ଅଳିଆ ଉଠୁନି, ସ୍ବଚ୍ଛ ଭୁବନେଶ୍ବର ସ୍ବପ୍ନ ସଫଳ ହେବ କେମିତି?

ଭୁବନେଶ୍ବର: ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୨୧ରେ ବିଏମ୍‌ସିକୁ ଭଲ ରୢାଙ୍କ୍‌ ମିଳିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରଚାର କରାଯାଉଛି। ମାତ୍ର ସେସବୁ କେବଳ ପ୍ରଚାରରେ ହିଁ ସୀମିତ ରହୁଥିବା ଅଭିଯୋଗ ହେଉଛି। ବିଏମ୍‌ସି ୫ନମ୍ବର ୱାର୍ଡସ୍ଥିତ ଚକେଇସିହାଣୀ ପାଦୁକା ମନ୍ଦିର ନିକଟରେ ଜମା ହୋଇଥିବା ଗଦା ଗଦା ପଚା ଅଳିଆ ଆବର୍ଜନା ହେଉଛି ରାଜଧାନୀର ସ୍ବଚ୍ଛତାର ନିଦର୍ଶନ। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ଶ୍ରୀରାମନଗର ଅଞ୍ଚଳର ସଫେଇ କର୍ମଚାରୀମାନେ ଠେଲା ଗାଡ଼ିରେ ଅଳିଆ ଆଣି ଏହି ମନ୍ଦିର ନିକଟରେ ଗଦା କରୁଛନ୍ତି। କିନ୍ତୁ ଅଳିଆ ଉଠେଇବା ଗାଡ଼ି ନିୟମିତ ଆସୁନାହିଁ।

ଫଳରେ ଦିନ ଦିନ ଧରି ଅଳିଆ ଆବର୍ଜନା ଗଦା ହୋଇ ରହୁଥିବାରୁ ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି। ଅଳିଆ ଗଦା‌ରେ ଚଢ଼ି ବୁଲା ଗାଈଗୋରୁ ଓ କୁକୁର ଘାଣ୍ଟି ପକାଇବାରୁ ପଚା ବର୍ଜ୍ୟବସ୍ତୁ ରାସ୍ତା ଉପରେ ବିଛାଡ଼ି ହୋଇ ପଡ଼ୁଛି। ଫଳରେ ଲୋକେ ଯାତାୟାତରେ ଘୋର ସମସ୍ୟାରେ ପଡ଼ୁଛନ୍ତି। ଶ୍ରଦ୍ଧାଳୁମାନେ ଶାନ୍ତିରେ ପାଦୁକା ମନ୍ଦିର ଦର୍ଶନ କରି ପାରୁନାହାନ୍ତି। ସେହିଭଳି ନିକଟରେ ଥିବା ଜ୍ଞାନଦୀପ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ମଧ୍ୟ ପଚା ଦୁର୍ଗନ୍ଧ ଯୋଗୁଁ ସମସ୍ୟାରେ ପଡ଼ୁଛନ୍ତି। ଏନେଇ ସ୍ଥାନୀୟ ୱାର୍ଡ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳିପାରୁନାହିଁ। ସ୍ଥାନୀୟ ବାସିନ୍ଦା ଅରୁଣ କୁମାର ମହାପାତ୍ରଙ୍କ କହିବା କଥା, ସକାଳୁ ସଫେଇ କର୍ମଚାରୀମାନେ ସଫା କରୁଛନ୍ତି, ହେଲେ ମନଇଚ୍ଛା ଯେଉଁଠି ପାଉଛନ୍ତି ସେଠି ଗଦା କରୁଛନ୍ତି। ଅଳିଆ ଜମା କରିବା ପାଇଁ ଅନ୍ୟ ଉପଯୁକ୍ତ ସ୍ଥାନ ଥିଲେ ମଧ୍ୟ ସଫେଇ କର୍ମଚାରୀମାନେ ମନ୍ଦିର ନିକଟରେ ଆଣି ଜମା କରୁଛନ୍ତି। ମନ୍ଦିର ନିକଟରେ ଯେଉଁ ଅଳିଆ ଗଦା କରାଯାଉଛି, ତାହା ଦିନ ଦିନ ଧରି ପଡ଼ି ରହୁଛି। ସ୍ବଚ୍ଛତା ସର୍ବେକ୍ଷଣ ରୢାଙ୍କ କ’ଣ ଏମିତି ମିଳିବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ମନ୍ଦିରରେ ଦୀପ ଦୋକାନ କରିଥିବା କଲ୍ୟାଣୀ ମହାନ୍ତିଙ୍କ କହିବାନୁସାରେ, ନିୟମିତ ଅଳିଆ ଉଠୁ ନଥିବାରୁ ମନ୍ଦିରକୁ ଶ୍ରଦ୍ଧାଳୁମାନେ ଆସୁନାହାନ୍ତି ଏବଂ ଯେଉଁମାନେ ଆସୁଛନ୍ତି ଅଳିଆ କୁଦି ବହୁ ଅଶାନ୍ତିରେ ଆସୁଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ, ଆଗାମୀ ଦିନରେ ବିଏମ୍‌ସି କାର୍ଯ୍ୟାଳୟ ଯାଇ ପ୍ରତିବାଦ କରିବୁ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର