ଆଜି ଗୁରୁ ଦିବସ: ଗୁରୁଙ୍କ ବିନା ସବୁ ଅସମ୍ପୂର୍ଣ୍ଣ

ଭୁବନେଶ୍ୱର: ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଅନ୍ଧକାରକୁ ଦୂର କରି ଆଲୋକର ବାଟ ଦେଖାଇବାରେ ଗୁରୁଙ୍କ ଅବଦାନ ଅତୁଳନୀୟ। କୁହାଯାଏ ଆମ ଚଲାପଥ ଗୁରୁଙ୍କ ବିନା ଅସମ୍ପୂର୍ଣ୍ଣ। ଗୁରୁଙ୍କ ହାତ ଆମ ମୁଣ୍ଡରେ ରହିଲେ ଦୁନିଆର କଠିନରୁ କଠିନତର କାମ ଅତି ସହଜ ହୋଇଯାଏ। ସେଥିପାଇଁ ପିତା, ମାତା ଓ ଗୁରୁ ହେଉଛନ୍ତି ଆମ ଚଳନ୍ତି ପ୍ରତିମା। ପଥରର ମୂର୍ତ୍ତିକୁ ପୂଜା ନ କରି ଚଳନ୍ତି ଦେବତାଙ୍କୁ ପୂଜା କଲେ ସେମାନଙ୍କ ଆଶୀର୍ବାଦ ସଦାସର୍ବଦା ଆମ ଉପରେ ରହିବ। ସମାଜରେ ଗୁରୁ ଶିଷ୍ୟଙ୍କ କହାଣୀ ଅନେକ ରହିଛି। ଏକଲବ୍ୟଙ୍କଠାରୁ ଆରମ୍ଭ କରି ଚାଣକ୍ୟ-ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଶିବାଜୀ ମହାରାଜ-ସମ୍ରାଟ ରାମଦାସ, ରାମକୃଷ୍ଣ ପରମହଂସ- ସ୍ୱାମୀ ବିବେକାନନ୍ଦ, ଗୋପାଳ କୃଷ୍ଣ ଗୋଖଲେ- ମହାତ୍ମାଗାନ୍ଧୀଙ୍କ ପରି ଗୁରୁ ଶିଷ୍ୟଙ୍କ କାହାଣୀ ଅତୁଳନୀୟ। ସେମାନେ ଆଜିର ଗୁରୁ-ଶିଷ୍ୟଙ୍କ ପାଇଁ ପ୍ରେରଣା ଉତ୍ସ। ସେମିତି କିଛି ସଫଳ ତରୁଣ ପ୍ରତିଭା କ’ଣ କୁହନ୍ତି ସେମାନଙ୍କ ଗୁରୁଙ୍କ ବିଷୟରେ…

ମୋ ସଫଳତାରେ ଗୁରୁ ବହୁତ ଖୁସି
ଘରର ପରିବେଶ ସଙ୍ଗୀତମୟ। ପରିବାରର ସମସ୍ତ ସଦସ୍ୟଙ୍କ ଭିତରେ ସଙ୍ଗୀତ ଓତପ୍ରୋତ ଭାବେ ଜଡ଼ିତ। ମୋ ଶିରା ପ୍ରଶିରାରେ ମଧ୍ୟ ରକ୍ତଠାରୁ ସଙ୍ଗୀତ ଅଧିକ ବହୁଛି। ଏହି ସଙ୍ଗୀତ ଆଉ ମୋ ଭିତରର ଯୋଗସୁତ୍ର ହେଉଛନ୍ତି ଗୁରୁ ସୁଶାନ୍ତ କୁମାର ସେନାପତି। ତାଙ୍କର ଚଲାପଥରେ ଯାଇ ଆଜି ମୁଁ ସଫଳତା ପାଇ ପାରିଛି। ତାଙ୍କଠାରୁ ଶିଖିଥିବା ଶାସ୍ତ୍ରୀୟ ଗୀତରେ ମୁଁ ପରିଚିତ। ପିଲା ବେଳୁ ଅନେକ ମଞ୍ଚରେ ଗୀତ ଗାଇଛି ଆଉ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲି। ଯେବେ ପ୍ରଥମ ଥର ସାର୍ଥକ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ରିଏଲିଟି ସୋ’ ସାରେଗାମା ପା ଲିଟିଲ ଚ୍ୟାମ୍ପରେ ଭାଗନେଲି, ସେବେ ମୋଠାରୁ ମୋ ଗୁରୁ ଅଧିକ ଖୁସି ହୋଇଥିଲେ। ସେହି ଦିନ ତାଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା। କେବଳ ଗୁରୁ ଦିବସରେ ନୁହେଁ ପ୍ରତ୍ୟେକ ଦିନ ସେ ମୋ ପାଇଁ ପୂଜ୍ୟ।
ସତ୍ୟଜିତ ଜେନା, କଣ୍ଠଶିଳ୍ପୀ

ପ୍ରକୃତ ଗୁରୁ ଏକା ଚାଲିବାକୁ ଶିକ୍ଷା ଦିଅନ୍ତି
ମୋ ସଫଳତାର ଶ୍ରେୟ ମୁଁ ଜଣେ ଗୁରୁଙ୍କୁ ଦେଇ ପାରିବି ନାହିଁ। କ୍ୟାରିୟର ଆରମ୍ଭରୁ ଏ ଯାଏଁ ବିଭିନ୍ନ ପର୍ଯ୍ୟାୟରେ ଅନେକ ଗୁରୁଙ୍କଠାରୁ ମୁଁ ଶିକ୍ଷା ଲାଭ କରୁଛି। ସେମାନଙ୍କ ଦିଗଦର୍ଶନ ଓ ଭଲ ପାଇବା ପାଇଁ ମୁଁ ଆଜି ଏଠାରେ ପହଞ୍ଚି ପାରିଛି। ଅନେକ ସମୟରେ ଭାବେ ଯଦି ମୋର ଗୋଟିଏ ଗୁରୁ ରହି ମାର୍ଗଦର୍ଶନ କରିଥା’ନ୍ତେ, ତେବେ ଏତେ ସଫଳତାର ପାହାଚ ଚଢ଼ି ପାରି ନଥା’ନ୍ତି। ଅନେକ ଗୁରୁଙ୍କ ଆର୍ଶୀବାଦ ପାଇଁ ସଫଳ ହୋଇପାରିଛି। ମୁଁ ମୋ ଗୁରୁଙ୍କ ଭିତରେ ମୋ ପ୍ରତି ସ୍ନେହ ଦେଖିଛି। ମୋ ମତରେ ଜଣେ ପ୍ରକୃତ ଗୁରୁ ସେତବେଳେ ବିବେଚିତ ହେବେ ଯେତେବେଳେ ଜଣେ ଛାତ୍ର ଏକା ଆଗକୁ ବଢ଼ିବାରେ ସାହସ କରିପାରୁଥିବ। ଆଉ ଏହି ଶିକ୍ଷା ମୋ ଗୁରୁମାନେ ମତେ ଦେଇଛନ୍ତି। ଗୁରୁଙ୍କ ବିନା ଶିକ୍ଷା ଅଧା। ସେମାନଙ୍କ ପ୍ରେରଣାରେ ଆମର ଲମ୍ବା ଭବିଷ୍ୟତ ଲୁଚି ରହିଛି।
ପଦ୍ମିନୀ ରାଉତ, ଚେସ୍‌ ତାରକା

ସମ୍ବନ୍ଧିତ ଖବର