ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟିର ବିକ୍ଷୋଭ

ଭୁବନେଶ୍ୱର: ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅପରାହ୍‌ଣରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି କମିଟିର ସଦସ୍ୟମାନେ ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ। ସେଠାରୁ କମିଟିର ସଂଯୋଜକ ଅମିୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ୬ ଜଣିଆ ଏକ ପ୍ରତିନିଧିଦଳ ରାଜ୍ୟ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

କମିଟିର ଦାବି ଅନୁଯାୟୀ, ୬ଷ୍ଠ ୟୁଜିସି ବେତନ ହାରର ସମସ୍ତ ତ୍ରୁଟି ଦୂର କରି ଅଧ୍ୟାପକ, ଅବସରପ୍ରାପ୍ତ ଅଧ୍ୟାପକ, ଡେମନଷ୍ଟ୍ରେଟର, ପିଇଟି, ଗ୍ରନ୍ଥାଗାରିଙ୍କୁ ୭ମ ବେତନ କମିସନ ହାରରେ ଦରମା ପ୍ରଦାନ, କଲେଜ ଶିକ୍ଷକଙ୍କ ଦରମା ୟୁଜିସି ଦରମା ହାରରେ ସମ୍ପ୍ରସାରଣ, ଚାକିରି ସର୍ତ୍ତାବଳୀ ସହ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ, ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଶିକ୍ଷକ ସଙ୍ଗଠନଙ୍କୁ ପରାମର୍ଶଦାତା ଭାବେ ରଖିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଉଚ୍ଚଶିକ୍ଷା ସମ୍ପର୍କିତ ବିଭିନ୍ନ ନୀତିଗତ ପ୍ରସଙ୍ଗ ଓ ବିଶ୍ୱବିଦ୍ୟାଳୟ-କଲେଜ ଅଧ୍ୟାପକଙ୍କ ବୃତ୍ତିଗତ ସମସ୍ୟାର ସମାଧାନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ାଯାଇଛି ବୋଲି ସଂଯୋଜକ ଶ୍ରୀ ମହାନ୍ତି କହିଛନ୍ତି। ଏହି ବିକ୍ଷୋଭରେ ରବି ରାୟ, ମାନସ ବେହେରା, ସନ୍ତୋଷ ତ୍ରିପାଠୀ, ଅକ୍ଷୟ ମହାପାତ୍ର, ଉମାକାନ୍ତ ପାତ୍ର, ଦୁର୍ଯ୍ୟୋଧନ ପରିଡ଼ା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର