ସୁଧୁରିବନି କି ୟୁନିଭର୍ସିଟି ହାଇସ୍କୁଲ? ମାସେ ପରେ ବି ତଥ୍ୟ ଦେଉନି ଉତ୍କଳ ବିଶ୍ବବିଦ୍ୟାଳୟ

ଚିଠି ଲେଖି ମନେ ପକାଇଲେ ଉଚ୍ଚଶିକ୍ଷା ଉପ ସଚିବ

ଭୁବନେଶ୍ବର : ୟୁନିଭର୍ସିଟି ହାଇସ୍କୁଲର ଭବିଷ୍ୟତ ନେଇ ଆଶା ଆଶଙ୍କା ଜାରି ରହିଛି। ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ଜାନୁଆରି ୧୩ରେ ତଥ୍ୟ ମଗାଯାଇଥିବା ବେଳେ ବିଶ୍ବବିଦ୍ୟାଳୟ କୁଳସଚିବ ଏପର୍ଯ୍ୟନ୍ତ ତଥ୍ୟ କିମ୍ବା ଉତ୍ତର ଦେଇ ନାହାନ୍ତି। ଯାହାକୁ ନେଇ ବିଭାଗୀୟ ଉପ ସଚିବ ରଞ୍ଜିତ୍‌ କୁମାର ଦାଶ ସୋମବାର ପୁଣିଥରେ କୁଳସଚିବଙ୍କୁ ଚିଠି ଲେଖି ପୁରୁଣା ଚିଠି କଥା ମନେ ପକାଇ ଦେଇଛନ୍ତି। ଆଉ ବିଳମ୍ବ ନ କରି ଯେତେଶୀଘ୍ର ସମ୍ଭବ ପୂର୍ଣ୍ଣାଙ୍ଗ ତଥ୍ୟ ବିଭାଗ ନିକଟରେ ଦାଖଲ କରିବାକୁ କୁହାଯାଇଛି।

ବିଭାଗୀୟ ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକୋରା ଜାନୁଆରି ୧୩ରେ କୁଳସଚିବଙ୍କୁ ଲେଖିଥିବା ଚିଠିରେ କହିଥିଲେ ଯେ ଉତ୍କଳ ବିଶ୍ବବିଦ୍ୟାଳୟ ସହ ୟୁନିଭର୍ସିଟି ହାଇସ୍କୁଲ ପରିଚାଳନା ଉଚ୍ଚଶିକ୍ଷା ବିଭାଗର ଦାୟିତ୍ବ ନୁହେଁ। ତା’ ପରେ ବି ହାଇସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ/ଅଣଶିକ୍ଷକ ପଦବି ପୂରଣ ଲାଗି ଆପଣ ଦେଇଥିବା ପ୍ରସ୍ତାବ ଉପରେ ବିଚାର କରାଯିବ। ଏଥିପାଇଁ କେତେକ ତଥ୍ୟ ଦେବାର ଆବଶ୍ୟକତା ରହିଛି। ହାଇସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାର କେବେ ନିର୍ଦେଶ ଦେଇଥିଲେ। ପଦବି କେବେ ସୃଷ୍ଟି ହୋଇଥିଲା। ଅନୁମୋଦିତ ପଦବି ସଂଖ୍ୟା କେତେ ଓ ଏବେ କେତେ ଜଣ କାର୍ଯ୍ୟରତ ରହିଛନ୍ତି ଏବଂ କେତେ ସଂଖ୍ୟକ ପଦବି ଖାଲି ପଡ଼ିଛି, ତାହାର ତଥ୍ୟ ପ୍ରଦାନ କର। ଏଥିସହ ଛାତ୍ରଛାତ୍ରୀଙ୍କ ନାମଲେଖା ସମ୍ପର୍କିତ ତଥ୍ୟ, ଗତ ୫ବର୍ଷ ମଧ୍ୟରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ ଏବଂ କେତେଜଣ କୃତକାର୍ଯ୍ୟ ହୋଇଛନ୍ତି, ସେ ସମ୍ପର୍କିତ ତଥ୍ୟ ବିଭାଗକୁ ପଠାଇବାକୁ ସେ କହିଥିଲେ।

ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ମୌନତାକୁ ନେଇ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କେଉଁ କାରଣ ପାଇଁ କୁଳସଚିବ ତଥ୍ୟ ଦେଉ ନାହାନ୍ତି ତାହାକୁ ନେଇ ପୁରାତନ ଛାତ୍ରଛାତ୍ରୀ ବି ସ୍ବର ଉଠାଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ପରି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ଜାତୀୟ, ଅନ୍ତର୍ଜାତୀୟସ୍ତରରେ ସଫଳତା ହାସଲ କରିଛନ୍ତି। ଅନେକ ଆଇଏଏସ୍‌, ଆଇପିଏସ୍‌, ଓଏଏସ୍‌, ସାମ୍ବାଦିକ, ଶିକ୍ଷାବିତ୍‌ ମଧ୍ୟ ଏଠାରୁ ପଢ଼ି ନିଜର କ୍ୟାରିଅର ଗଢ଼ିଛନ୍ତି। କିନ୍ତୁ ଏଭଳି ଏକ ଶିକ୍ଷାନୁଷ୍ଠାନ ଏବେ ସଙ୍କଟରେ। ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ୬୩୦ ପିଲା ପଢ଼ୁଥିଲେ ମଧ୍ୟ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ସମସ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ବିକାଶ ପାଇଁ ଆନ୍ତରିକତାର ଅଭାବ ଦେଖାଦେଇଛି। ଯେଉଁଥିପାଇଁ ସବୁଥାଇ ନିଃସ୍ବ ହେବାକୁ ବସିଛି ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ। ଆଗରୁ ଗୋଟିଏ କ୍ଲାସକୁ ଏକାଧିକ ସେକ୍ସନ୍‌ରେ ବିଭକ୍ତ କରାଯାଇ ଶିକ୍ଷା ଦିଆଯାଉଥିଲା। ମାତ୍ର ଏବେ ଶିକ୍ଷକ ଅଭାବ ପାଇଁ ତାହା ବି ବନ୍ଦ ହୋଇଯାଇଛି। ଗୋଟିଏ ସେକ୍ସନରେ ଖୁନ୍ଦାଖୁନ୍ଦି ହୋଇ ପିଲା ପଢ଼ୁଛନ୍ତି।

ସୂଚନାଯୋଗ୍ୟ ଯେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଲାଗି କିଛି ଦିନ ତଳେ ପୁରାତନ ଛାତ୍ରଛାତ୍ରୀ ୪୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ହାଇସ୍କୁଲ ପୁରାତନ ଛାତ୍ର ସଙ୍ଗଠନ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ବିଦ୍ୟାଳୟ ପରିସରରେ ଏକ ବହୁମୁଖୀ ଗୃହ ତଥା ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ସେଣ୍ଟର ଓ ଇନ୍‌ଡୋର୍ ହଲ୍ ନିର୍ମାଣ ପାଇଁ ଏହି ଆର୍ଥିକ ସହାୟତା ଦେଇଥିଲେ। ପରବର୍ତୀ ସମୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର