଯେ ଏହା ଏକ ଦୁର୍ଘଟଣାପ୍ରବଣ ଅଞ୍ଚଳ। ତେଣୁ ଏଠାର ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଆବଶ୍ୟକ ଅଛି। ଲୋକଙ୍କ ଦାବି ଯଥାର୍ଥ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧାକୁ ନଜରରେ ରଖି ଏଠାରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରାଯାଉ।
ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଓଡ଼ିଶା ମୁଖ୍ୟ ଆର୍‌.ପି ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଉପରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ନେଇ ଆଲୋଚନା ଚାଲିଛି। କିନ୍ତୁ ଏବେ କେବଳ ସତ୍‌ସଙ୍ଗ ବିହାର ସମ୍ମୁଖରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଅନୁମତି ମିଳିଛି।

ସମ୍ବନ୍ଧିତ ଖବର