ଟାଇମ୍‌ପାସର ବିଶ୍ବ ପୁସ୍ତକ ଦିବସ: ଜଣେ କବି ଏକାଧାରରେ ପ୍ରେମିକ, ବିଦ୍ରୋହୀ ଓ ସନ୍ନ୍ୟାସୀ ହେବାକୁ ବାଧ୍ୟ

ଭୁବନେଶ୍ବର: ଜଣେ ସଚ୍ଚା କବିର ନିର୍ଦିଷ୍ଟ କୌଣସି ପଥ କି ଆଦର୍ଶ ନଥାଏ। ତେଣୁ ଜଣେ କବି ଏକାଧାରରେ ପ୍ରେମିକ, ବିଦ୍ରୋହୀ ଓ ସନ୍ନ୍ୟାସୀ ହେବାକୁ ବାଧ୍ୟ। ବିଶ୍ବ ପୁସ୍ତକ ଦିବସ ଅବସରରେ ଟାଇମ୍‌ପାସ ପକ୍ଷରୁ ଆୟୋଜିତ ‘ବହି ବିଷୁବ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ କବି ଓ ପ୍ରଶାସକ ପ୍ରଦୀପ ବିଶ୍ବାଳ ଏହା କହିଛନ୍ତି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଯୁବକବି ଅଶୋକ କୁମାର ସିଂହଙ୍କ ଦ୍ବିଭାଷୀ କବିତା ସଂକଳନ ‘ଦୃଶ୍ୟାନ୍ତର’ ଲୋକାର୍ପିତ ହୋଇଥିଲା। ଏହି ଅଧିବେଶନର ମୁଖ୍ୟବକ୍ତା ଥିଲେ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ଏବଂ ସମୀକ୍ଷକ ଥିଲେ କବି ଶକ୍ତି ମହାନ୍ତି ଓ କବି ପବିତ୍ର ମୋହନ କର। ଦ୍ବିତୀୟ ଅଧିବେଶନରେ ଟାଇମ୍‌ପାସ ଦ୍ବାରା ଓଡ଼ିଆ ଲେଖକଙ୍କ ପ୍ରଥମ ପାଣ୍ଡୁଲିପି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହୋଇଥିବା ଦିପୁନ ପୁହାଣ, ଆଲୋକ ରଂଜନ ଷଡ଼ଙ୍ଗୀ, ଲିପିରେଖା ମହାପାତ୍ର, ଶ୍ରାବଣୀ ନାଥ, ମନୋଜ କୁମାର ବେହେରା, ଅନ୍ନପୂର୍ଣ୍ଣା ଦାସ, ପ୍ରୀତିପଦ୍ମା ପଣ୍ଡା, ସୋନାଲୀ ମାଦେଳୀ, ପ୍ରଜ୍ଞା ପାରମିତା ରଥ, ବିଶ୍ବଭାରତୀ ଦାଶ, ପ୍ରତିଭା ପ୍ରିୟଦର୍ଶିନୀ, ଗତବନ୍ଧୁ ମହାପାତ୍ର, ଲୀନାରାଣୀ ଧଳ, ରାଜଶ୍ରୀ ତ୍ରିପାଠୀ ପ୍ରମୁଖ ୧୪ଜଣ ନବ ଲେଖକଙ୍କ ୧୪ଟି ପୁସ୍ତକ ଲୋକାର୍ପିତ ହୋଇଥିଲା। ଏଥିସହିତ ୩୦ ବର୍ଷରୁ କମ୍‌ ବୟସର ୨୦ ଜଣ କବିଙ୍କ ନିର୍ବାଚିତ କବିତାକୁ ନେଇ ସରୋଜ ବଳଙ୍କ ସଂପାଦିତ ‘କବିତାରା’ ପୁସ୍ତକ ମଧ୍ୟ ଲୋକାର୍ପିତ ‌ହୋଇଥିଲା।

ସମ୍ବନ୍ଧିତ ଖବର