ଆଜି ଖାଲି ତୁ ଆଉ ମୁଁ

ଭୁବନେଶ୍ବର: ଗୋଲାପ ଦିଆସରିଛି। ଟେଡି ଦେଇ ପ୍ରେମିକାଙ୍କ ମନ କିଣାସରିଛି। କେବଳ ପ୍ରେମ ଦିବସକୁ ଅପେକ୍ଷା। ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିବସଟି ବିଶେଷ ମହତ୍ତ୍ବ ରଖୁଥିବା ବେଳେ ଏହି ବହୁ ପ୍ରତୀକ୍ଷିତ ମୁହୂର୍ତରେ ପ୍ରେମିକ/ପ୍ରେମିକାଙ୍କୁ ଭେଟିବା ପାଇଁ ଯୋଜନା ପ୍ରସ୍ତୁତି ଶେଷ ହୋଇଛି। ରାତି ୧୨ଟା ପରେ ମୋବାଇଲ୍‌ରେ ଆରମ୍ଭ ହୋଇଯାଇଥିବା ନିରବ ଉତ୍ସବ। ରାତି ପାହିଲେ ପାର୍କ, ସିନେମା ହଲ୍, ରେଷ୍ଟୁରାଣ୍ଟ୍ ଏବଂ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ଛାଇଯିବ। ନୂଆ ପ୍ରେମୀ ଯୁଗଳ ନିଜ ପ୍ରେମକୁ ବ୍ୟକ୍ତ କରିବା ପାଇଁ ଏହି ଦିବସଟି ଏକ ଭଲ ବାହାନା ହୋଇଥିବାରୁ ଅନେକ କାଲି ‘ଆଇ ଲଭ୍ ୟୁ’ କହି ନିଜ ପ୍ରେମ ଗାଡ଼ିକୁ ଶୁଭାରମ୍ଭ କରିବେ। କିଛି ବର୍ଷ ଧରି ପ୍ରେମର ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମୀ ଯୁଗଳ ପରସ୍ପରକୁ ଭେଟିବାର ବାହାନା ଖୋଜି ବୁଲିବାରେ ମାତିବେ। ନୂଆ କରି ବାହା ହୋଇଥିବା ଦମ୍ପତି ବି ଏହିଦିନଟିକୁ ନିଆରା ଢଙ୍ଗରେ ପାଳନ କରିବେ। ପ୍ରେମ ବିବାହ ହୋଇଥାଉ ଅବା ଯୋଗାଡ଼ ବିବାହ ପରସ୍ପର ବିନା ଦ୍ବିଧାରେ ପ୍ରେମର ଫଗୁ ମାଖିହେବେ।
ମାତ୍ର ରାଜଧାନୀରେ ପ୍ରେମ କଲାବେଳେ ସଙ୍କୋଚ ରହିବ। କଳିଙ୍ଗ ସେନା ପ୍ରେମିକ ପ୍ରେମିକାଙ୍କୁ ଅଶୋଭନୀୟ ମୁହୂର୍ତରେ ପାଇଲେ ବିଛୁଆତି ବୋଳିଦେବେ ବୋଲି ଚେତାବନୀ ଦେଇଥିବାରୁ ତାହା ସେମାନଙ୍କ ମନରୁ ଯିବ ନାହିଁ। ତେବେ ଗଣତାନ୍ତ୍ରିକ ମହିଳା ସମିତି ପ୍ରେମକୁ ସମ୍ମାନ ଦେଇ କେହି ଯଦି ବିଛୁଆତି ବୋଳେ ତେବେ ତାଙ୍କୁ ବେଲଣା କାଠିରେ ପିଟିବେ ବୋଲି କହିବା ପରେ ସଙ୍କୋଚ ସାମାନ୍ୟ କମିଛି।

ଭା‌ଲେଣ୍ଟାଇନ ଡେ ପାଇଁ କମିସନରେଟ ପୁଲିସ ପ୍ରସ୍ତୁତ
ଭୁବନେଶ୍ବର: ଭାଲେଣ୍ଟାଇନ୍‌ ଡେ’ ପାଇଁ କମିସନରେଟ ପୁଲିସ ପ୍ରସ୍ତୁତ ଅଛି। ଭୁବନେଶ୍ବରର ସମସ୍ତ ସିନେମା ହଲ, ପାର୍କ ଓ ମଲରେ ପୁଲିସ ଫୋର୍ସ ମୁତୟନ ହେବେ। ଏଥିପାଇଁ ପାଖାପାଖି ୫ ପ୍ଲାଟୁନ ଫୋର୍ସର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ବିଭିନ୍ନ ସ୍ଥାନରେ ପୁଲିସର ପିସିଆର ଭ୍ୟାନ ପଇଁତରା ମାରିବ। କୌଣସି ସ୍ଥାନରେ କେହି ବିଶୃଙ୍ଖଳା ସୃଷ୍ଟି କଲେ, ପୁଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ପୁଲିସ କମିସନର ଶ୍ରୀ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭାଲେଣ୍ଟାଇନକୁ ବିରୋଧ କରୁଥିବା କେତେକ ସଂଗଠନ ଚଳିତ ବର୍ଷ ବି‌ରୋଧ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ବେ ଯଦି କେହି ଆଇନକୁ ହାତକୁ ନେବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭା‌ଲେଣ୍ଟାଇନ ଡେ’କୁ ଅଶ୍ଳୀଳତା ନ ଥିବା ପର୍ଯ୍ୟନ୍ତ ଉପଭୋଗ କରିବାକୁ ଦିଆଯିବ। ଏଥିପାଇଁ ଡିସିପି, ଜୋନ ଏସିପି ଓ ଇନ୍ସପେକ୍ଟରମାନଙ୍କୁ ସର୍ତକ ରହିବାକୁ ପୁଲିସ କମିସନର ଶ୍ରୀ ମହାନ୍ତି ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର