ଉତ୍କଳ ବିଶ୍ବବିଦ୍ୟାଳୟ ଫାଟକକୁ ନେଇ ମୁହାଁମୁହିଁ: ଆଜି ଆନ୍ଦୋଳନ କରିବ ଭିଏସ୍‌ଏସ୍‌ନଗର ଉନ୍ନୟନ ପରିଷଦ

ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ କଲୁ: ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପଛ ପାଖରେ ଥିବା ତିନି ନମ୍ବର ଫାଟକକୁ ବନ୍ଦ କରାଯାଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ଏବେ ନୂଆ ବିବାଦ ଛିଡ଼ା କରିଛି। ତିନି ନମ୍ବର ଫାଟକ ଖୋଲା ରହିଲେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ଥିବା କିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷେ ଫାଟକ ନ ଖୋଲିଲେ ଭିଏସ୍‌ଏସ୍‌ନଗର ଉନ୍ନୟନ ପରିଷଦ ପକ୍ଷରୁ ଜୋର୍‌ଦାର୍‌ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଏନେଇ ଆସନ୍ତାକାଲି ପରିଷଦ ବିଶ୍ବବିଦ୍ୟାଳୟର ଗେଟ୍‌-୩ ସମ୍ମୁଖରେ ଆନ୍ଦୋଳନ କରିବ ବୋଲି ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛି।

ପରିଷଦ ଅଭିଯୋଗ ମୁତାବକ, ୪୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ଫାଟକ ଖୋଲା ରହିଥିଲା। ଭିଏସ୍‌ଏସ୍‌ନଗର, ଚକେଇସିହାଣୀ, ସମେଇଗାଡ଼ିଆ, ମଞ୍ଚେଶ୍ବର, ଭୋଟପଡ଼ା, ରଙ୍ଗମାଟିଆ ପ୍ରମୁଖ ଅଞ୍ଚଳର ଲୋକମାନେ ଏହି ‌ଫାଟକ ଦେଇ ଯାତାୟାତ କରୁଥିଲେ। କିନ୍ତୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଗତକାଲି ଏହି ଫାଟକକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଫଳରେ ଏହି ବାଟ ଦେଇ ନିତିଦିନ ଯାତାୟାତ କରୁଥିବା ଶତାଧିକ ଲୋକ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଗତକାଲି ସଂଧ୍ୟାରେ ଏହାକୁ ନେଇ ଫାଟକ ନିକଟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସ୍ଥାନୀୟ ଲୋକ ଫାଟକ ଭାଙ୍ଗିବାକୁ ଚେତାବନୀ ଦେଇ ଗାଳିଗୁଲଜ କରିଥିଲେ।

ବିଶ୍ବବିଦ୍ୟାଳୟ ଉନ୍ନୟନ ଅଧିକାରୀ ମନୋରଞ୍ଜନ ସେନାପତି କହିଛନ୍ତି, କ୍ୟାମ୍ପସ୍‌କୁ ଯାତାୟାତ ପାଇଁ ଜାତୀୟ ରାଜପଥକୁ ଲାଗି ୧ନମ୍ବର ଫାଟକ ଓ ଆଚାର୍ଯ୍ୟବିହାର ପାଖକୁ ୨ନମ୍ବର ଫାଟକ ରହିଛି। ଏବେ ବାଣୀବିହାର ଛକ ନିକଟରେ କ୍ୟାମ୍ପସ୍‌କୁ ଏକ ନୂଆ ପ୍ରବେଶ ପଥ ନିର୍ମାଣ କରାଯିବ। ଏହା ପରେ ବର୍ତ୍ତମାନ ମୁଖ୍ୟ ଦ୍ବାରକୁ ପ୍ରସ୍ଥାନ ଫାଟକ କରାଯିବ। କ୍ୟାମ୍ପସ୍‌ ଭିତରେ ୭ଟି ଛାତ୍ରୀ ଓ ୭ଟି ଛାତ୍ରାବାସ ରହିଛି। କିନ୍ତୁ କ୍ୟାମ୍ପସ୍‌ ଭିତର ଦେଇ ବାହାରର ବହୁତ ଗାଡ଼ି ୩ ନମ୍ବର ଫାଟକ ଦେଇ ଯା’ ଆସ କରୁଛି। ଏହାଦ୍ବାରା ଅସାମାଜିକଙ୍କ ଦୌରାତ୍ମ୍ୟ ବଢ଼ୁଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ରହୁଛି। ସବୁ ଘଟଣାକୁ ଦୃଷ୍ଟିରେ ରଖି ତିନି ନମ୍ବର ଫାଟକକୁ ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର