ପରିବେଶ ପର୍ଯ୍ୟଟନର ଚାହିଦା ବଢ଼ୁଛି

ଏକାଠି ମାନସ ମନ୍ଥନ କଲେ ପର୍ଯ୍ୟଟନ ଓ ପରିବେଶ ବିଭାଗ

ଭୁବନେଶ୍ୱର: ଗତ କିଛି ବର୍ଷ ହେଲା ପରିବେଶ ପର୍ଯ୍ୟଟନର ଚାହିଦା ବଢ଼ିବାରେ ଲାଗିଛି। ରାଜ୍ୟ ଭିତର ଓ ବାହାର ପର୍ଯ୍ୟଟକମାନେ ପ୍ରକୃତି ଓ ପରିବେଶରେ ସମୟ କାଟିବାକୁ ପସନ୍ଦ କରୁଛନ୍ତି। ରାଜ୍ୟରେ ପରିବେଶ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରତି ବର୍ଷ ବଢ଼ୁଛି। ଏହାକୁ ଅଧିକ ବ୍ୟବସ୍ଥିତ ତଥା ଲୋକପ୍ରିୟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମିଳିତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ଉଭୟ ବିଭାଗର ମିଳିତ ଆନୁକୂଲ୍ୟରେ ହୋଟେଲ ମେ’ ଫେୟାରଠାରେ ପରିବେଶଭିତ୍ତିକ ପର୍ଯ୍ୟଟନକୁ ନେଇ ଦିନିକିଆ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶ ଓ ଏହାକୁ କିପରି ପର୍ଯ୍ୟଟକଙ୍କ ନିକଟତର କରାଯାଇ ପାରିବ, ସେଥିପାଇଁ ମାନସ ମନ୍ଥନ କରିବାକୁ ଉଭୟ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଟୁର୍‌ ଅପେରଟର୍‌ମାନେ ଏକାଠି ହୋଇଥିଲେ। ଆଲୋଚନାଚକ୍ରରେ ଯୋଗ ଦେଇ ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌ କହିଥିଲେ, ଗ୍ରାମୀଣ ପର୍ଯ୍ୟଟନକୁ ନେଇ ଗ୍ରାମ୍ୟ ଲୋକଙ୍କ ଜୀବନ ଜୀବିକା ପ୍ରସ୍ତୁତ କରିବା ଆବଶ୍ୟକ। ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ଦିଗରେ ପଦକ୍ଷେପ ନିଆଯାଇ ପାରିଲେ ପ୍ରକୃତ ଅର୍ଥରେ ପର୍ଯ୍ୟଟନର ବିକାଶ ହୋଇପାରିବ। ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ, ପ୍ରାକୃତିକ ବନାନୀ ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଓଡ଼ିିଶା ଧନୀ। ଜଙ୍ଗଲ, ଗାଁ ପରିବେଶ, ବେଳାଭୂମି, ଐତିହ୍ୟ ପ୍ରତିଟି ଜିନିଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିବ। ତେବେ ଏଥିପାଇଁ ଉପଯୁକ୍ତ ପ୍ରସ୍ତୁତିର ଆବଶ୍ୟକତା ରହିଛି। ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ, ବିଭାଗୀୟ ନିର୍ଦ୍ଦେଶକ ନୀତିନ୍‌ ଭାନୁଦାସ ଜାୱାଲେ ଓ ଇନ୍‌ଡେକୋ ହୋଟେଲର ସଭାପତି ଷ୍ଟିଭ୍‌ ବୋର୍ଜିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ସମୟରେ ପରିବେଶ ପର୍ଯ୍ୟଟନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ସୂଚନାନୁଯାୟୀ, ବର୍ତ୍ତମାନ ରାଜ୍ୟରେ ୩୮ଟି ପରିବେଶ ପର୍ଯ୍ୟଟନସ୍ଥଳୀ ରହିଛି। ଏହାର ପରିଚାଳନା ପାଇଁ ୫୦୦ରୁ ଅଧିକ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଇଛି। ସାଧାରଣତଃ ଓଡ଼ିଶାରେ ପରିବେଶ ପର୍ଯ୍ୟଟନସ୍ଥଳୀଗୁଡ଼ିିକ ନଦୀ, ସମୁଦ୍ର, ଜଙ୍ଗଲ ଓ ପାହାଡ ପାଖାପାଖି ଅଞ୍ଚଳରେ ଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ୨୦୧୭-୧୮ ବର୍ଷରେ ରାଜ୍ୟର ପରିବେଶ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ୧୩ ହଜାର ୮୯୨ ଜଣ ପର୍ଯ୍ୟଟକ ରହିଥିବା ବେଳେ ସେମାନଙ୍କଠାରୁ ୩ କୋଟି ୪୦ ଲକ୍ଷ ୧୪ ହଜାର ୬୨୬ ଟଙ୍କା ରାଜସ୍ୱ ମିଳିଥିଲା। ଏ ବର୍ଷ ବର୍ତ୍ତମାନ ସୁଦ୍ଧା ୧,୬୫୦ ପର୍ଯ୍ୟଟକ ଆସିଥିବା ବେଳେ ବିଭାଗକୁ ୪୮ ଲକ୍ଷ ୪୫ ହଜାର ୨୮୭ ଟଙ୍କା ମିଳି ସାରିଛି। ଚଳିତ ପର୍ଯ୍ୟଟନ ଋତୁ ଶେଷ ବେଳକୁ ଏହା ୭ କୋଟି ଟପିିବ ବୋଲି ବିଭାଗ ଆଶା ରଖିଛି।

ସମ୍ବନ୍ଧିତ ଖବର