ନନ୍ଦନକାନନ ପରିଦର୍ଶନ କଲେ କେନ୍ଦ୍ର ପରିବେଶ ମନ୍ତ୍ରୀ

ବାରଙ୍ଗ: ଭୁବନେଶ୍ବରରେ ସର୍ବଭାରତୀୟ ଡିଏଫଓମାନଙ୍କର ଦୁଇଦିନିଆ କର୍ମଶ‌ାଳା ଅନୁଷ୍ଠିତ ହୋଇଛି। ଚିଡ଼ିଆଖାନା ଗୁଡ଼ିକର ବର୍ଜ୍ୟ ପରିଚାଳନା କରି ଇକୋ ଫ୍ରେଣ୍ଡଲି (ପରିବେଶ ଅନୁକୂଳ) କରିବା ଲାଗି ଏଥିରେ ଆଲୋଚନା ହୋଇଥିଲା। ଚିଡ଼ିଆଖାନାଗୁଡ଼ିକୁ ବିଶ୍ବସ୍ତରୀୟ କରିବାକୁ ଭାରତ ସରକାର ଯୋଜନା କରିଛନ୍ତି ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି।

ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଥିଲେ। ଆଜି ଅପରାହ୍ନ ସାଢ଼େ ୪ଟାରେ ସେ କେନ୍ଦ୍ରୀୟ ଚିଡ଼ିଆଖାନା ସଚିବ ଓ କର୍ମଚାରୀଙ୍କ ସହ ପହଞ୍ଚିଥିଲେ। ନନ୍ଦନକାନନର ଅତିଥି ଭବନରେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ବିହଙ୍ଗ ସରଣୀ, ମୁକ୍ତାକାଶ ଚଲାପଥ ପକ୍ଷୀ ବିହାର, ଭାଲୁ, ବାଘ, ହାତୀ, ଜିରାଫ ଘର ବୁଲି ଦେଖିଥିଲେ। ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି. ନାୟର, ଉପନିର୍ଦ୍ଦେଶକ ସଂଜିତ କୁମାର,ଏସିଏଫ୍ ଶରତ କୁମାର ବିଶ୍ବାଳ, ଜନ୍ତୁ ବିଭାଗ ରେଞ୍ଜ ଅଫିସର ସୁଦୀପ୍ତ କୁମାର ପଣ୍ଡାଙ୍କ ସମେତ ଅଧିକାରୀ ଓ କର୍ମଚାରୀ ସେମାନଙ୍କୁ ବୁଲାଇ ଦେଖାଇଥିଲେ। ଏହାପୂର୍ବରୁ ପୂର୍ବାହ୍ନରେ ଭୁବନେଶ୍ବରରେ ସର୍ବଭାରତୀୟ ଡିଏଫଓ ସମ୍ମିଳନୀରେ ଭାଗ ନେଇଥିବା ୭୦ ରୁ ଊର୍ଦ୍ଧ୍ବ ଅଧିକାରୀ ନନ୍ଦନକାନନ ପରିଭ୍ରମଣ କରି ଫେରିଥିଲେ।

ସମ୍ବନ୍ଧିତ ଖବର