ନନ୍ଦନକାନନ ବାହାରେ ବାଘ! ଗୁଜବ ବୋଲି କହିଲେ କର୍ତ୍ତୃପକ୍ଷ

ବାରଙ୍ଗ: ନନ୍ଦନକାନନ ପରିସରର ଠିକ୍ ବାହାରେ ବାଘ ବୁଲୁଛି। ବାଘଟି ଖୁଆଡ଼ରୁ ବାହାରି ଆସି ଥାଇପାରେ କିମ୍ବା ନିକଟସ୍ଥ ଜଙ୍ଗଲରୁ ଆସି ନନ୍ଦନକାନନ ପରିସରରେ ବୁଲୁଛି। ଗତକାଲିଠାରୁ ପ୍ରଚାର ହେଉଥିବା ଏହି ଖବରକୁ ନେଇ ଆଜି ନନ୍ଦନକାନନ କର୍ତ୍ତୃପକ୍ଷ ବିରକ୍ତି ପ୍ରକାଶ କରିଛନ୍ତି। ଏଭଳି ଗୁଜବ ପ୍ରଚାର କରି ଲୋକଙ୍କୁ ଭୟଭୀତ କରିବା ଠିକ୍‌ ନୁହେଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଖବରରୁ ଜଣାପଡ଼ିଛି ଯେ ୯ ନମ୍ବର ଗେଟ୍ ପାଖରେ ଜଣେ ସଫେଇ କର୍ମଚାରୀ ବାଘ ଭଳି କୌଣସି ଜନ୍ତୁ ଦେଖିବା ପରେ ମୁଖ୍ୟ କାର୍ଯ୍ୟାଳୟକୁ ଫୋନ୍ କରିଥିଲେ। ଭୟରେ ସେ ପାଖରେ ଥିବା ଘର‌ ଭିତରେ କବାଟ ବନ୍ଦ କରି ରହିଛନ୍ତି ଓ ତାଙ୍କୁ ଉଦ୍ଧାର କରାଯାଉ ବୋଲି ସେ ଅଧିକାରୀଙ୍କୁ ନିବେଦନ କରିଥିଲେ। ଖବର ପାଇ ଏସିଏଫ୍ ଅମୂଲ୍ୟ ପରିଡ଼ା ତୁରନ୍ତ ବାଘ ଖୁଆଡ଼ କର୍ମଚାରୀମାନଙ୍କୁ ସତର୍କ କରିବା ସହ କୌଣସି ଖୁଆଡ଼ରୁ ବାଘ ଖସି ଯାଇଛି ‌କି ବୋଲି ଦେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ୩ଟି ଗାଡ଼ି ବିଭିନ୍ନ ଦିଗକୁ ଯାଇ ବାଘ ଅନୁସନ୍ଧାନରେ ନିୟୋଜିତ ହୋଇଥିଲା। ପନ୍ଦର ମିନିଟ ଭିତରେ ବାଘ ଖୁଆଡ଼ର କର୍ମଚାରୀମାନେ ଜଣାଇ ଦେଇଥିଲେ ଯେ ସମସ୍ତ ବାଘ ନିଜ ନିଜ ଖୁଆଡ ଭିତରେ ଅଛନ୍ତି। ଏହା ମଧ୍ୟରେ ଭୟରେ ଲୁଚି ଥିବା ଘରୁ ଉକ୍ତ ସଫେଇ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା। ଦିନ ଦଶଟା ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ମଧ୍ୟ ବାଘର ସନ୍ଧାନ ମିଳିନଥିଲା। ଏମିତିକି ବାଘ ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିନଥିଲା। ତେଣୁ ସଫେଇ କର୍ମଚାରୀ ଜଣକ ହେଟାବାଘ ଦେଖିଥିବା ଅନୁମାନ କରାଯାଉଛି ବୋଲି ଏସିଏଫ୍‌ ଶ୍ରୀ ପରିଡ଼ା କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୧୩ ମସିହାରେ ମହାବଳ ବାଘ ‘ନନ୍ଦନ’ ପଶି ଆସିଥିଲା। ତେଣୁ ସେମିତି ଅନୁମାନ କରି କେହି ଏଭଳି ଖବର ପ୍ରସାର କରିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ତେବେ ଗୁଜବ ହେଲେ ମଧ୍ୟ ବାଘ ଖବର ଜାଣିବା ପାଇଁ ଆଜି ନନ୍ଦନକାନନ ପ୍ରବେଶ ଫାଟକ ପାଖରେ ସ୍ଥାନୀୟ ଜନସାଧାରଣଙ୍କ ଭିଡ଼ ଜିମିଥିଲା।

ସମ୍ବନ୍ଧିତ ଖବର