ଆଜି ରଥଯାତ୍ରା : ରାଜଧାନୀରେ ଟ୍ରାଫିକ୍‌ କଡ଼ାକଡ଼ି

ଭୁବନେଶ୍ୱର: ଆଜି ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଚଳିତ ବର୍ଷ ପାଖାପାଖି ୫୦ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଅଧିକାଂଶ ଭକ୍ତ ଭୁବନେଶ୍ୱର ଓ କଟକ ହୋଇ ପୁରୀ ଯିବେ। ଏଥିପାଇଁ ରଥଯାତ୍ରା ଦିନ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି। ଏ ନେଇ ଆଜି ସଂଧ୍ୟାରେ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ କଟକ ପଟୁ ପୁରୀକୁ ଯିବାକୁ ଥିବା ସମସ୍ତ ଗାଡ଼ି ସପ୍ତଶତୀ ମନ୍ଦିର ନିକଟରେ ବାମକୁ ଡାଇଭର୍ସନ କରି ନୂଆ ବାଇପାସ୍‌ ରାସ୍ତା ବାଟେ ଯିବେ। ସେହିପରି ଖୋର୍ଧାପଟୁ ଆସୁଥିବା ସମସ୍ତ ଭାରୀଯାନକୁ ପୂର୍ବଭଳି ପିତାପଲ୍ଲୀ ନିକଟରୁ ଡାଇଭର୍ସନ କରାଯିବ। କେବଳ ବସ୍‌ଗୁଡ଼ିକୁ ସହର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ।

ଜାତୀୟ ରାଜପଥ ୨୦୩ ଓ ୨୧୬ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଟ୍ରାଫିକ୍‌ ପୁଲିସ ଜଗି ରହିବେ। କେବଳ ପୁରୀ ରଥଯାତ୍ରା ପାଇଁ ଭୁବନେଶ୍ୱର ସୃଷ୍ଟି ହେବାକୁ ଥିବା ଟ୍ରାଫିକ୍‌ ସମସ୍ୟାରେ ନିୟନ୍ତ୍ରଣ ପାଇଁ ଜଣେ ଟ୍ରାଫିକ୍‌ ଏସିପିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କ ଅଧୀନରେ ୩୨ ଜଣ ଅଫିସର, ୪ ପ୍ଲାଟୁନ୍‌ ଫୋର୍ସ, ୧୪୦ ଜଣ ହୋମଗାର୍ଡ, ୨୫୦ ଜଣ ସ୍ୱେଚ୍ଛାସେବୀ ଓ ୨୦୦ ଜଣ ଏନ୍‌ସିସି କ୍ୟାଡେଟ୍‌ ନିୟୋଜିତ ହେବେ। ସକାଳ ୬ଟାରୁ ପଳାସୁଣୀଠାରୁ ସାମନ୍ତରାପୁର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ୭ଟି ଟ୍ରାଫିକ୍‌ ଏଡ୍‌ପୋଷ୍ଟ ନିର୍ମାଣ ହେବ। କଟକରୋଡ୍‌ରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୭ଟି ଟ୍ରାଫିକ୍‌ ଏଡ୍‍ପୋଷ୍ଟ ନିର୍ମାଣ କରାଯାଇଛି। ଦିନ ରାତି ୨୪ ଘଣ୍ଟା ଏଠାରେ ଟ୍ରାଫିକ୍‌ ପୁଲିସ ଜଗି ରହିବେ। ଆବଶ୍ୟକ ହେଲେ ସୁନାବେଶ, ବାହୁଡ଼ାଯାତ୍ରା ଦିନ ମଧ୍ୟ ଏଭଳି ସୁରକ୍ଷା ବ୍ୟବସ୍ଥା ରହିବ।

ସେହିପରି କୌଣସି ସ୍ଥାନରେ ଅଘଟଣ ଘଟିଲେ କିମ୍ବା ଦୁର୍ଘଟଣା ଘଟିଲେ ଭିଡ଼ ନିୟନ୍ତ୍ରଣ ଲାଗି ଗୋଟିଏ କୁଇକ୍‌ ରେସପନ୍ସ ଟିମ୍‌ ସହର ସାରା ପଇଁତରା ମାରିବ। ଏହାଛଡ଼ା ସପ୍ତଶତୀ ମନ୍ଦିର, ଦୟା ପୋଲ, ବରମୁଣ୍ଡା ଓ ମ୍ୟୁଜିୟମ ଛକରେ ୪ଟି କ୍ରେନ୍‌ ମହଜୁଦ ରହିବ। ସପ୍ତଶତୀ ମନ୍ଦିର ନିର୍ମାଣାଧୀନ ଓଭରବ୍ରିଜ୍‌ କାମ ଶେଷ ହୋଇ ପାରି ନ ଥିବାରୁ ସେଠାରେ ଏକ କ୍ରେନ୍‌ ଓ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ପୁଲିସ କର୍ତୃପକ୍ଷ ସିଂପ୍ଲେକ୍ସକୁ ନିର୍ଦେଶ ଦେଇଛନ୍ତି। ରଥଯାତ୍ରାବେଳେ ଅନେକ ଭିଆଇପି, ଭିଭିଆଇପି ଭୁବନେଶ୍ୱରରୁ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ପାଇଲଟିଂ ଓ ଏସକର୍ଟ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସେଣ୍ଟ୍ରାଲ ସିକ୍ୟୁରିଟି ୟୁନିଟଙ୍କୁ ମୁତୟନ କରାଯାଇଛି। ଯେଉଁ ଭିଆଇପିମାନେ ଚାହିଁବେ ଏହି ସେବା ନେଇ ପାରିବେ।

ସମ୍ବନ୍ଧିତ ଖବର