ଇଣ୍ଡିଆ ଟୁଡେ ପକ୍ଷରୁ ‘ଦି ଷ୍ଟେଟ୍‌ ଅଫ୍‌ ଦି ଷ୍ଟେଟ୍‌ କନକ୍ଲେଭ୍‌’

ଓଡ଼ିଶା ଆଗଉଛି, କେନ୍ଦ୍ର ସହାୟତାର ହାତ ବଢ଼ାଉ

ଭୁବନେଶ୍ୱର: ରେଳବାଇରେ ଓଡ଼ିଶାକୁ ଯଥେଷ୍ଟ ଅବହେଳା କରାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ରେଳବାଇର ସାନ୍ଦ୍ରତା ଯଥେଷ୍ଟ କମ୍‌। ରେଳବାଇ ପ୍ରତିବର୍ଷ ଓଡ଼ିଶାରୁ ୭୩ହଜାର କୋଟି ସଂଗ୍ରହ କରୁଥିବା ବେଳେ ଓଡ଼ିଶା ପାଇଁ ରେଳବାଇର ବଜେଟ୍‌ ହେଉଛି ମାତ୍ର ୫ହଜାର କୋଟି। ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ନ୍ୟାୟ ଦେବାରେ କେନ୍ଦ୍ର ସରକାରଙ୍କ ଯଥେଷ୍ଟ ଦାୟିତ୍ୱ ରହିଛି। ସେହପରି ରାଜ୍ୟ ସରକାର ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ସମର୍ଥନ ଦେଉଛନ୍ତି। ମାତ୍ର ଓଡ଼ିଶାର ଗ୍ରାମାଞ୍ଚଳରେ ଟେଲିଫୋନ୍‌ ଓ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସଂଯୋଗ ହୋଇପାରି ନାହିଁ। ସେହିପରି ୫୦ପ୍ରତିଶତ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଶାଖା ମଧ୍ୟ ନାହିଁ। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ହେଉଛି। ଯାହାର ପ୍ରଭାବ ରାଜ୍ୟର ମୋଟ ଘରୋଇ ଉତ୍ପାଦ ଉପରେ ପଡ଼ୁଛି। ତେଣୁ କେନ୍ଦ୍ର ସରକାର ଓଡ଼ିଶାର ସହାୟତା ଦିଗରେ ଆଗେଇ ଆସିବା ଦରକାର ବୋଲି ଆଜି ହୋଟେଲ ମେ ଫେୟାରରେ ଇଣ୍ଡିଆ ଟୁଡେ ପକ୍ଷରୁ ଅନୁଷ୍ଠିତ କନକ୍ଲେଭରେ ‘ଓଡ଼ିଶାର ଦ୍ରୁତ ବିକାଶ : କେନ୍ଦ୍ର-ରାଜ୍ୟଙ୍କ ସହଭାଗିତା’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରି ଏହା କହିଛନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା।

ପ୍ରାରମ୍ଭରେ ଇଣ୍ଡିଆ ଟୁଡେର ଗ୍ରୁପ୍‌ ଏଡିଟୋରିଆଲ ଡିରେକ୍ଟର ରାଜ ଚେଙ୍ଗପ୍ପା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ଗତ କିଛିବର୍ଷ ଭିତରେ ଓଡ଼ିଶାର ଯଥେଷ୍ଟ ବିକାଶ ହୋଇଛି। ଏହାସତ୍ୱେ କେବିକେର ୮ଟି ଜିଲ୍ଲା ଆଜି ଦେଶର ଗରିବ ରାଜ୍ୟ ଭାବେ ପରିଣତ ହେଉଛି। ଦେଶର ବିକାଶରେ ରାଜ୍ୟ ଗୁଡ଼ିକର ବିକାଶ ନିର୍ଭରଶୀଳ। ତେଣୁ ଏଥିପାଇଁ ଇଣ୍ଡିଆ ଟୁଡେ ପକ୍ଷରୁ ସମସ୍ତ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି।
ପ୍ରଥମ ଅଧିବେଶର ବିଷୟବସ୍ତୁ ରହିଥିଲା ‘ଓଡ଼ିଶାର ଆର୍ଥିକ ବୃଦ୍ଧି: ଶିଳ୍ପାୟନରେ ଗୁରୁତ୍ୱ’। ଓଡ଼ିଶାର ବିକାଶ ପାଇଁ କୃଷିକୁ ପ୍ରାଧାନ୍ୟ ଦେବା ସହିତ ଉତ୍ପାଦନ କିଭଳି ବଢ଼ିବା ତାହା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ଏଥିରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର କୁଳପତି ସୁଧାକର ପଣ୍ଡା, ସାଉଥ ଏସିଆନ୍‌ ବିଶ୍ୱବିଦ୍ୟାଳୟର ଉପସଭାପତି ସନ୍ତୋଷ ପଣ୍ଡା, ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ପ୍ରମୁଖ ପ୍ରକାଶ କରିଥିଲେ। ଅଜିତ କୁମାର ଝା ଏହାକୁ ପରିଚାଳନା କରିଥିଲେ।

ଦ୍ୱିତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ପରିବର୍ତନ ପାଇଁ ନୂତନତା: ମାଇନିଂ ଓ ଅଣସଂଗଠିତ କ୍ଷେତ୍ର’। ଓଡ଼ିଶାରେ ଗତ ୧୭ବର୍ଷ ଧରି ରାଜନୈତିକ ସ୍ଥିରତା ସତ୍ୱେ ଯେଉଁଭଳି ବିକାଶ ହେବା କଥା ତାହା ହୋଇନାହିଁ। ଏଥିପାଇଁ କେତେକାଂଶରେ ରାଜନୈତିକ ଇଚ୍ଛାଶକ୍ତିକୁ ଦାୟୀ କରାଯାଇ ପାରିବ। ତେବେ ଓଡ଼ିଶାର ଲୋକଙ୍କ ନିକଟରେ ପୁଞ୍ଜିନିବେଶ ପାଇଁ ଯଥେଷ୍ଟ ଅର୍ଥ ନାହିଁ। ଯାହାଫଳରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଉଦ୍ୟୋଗୀ ଶ୍ରେଣୀଙ୍କ ଯଥେଷ୍ଟ ଅଭାବ ରହିଛି। ଏହାସହ ରାଜ୍ୟରେ ବ୍ୟାପକ ଦୁର୍ନୀତି ମଧ୍ୟ ରାଜ୍ୟର ଅଗ୍ରଗତିକୁ ପଛରେ ପକାଇଛି। ଏଥିରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରକାଶ ଷଡ଼ଙ୍ଗୀ ଓ ଭୁବନେଶ୍ୱରସ୍ଥିତ ଡିଆରଆଇର ନିର୍ଦେଶକ କିଶୋର ସାମଲ ଯୋଗ ଦେଇଥିଲେ।

ତୃତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଓଡ଼ିଶାରେ କୃଷି କ୍ରାନ୍ତି’। ଓଡ଼ିଶାରେ ଏବେ ବି ୧୧ ପ୍ରତିଶତ ଜଳସଂପଦ ରହିଥିବା ବେଳେ ଉର୍ବର ଚାଷ ଜମି ରହିଛି। ତେବେ ଓଡ଼ିଶାରେ ବହୁଥିବା ନଦୀର ୬୫ପ୍ରତିଶତ ଜଳ ସମୁଦ୍ରକୁ ବୋହି ଯାଉଛି। ସେହିପରି ରାଜ୍ୟରେ ଭାଗଚାଷୀଙ୍କ ମଧ୍ୟ ସମସ୍ୟା ରହିଛି। ଏଥିପାଇଁ ରାଜ୍ୟ ସରକାର ଜମି ସଂଶୋଧନ ଆଇନରେ ପରିବର୍ତନ କରିଛନ୍ତି। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି କୃଷି ମନ୍ତ୍ରୀ ଡା.ଦାମୋଦର ରାଉତ, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦେଶକ ଶ୍ରୀଜିତ ମିଶ୍ର ଓ ଏନ୍‌ଆରଏଏର ମୁଖ୍ୟ ନିର୍ବାହୀ ଅଶୋକ ଦଲଓ୍ଵାଇ ପ୍ରମୁଖ ମତ ଦେଇଥିଲେ।

ସମ୍ବନ୍ଧିତ ଖବର