ଅନିଶ୍ଚିତତାରେ ରାଜଧାନୀ ରଥଯାତ୍ରା, କଟକଣା ସହ କରିବେ ସ୍ନାନ ପୂର୍ଣ୍ଣିମା

୧୦ଦିନ ପୂର୍ବରୁ ଅନୁମତି ଦେଲେ ବି କରିପାରିବୁ, ଆମ ରଥ ଟାଣିବ କିଏ?

ଭୁବନେଶ୍ବର: କାୟା ମେଲାଇ ଚାଲିଛି କରୋନା। କେବଳ ଏହା ସ୍ବାଭାବିକ ଜୀବନଯାତ୍ରାକୁ ଅଟକାଇ ଦେଇନି, ବିଶ୍ବନିୟନ୍ତାଙ୍କ ରଥଯାତ୍ରା ବି ଅଟକିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପୁରୀରେ ରଥଯାତ୍ରା ହେଲେ ରାଜଧାନୀରେ ବି ରଥ ଗଡ଼ାଇବେ ବୋଲି ବିଭିନ୍ନ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଣ୍ଟା ଭିଡ଼ିଥିଲେ। ଅକ୍ଷୟ ତୃତୀୟାରେ ଯଥାରୀତି ରଥକାଠ ଅନୁକୂଳ କରିଥିଲେ। କିଛି ଦିନ ତଳେ ଭୁବନେଶ୍ବର କରୋନାମୁକ୍ତ ହେବା ପରେ ଆଉ ଟିକେ ଆଶା ଜାଗିଥିଲା। ହେଲେ ପ୍ରଶାସନର ଏଯାଏ ଭରସା ପାଉନାହିଁ। ଲକ୍‌ଡାଉନ୍‌ ଅବଧି ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଏପର୍ଯ୍ୟନ୍ତ ରଥଯାତ୍ରା ନେଇ ପ୍ରଶାସନ କୌଣସି ନିଷ୍ପତ୍ତି ନେଇନାହିଁ। ମାତ୍ର ସ୍ନାନ ପୂର୍ଣ୍ଣିମା ଓ ରୁକ୍ମିଣୀ ବିବାହ ଆଦି ପାଳନ କରାଯିବା ନେଇ ମନ୍ଦିର କମିଟି ପକ୍ଷରୁ ବୈଠକ ବସିଛି। କଟକଣା ସହ ଏସବୁ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇସାରିଛି।

୧୦ଦିନ ପୂର୍ବରୁ ଅନୁମତି ଦେଲେ ବି କରିପାରିବୁ
ରାଜଧାନୀରେ ୬୦ରୁ ଅଧିକ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ସବୁଠି ରଥକାଠ ଅନୁକୂଳ ହୋଇଛି। ତେବେ ପ୍ରତିବର୍ଷ ରଥ ନୂଆ କାଠରେ ନିର୍ମାଣ ହେଉ ନଥିବାରୁ ଏହାକୁ ପୁନଃ ନିର୍ମାଣ ପାଇଁ ବେଶି ସମୟ ଲାଗିବ ନାହିଁ। ପୁରୁଣା କାଠ କେବଳ ଖଞ୍ଜା ଯାଉଥିବାରୁ ୧୦ ଦିନ ମଧ୍ୟରେ ରଥ ନିର୍ମାଣ ହୋଇପାରିବ ବୋଲି ବିଭିନ୍ନ ରଥଯାତ୍ରା ଓ ମନ୍ଦିର ପରିଚାଳନା କମିଟି କହିଛନ୍ତି। ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଅଜୟ ପଟ୍ଟନାୟକ କହିଛନ୍ତି, ଆମ ରଥ ନିର୍ମାଣ କରୁଥିବା ମହାରଣା ପ୍ରସ୍ତୁତ ଅଛନ୍ତି। ତେଣୁ ଜୁନ୍‌ ୧ ତାରିଖ ପରେ ମଧ୍ୟ ଯଦି ନିଷ୍ପତ୍ତି ନିଆଯିବ, ତେବେ ବି ଆମେ ପ୍ରସ୍ତୁତ ଅଛୁ। ୧୦ଦିନ ମଧ୍ୟରେ ରଥ ନିର୍ମାଣ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ।

ଆମ ରଥ ଟାଣିବ କିଏ?
ପୁରୀରେ ରଥଯାତ୍ରା କରାଗଲେ, ସେଠାରେ ବିନା ଭକ୍ତରେ ପୁଲିସ୍‌ଙ୍କ ଜରିଆରେ ରଥ ଟଣାଯାଇ ପାରିବ। ମାତ୍ର ଭୁବନେଶ୍ବରରେ ବିନା ଭକ୍ତରେ ରଥଟଣା ସମ୍ଭବ ହେବନାହିଁ। କାରଣ ଏତେ ସଂଖ୍ୟାରେ ପୁଲିସ୍‌ ପ୍ରତ୍ୟେକ ରଥଯାତ୍ରା ପରିଚାଳନା କମିଟିକୁ ଯୋଗାଇ ଦେବା ଆପାତତଃ ସମ୍ଭବ ହେବନାହିଁ। ତେଣୁ ଯଦିବା ଅନୁମତି ମିଳିଯାଏ, ତେବେ ରଥ କିଏ ଟାଣିବ? ତାହା ଏକ ପ୍ରଶ୍ନବାଚୀ ବୋଲି କହିଛନ୍ତି ଓୟୁଏଟି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରଫେସର୍‌ ବାମନ ପ୍ରସାଦ ଆଚାର୍ଯ୍ୟ। ସେ କହିଛନ୍ତି ଯେ ଏନେଇ ମୁଁ ପୁଲିସ୍‌ ଅଧିକାରୀଙ୍କ ସହ କଥା ହେଇଛି, ମାତ୍ର ସେ ଏନେଇ କିଛି ସ୍ପଷ୍ଟ ସୂଚନା ଦେଇପାରିନାହାନ୍ତି। ଲକ୍‌ଡାଉନ୍‌ ପରେ ଟ୍ରଷ୍ଟବୋର୍ଡ ବୈଠକ ଡକାଇ ଆମେ ରଥଯାତ୍ରା ନେଇ ଆଲୋଚନା କରିବୁ ଏବଂ ସରକାର ଯେପରି ଗାଇଡ୍‌ଲାଇନ୍‌ ଜାରି କରିବେ, ସେଇ ଅନୁସାରେ ଆମେ ରଥଯାତ୍ରା କରିବୁ ବୋଲି ସେ କହିଛନ୍ତି।

ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା
ରଥଯାତ୍ରା ହେବ ନା ନାହିଁ, ସେ ସମ୍ପର୍କରେ କେହି ବି ନିଶ୍ଚିତ ନୁହଁନ୍ତି। ଲକ୍‌ଡାଉନ୍‌ ସରିବା ପରେ ପ୍ରଶାସନ କ’ଣ ନିଷ୍ପତ୍ତି ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହା ସତ୍ତ୍ବେ ରଥଯାତ୍ରା ପ୍ରାକ ନୀତି ରାଜଧାନୀର ସମସ୍ତ ଜଗନ୍ନାଥ ମନ୍ଦିର ବଜାୟ ରଖିଛନ୍ତି। ସ୍ନାନ ପୂର୍ଣ୍ଣିମା ଓ ରୁକ୍ମିଣୀ ବିବାହ କରିବା ନେଇ ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବୈଠକ ବସିଥିବା ଖବର ଆସିଛି। ଯଦିଓ ଲକ୍‌ଡାଉନ ହଟିଯାଇଥିବ, ମାତ୍ର କଟକଣା ହଟିବା ସମ୍ଭାବନା ନାହିଁ। ତେଣୁ ସ୍ନାନପୂର୍ଣ୍ଣିମା ନୀତି ଦେଖିବାକୁ ଭକ୍ତଙ୍କ ଭିଡ଼ ଜମୁଥିଲେ ହେଁ ଏଥର ଏହା ଦେଖିବାକୁ ମିଳିବ ନାହିଁ। ଭକ୍ତଙ୍କ ବୃହତ୍‌ ସମାବେଶକୁ ଏଡ଼ାଇବା ପାଇଁ ପ୍ରଶାସନ ଏହି ନିୟମ ଆଣିପାରେ। ତେଣୁ ଏହାକୁ ପାଥେୟ କରି ଆମେ ମହାପ୍ରଭୁଙ୍କ ସ୍ନାନଯାତ୍ରା କରିବୁ ବୋଲି ଇସ୍କନର ସୂଚନା ଅଧିକାରୀ ରାଧାକାନ୍ତ ଦାସ କହିଛନ୍ତି।

ରଥଯାତ୍ରା ନିଷ୍ପତ୍ତି ପରେ ନେବୁ: ବିଏମ୍‌ସି କମିସନର୍‌
ଲକ୍‌ଡାଉନ ଜାରି ରହିଥିବା ବେଳେ ରଥଯାତ୍ରା ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହୁଁ। ଏବେ ଶୀତଳ ଷଷ୍ଠୀ ବାବଦରେ ପଦ‌କ୍ଷେପ ନେଉଛି। ଦୁଇ ତିନିଦିନ ମଧ୍ୟରେ ଶୀତଳ ଷଷ୍ଠୀ ସମ୍ପର୍କରେ ପଦକ୍ଷେପ ‌ନିଆଯିବ। ଲକ୍‌ଡାଉନ୍‌ ସରିବା ପରେ ପରିସ୍ଥିତି ଦେଖି ରଥଯାତ୍ରା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି। ଅପରପକ୍ଷରେ ରଥଯାତ୍ରା‌ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ଏବଂ ଏହା ରାଜଧାନୀର ୬୦ରୁ ଊର୍ଧ୍ବ ସ୍ଥାନରେ ହେଉଥିବାରୁ କରୋନା କଟକଣା ମଧ୍ୟରେ ରଥଯାତ୍ରା ହେବା ନେଇ ସମ୍ଭାବନା କ୍ଷୀଣ ବୋଲି ପ୍ରଫେସର୍‌ ବାମନ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର