ଜଳଖିଆ ଦୋକାନୀଙ୍କ ମଣିଷପଣିଆ, ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ଫେରାଇଲେ

ଭୁବନେଶ୍ବର: ଜଣେ ମହିଳାଙ୍କ ହଜି ଯାଇଥିବା ଭ୍ୟାନିଟି ବ୍ୟାଗ୍‌କୁ ଫେରାଇ ମଣିଷ ପଣିଆର ପରିଚୟ ଦେଇଛନ୍ତି ରାଜଧାନୀର ଜଣେ ଜଳଖିଆ ଦୋକାନୀ। ସଂପୃକ୍ତ ଉଠାଦୋକାନୀ ଜଣକ ହେଲେ କୈଳାସ ଚନ୍ଦ୍ର ଚୌଧୁରୀ। ସେ ସହିଦନଗର ଦୁର୍ଗାମଣ୍ଡପ ପଛପଟେ ଜଳଖିଆ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସହିଦନଗର ପୁଲିସ ଜରିଆରେ ମହିଳାଙ୍କୁ ତାଙ୍କ ଭ୍ୟାନିଟି ବ୍ୟାଗ୍‌କୁ ଫେରାଇ ଦିଆଯାଇଛି।

ଗତକାଲି କୈଳାସ ତାଙ୍କ ଦୋକାନ ନିକଟରେ ଏକ ଭ୍ୟାନିଟି ବ୍ୟାଗ୍ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ମା’ ଦୁର୍ଗା କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ଶିବପ୍ରସାଦ ପାତ୍ର ଓ ସଂପାଦକ ବସନ୍ତ କୁମାର ରାଉତଙ୍କୁ ଜଣାଇଥିଲେ। ସେମାନେ ଭେଣ୍ଡିଂଜୋନ୍ ସୁରକ୍ଷା ଟ୍ରଷ୍ଟର ସଭାପତି ପ୍ରତାପ ସାହୁଙ୍କୁ ଏ ସଂପର୍କରେ ଜଣାଇଥିଲେ। ପରେ ଶ୍ରୀ ସାହୁ ସହିଦନଗର ଥାନା ଏସିପିଙ୍କୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ଭ୍ୟାନିଟି ଧରି ସହିଦନଗର ଥାନାରେ ପହଞ୍ଚିବା ପରେ ବ୍ୟାଗ୍‌ଟି ଲକ୍ଷ୍ମୀସାଗରର ସ୍ମୃତିରେଖା ମହାନ୍ତିଙ୍କର ବୋଲି ଜଣାପଡ଼ିଥିଲା। ତହିଁରେ ନଗଦ ଟଙ୍କା ସହ ଏଟିଏମ୍‌ ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜ ରହିଥିଲା। ବ୍ୟାଗ୍‌ରେ ମହିଳାଙ୍କ ଯୋଗାଯୋଗ ନମ୍ବର ଥିବାରୁ ଥାନା ଅଧିକାରୀ ମହିଳାଙ୍କୁ ଫୋନ୍ କରି ଥାନାକୁ ଡକାଇଥିଲେ। ମହିଳାଜଣକ ତାଙ୍କ ସ୍ବାମୀଙ୍କ ସହ ସହିଦନଗର ଥାନାକୁ ଆସି ଉପଯୁକ୍ତ ପ୍ରମାଣ ଦେଇ ଭ୍ୟାନିଟି ନେଇଥି‌‌ଲେ। ମହିଳାଜଣଙ୍କ ଉଠାଦୋକାନୀଙ୍କୁ ଏଥିପାଇଁ ସାଧୁବାଦ ଜଣାଇଥିଲେ। ସହିଦନଗର ଥାନା ଅଧିକାରୀ ମଧ୍ୟ ତାଙ୍କୁ ପ୍ରଶଂସା କରିବା ସହ ଏଭଳି ମହତ କାମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର