ଏଥରର ମୁଖ୍ୟ ପ୍ରସଙ୍ଗ: ଡ୍ରେନ୍‌, ବସ୍ତିବାସିନ୍ଦାଙ୍କୁ ଘର

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ରାଜଧାନୀ ରାଜନୀତି ସରଗରମ ହେବାରେ ଲାଗିଛି। ତିନିଟିଯାକ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୪୫ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଭୁବନେଶ୍ବର ଏକାମ୍ର ଓ ମଧ୍ୟରେ ୧୪ଜଣ ଲେଖାଏଁ ଏବଂ ଉତ୍ତରରେ ୧୭ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଯାଞ୍ଚ ପରେ ସମସ୍ତଙ୍କ ପ୍ରାର୍ଥିପତ୍ର କାଏମ ରହିଥିବାରୁ ସମସ୍ତେ ନିର୍ବାଚନ ମଇଦାନକୁ ଓହ୍ଲାଇବା ଏକରକମ ନିଶ୍ଚିତ। ୮ତାରିଖ ଅପରାହ୍‌ଣ ୩ଟା ସୁଦ୍ଧା ଯଦି କେହି ପ୍ରାର୍ଥିପତ୍ର ପ୍ରତ୍ୟାହାର ନକରନ୍ତି ତେବେ ଏହି ୪୫ଜଣ ହିଁ ନିର୍ବାଚନ ମଇଦାନରେ ଲଢ଼ିବେ। ବିଭିନ୍ନ ଦଳରୁ ଏବଂ ସ୍ବାଧୀନ ପ୍ରାର୍ଥୀ ଏଥର ମଇଦାନକୁ ଓହ୍ଲାଇଥିଲେ ହେଁ ପ୍ରମୁଖ ପ୍ରତିନ୍ଦ୍ବନ୍ଦ୍ବୀ ହେବାକୁ ଯାଉଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ। କିଏ କେମିତି ଭୋଟରଙ୍କୁ ହାତେଇବେ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଦେଇଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବେ ବିଭିନ୍ନ ପ୍ରସଙ୍ଗ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଗତ କିଛି ବର୍ଷ ମଧ୍ୟରେ ଭୁବନେଶ୍ବରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରିଥିବାବେଳେ ବିଜେଡି ପ୍ରାର୍ଥୀ ଭୁବନେଶ୍ବରରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ସରକାରଙ୍କ ଆଗାମୀ ଯୋଜନାକୁ ପ୍ରସଙ୍ଗ କରିଛନ୍ତି। ଅନ୍ୟ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀମାନେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଦୋଷ ଦୁର୍ବଳତା ସହ ରାଜଧାନୀର ମୁଖ୍ୟ ସମସ୍ୟାଗୁଡ଼ିକୁ ପ୍ରସଙ୍ଗ କରିଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାରରେ ଏଥରର ମୁଖ୍ୟ ପ୍ରସଙ୍ଗ ହେଉଛି ଭୁବନେଶ୍ବରର ଡ୍ରେନେଜ୍ ବ୍ୟବସ୍ଥା, ସ୍ବେରେଜ୍‌ ବ୍ୟବସ୍ଥା‌, ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଓ ପକ୍କା ଘର, ସହରବାସୀଙ୍କୁ ୨୪ଘଣ୍ଟା ପିଇବା ପାଣି, ବିଦ୍ୟୁତ ସଂଯୋଗ।

ବିଜେପି ପ୍ରାର୍ଥୀ ଏଥର ପ୍ରଚାରରେ ଗତବର୍ଷ ରାଜଧାନୀରେ ଦେଖାଦେଇଥିବା ଜଳବନ୍ଦୀ ସମସ୍ୟାକୁ ଉଠାଇଛନ୍ତି। ରାଜଧାନୀରେ ଡ୍ରେନେଜ୍ ବ୍ୟବସ୍ଥା ଭୁଶୁଡ଼ି ଯାଇଥିଲେ ହେଁ ୧୯ବର୍ଷ ଧରି କ୍ଷମତାରେ ଥିବା ସରକାର ଏହାର ସମାଧାନ କରିପାରିଲାନି ବୋଲି ବୁଲି ବୁଲି ଲୋକଙ୍କୁ କହୁଛନ୍ତି। କେବଳ ଡ୍ରେନେଜ୍ ବ୍ୟବସ୍ଥା ନୁହେଁ। ସ୍ବେରେଜ୍‌ ଲାଇନ୍ ବିଛାଇବା କାର୍ଯ୍ୟ ୮ରୁ ୯ବର୍ଷ ହେଲା ଚାଲୁଥିଲେ ହେଁ ଏପର୍ଯ୍ୟନ୍ତ ଗୋଟିଏ ବି ଅଞ୍ଚଳରେ ଏହା କାର୍ଯ୍ୟକ୍ଷମ ହେଲାନି। ଏବେବି ଲୋକଙ୍କୁ ଆବଶ୍ୟକୀୟ ପିଇବା ପାଣି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ଦିନକୁ ଘଣ୍ଟାଏ ପାଣି ଦେଇ ସରକାର ଲୋକଙ୍କ ଠାରୁ ଜଳ କର ନେଉଛନ୍ତି। ବସ୍ତି ବାସିନ୍ଦାଙ୍କ ବିଶୁଦ୍ଧ ପାଣି ପାଇବା ଏବେବି ସ୍ବପ୍ନ ପାଲଟିଛି। ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ ପାଇଁ କେନ୍ଦ୍ର ସରକାର ୧୨,୫୦୦ଟଙ୍କା ଦେଉଥିବାବେଳେ ହିତାଧିକାରୀଙ୍କୁ ୫ହଜାର ଟଙ୍କା ମିଳୁଛି,‌ ସୌଭାଗ୍ୟ ଯୋଜନାରେ ସମସ୍ତଙ୍କୁ ବିଦ୍ୟୁତ ସଂଯୋଗ ଦେବାକୁ କେନ୍ଦ୍ର ସରକାର ଯୋଜନା କରିଥିଲେ ହେଁ ବସ୍ତିରେ ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇପାରୁନି, ବସ୍ତି ବାସିନ୍ଦାଙ୍କୁ ଘର ଦିଆଯାଉନି। ଏପରିକି ବିଜେପି କ୍ଷମତାକୁ ଆସିଲେ ବସ୍ତି ବାସିନ୍ଦାଙ୍କୁ ପକ୍କା ଘର ଏବଂ ଜମି ପଟ୍ଟା ଦେବ ବୋଲି ପ୍ରତିଶ୍ରୁତି ‌ବି ଦେଉଛନ୍ତି। ଏଥିପାଇଁ ‌େଲାକଙ୍କ ଠାରୁ ଫର୍ମ ପୂରଣ କରି ମଧ୍ୟ ନେଇସାରିଲେଣି। ଭୁବନେଶ୍ବର ମଧ୍ୟରେ ବିଜେଡି ପ୍ରାର୍ଥୀ ହୋଇଥିବା ଅନନ୍ତଙ୍କ ନାମରେ ଉଠିଥିବା ଯୌନ ବ୍ୟଭିଚାର ଅଭିଯୋଗ ଏବଂ ଋଷି ହତ୍ୟାକାଣ୍ଡରେ ସଂପୃକ୍ତି ମାମଲାକୁ ବିଜେପି ଉଠାଇଛି। ଜଣେ ଅପରାଧୀଙ୍କୁ ବିଜେଡି ଟିକେଟ୍‌ ଦେଉଛି ବୋଲି ବୁଲି ବୁଲି ପ୍ରଚାର କଲେଣି। ୧୯ବର୍ଷ ଶାସନ କରି ଭୁବନେଶ୍ବରର ବିକାଶ କରିପାରିନଥିବା ସରକାରକୁ ବଦଳାଇବା ସହ କେନ୍ଦ୍ରରେ ମୋଦି ସରକାର ଭଳି ରାଜ୍ୟରେ ବିଜେପି ସରକାର ଗଢ଼ିବା ପାଇଁ ଭୋଟ୍‌ ଦେବାକୁ ଭୋଟରଙ୍କୁ ଅନୁରୋଧ କରୁଛନ୍ତି।

ଏପଟେ କଂଗ୍ରେସ ପ୍ରାର୍ଥୀମାନେ ଡ୍ରେନେଜ୍, ସ୍ବେରେଜ୍‌, ପିଇବା ପାଣି ଏବେବି ରାଜଧାନୀବାସୀଙ୍କ ପାଇଁ କିପରି ଅପହଞ୍ଚ ପାଲଟିଛି ତାହାକୁ ପ୍ରସଙ୍ଗ କରୁଛି। ବେରୋଜଗାରୀ ହଟାଇବା ସହ ଯୁବକଯୁବତୀଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି ଦେବା ଭଳି ପ୍ରସଙ୍ଗ ସହ ନିର୍ବାଚନ ମଣ୍ଡଳୀସ୍ତରରେ ଥିବା ସମସ୍ୟାଗୁଡ଼ିକର ସମାଧାନ କରିବାକୁ ମଧ୍ୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି। ଅପରପକ୍ଷେ ବିଜେଡି ପ୍ରାର୍ଥୀ ପ୍ରଚାରରେ ନବୀନଙ୍କ ଭାବମୂର୍ତ୍ତିକୁ ଆଗରେ ରଖିଛନ୍ତି। ନବୀନଙ୍କ ନାମରେ ଭୋଟ୍‌ ମାଗୁଛନ୍ତି। ୧୯ବର୍ଷରେ ରାଜ୍ୟରେ ବହୁତ ପ୍ରଗତି ହୋଇଛି, ବହୁ ଲୋକ ହିତକର ଯୋଜନା ହୋଇଛି, ଆହାର ଯୋଜନାରେ ରାଜଧାନୀରେ ଦୈନିକ ହଜାର ହଜାର ଲୋକଙ୍କୁ ୫ଟଙ୍କାରେ ଭାତ ଡାଲମା ଖାଇବାକୁ ମିଳୁଛି, ଭୁବନେଶ୍ବରକୁ ସ୍ମାର୍ଟ ସିଟିରେ ପରିଣତ କରାଯାଇଛି। ଭୁବନେଶ୍ବର କ୍ରୀଡ଼ା ହବ୍‌ ପାଲଟିଛି। ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବାକୁ ୧୦୦୦କୋଟିର ଯୋଜନା ହୋଇଛି, ଗଳିକନ୍ଦିରେ ଚକାଚକ୍ ରାସ୍ତା, ପ୍ରତି ଘରକୁ ପାଇପ୍ ପାଣି ଯୋଗାଇବାକୁ ପାଇପ୍ ବିଛାଯାଉଛି ଭଳି ଯୋଜନାକୁ ଲୋକଙ୍କୁ କୁହାଯାଉଛି। ଏହାବାଦ୍ ୨୦୦୦ ବସ୍ତି ବାସିନ୍ଦାଙ୍କୁ ପକ୍କା ଘର ମିଳିଥିବାବେଳେ ବାକି ଲୋକଙ୍କୁ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇ ଦିଆଯିବ, ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ମିଳୁଛି, ଆଗାମୀ ଦିନରେ ଆହୁରି ଅଧିକ ମିଳିବ ବୋଲି ପ୍ରାର୍ଥୀମାନେ କହୁଛନ୍ତି। ନବୀନ ସରକାର ଆସିଲେ ହିଁ ଏହା ସମ୍ଭବ ହେବ। ତେଣୁ ଆମକୁ ଜିତାଅ ବୋଲି ବି‌େଜଡି ପ୍ରା‌ର୍ଥୀମାନେ ପ୍ରଚାର କରୁଛନ୍ତି।

ସମ୍ବନ୍ଧିତ ଖବର