ପୁଲିସ ସେବା ଭବନରେ ପଶିଲା ଭିଜିଲାନ୍ସ, ପୁଲିସଠାରୁ ଲାଞ୍ଚ ନେଇ ପୁଲିସ ଗିରଫ

୮ ହଜାର ଟଙ୍କା ଜବତ, ୨ ଘଣ୍ଟାରେ ନିଲମ୍ବନ

ଭୁବନେଶ୍ବର: କମିସନରେଟ୍‌ ପୁଲିସ ବର୍ଦିରେ ପୁଣି ଲାଗିଛି କଳଙ୍କର ଛିଟା। ଏଥର ଖୋଦ୍‌ ପୁଲିସ ସେବା ଭବନରେ ହେଉଥିବା ଏକ ଲାଞ୍ଚ କାରବାରର ପର୍ଦାଫାସ୍‌ କରିଛି ଭିଜିଲାନ୍ସ ଟିମ୍‌। ଜଣେ ପୁଲିସ କର୍ମଚାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆକାଉଣ୍ଟସ୍‌ ବିଭାଗର କନଷ୍ଟେବଳ ସୁରେଶ ଚନ୍ଦ୍ର ଦାଶଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କ ପକେଟ୍‌ରୁ ଭୁବନେଶ୍ବର ଭିଜିଲାନ୍ସ ଟିମ୍ କେମିକାଲ ବୋଳା ୮ ହଜାର ଟଙ୍କା ଜବତ କରିଛି। ଏହି ଘଟଣା ଘଟିବାର ୨ ଘଣ୍ଟା ଭିତରେ କନଷ୍ଟେବଳ ସୁରେଶଙ୍କୁ ପୁଲିସ କମିସନର୍‌ ଚାକିରିରୁ ନିଲମ୍ବିତ କରିଛନ୍ତି। ଭିଜିଲାନ୍‌ସ ପକ୍ଷରୁ ଅଭିଯୁକ୍ତ ସୁରେଶଙ୍କ ସରକାରୀ କ୍ବାର୍ଟର୍ସରେ ମଧ୍ୟ ଚଢ଼ଉ କରାଯାଇଛି ଓ ଅଧିକ ଛାନ୍‌ଭିନ୍ ଜାରି ରହିଛି। ପୁଲିସଠାରୁ ପୁଲିସ ଲାଞ୍ଚ ନେଉଥିବା ବେଳେ ପୁଲିସ ହାତରେ ଗିରଫ ହେବା ଭଳି ଘଟଣା ଆଜି ରାଜଧାନୀରେ ବେଶ୍ ସରଗରମ ଚର୍ଚ୍ଚାର ଖୋରାକ୍‌ ପାଲଟିଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ଅକ୍‌ଜିଲାରୀ ପୁଲିସ ଫୋର୍ସ(ଓଏପିଏଫ୍) କନଷ୍ଟେବଳ ରତ୍ନାକର ପେଦେନ୍ତିଙ୍କ ଘର ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଏମାଲିଗୁଡ଼ାରେ। ସେ ଭୁବନେଶ୍ବର ପୁଲିସ ଜିଲ୍ଲା‌ରେ କାର୍ଯ୍ୟରତ। ଏବେ ସେ ବାଲିପାଟଣା ଥାନାରେ ନିଯୁକ୍ତ ଅଛନ୍ତି। ଦୁଇ ବର୍ଷ ତଳେ ସେ ରାଜଧାନୀରେ ନିଯୁକ୍ତ ଥିଲେ। ସେତେବେଳେ ସହରାଞ୍ଚଳ ଘରଭଡ଼ା ନିୟମ ଅନୁସାରେ ସେ ଘରଭଡ଼ା ବାବଦକୁ ମାସିକ ୧୫୩୦ ଟଙ୍କ‌ା ପାଉଥିଲେ। ୨୦୧୮ ଜୁଲାଇରେ ତାଙ୍କୁ ବାଲିପାଟଣା ଥାନାକୁ ବଦଳି କରାଯାଇଥିଲା। ତେଣୁ ନିୟମାନୁସାରେ ଗ୍ରାମାଞ୍ଚଳ ଘରଭଡ଼ା ଅନୁସାରେ ତାଙ୍କୁ ଘରଭଡ଼ା ବାବଦରେ ମାସିକ ୩୮୩ ଟଙ୍କା ପାଇବା କଥା। କିନ୍ତୁ ପୂର୍ବଭଳି ତାଙ୍କ ଆକାଉଣ୍ଟକୁ ୧୫୩୦ ଟଙ୍କା ଯାଉଥିଲା। ଫଳରେ ମାସିକ ୧୧୪୭ ଟଙ୍କା ଅଧିକ ହିସାବରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଉଥିଲା। ତେବେ ଘଟଣା ଜଣାପଡ଼ିବା ପରେ ତାଙ୍କୁ ଏହି ଟଙ୍କା ସୁଧ ସହ ଫେରସ୍ତ କରିବାକୁ ନୋଟିସ୍ କରାଯାଇଥିଲା। ରତ୍ନାକର ଘରଭଡ଼ା ବାବଦରେ ପାଇଥିବା ଅଧିକ ଟଙ୍କା ଫେରସ୍ତ କରିବା ପାଇଁ ରାଜି ଥିଲେ ହେଁ ସୁଧ ଟଙ୍କା ଛାଡ଼ କରିବାକୁ ଆକାଉଣ୍ଟସ୍ ସେକ୍ସନର ସୁରେଶଙ୍କ ସହ ଯୋଗାଯୋଗ କରିଥିଲେ। ତିନି ଚାରିଥର ଦୌଡ଼ାଇବା ପରେ ସୁରେଶ ଏଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ ମୂଲ୍‌ଚାଲ୍ ପରେ କଥା ୮ ହଜାରରେ ଛିଡ଼ିଥିଲା। ତେବେ ଏ ନେଇ ରତ୍ନାକର ଭିଜିଲାନ୍‌ସ ବିଭାଗକୁ ଜଣାଇଥିଲେ। ଲାଞ୍ଚ କାରବାର ପାଇଁ ସୁରେଶ ଓ ତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ ରେକର୍ଡିଂ ଭିଜିଲାନ୍‌ସ ଅଧିକାରୀଙ୍କୁ ଦେଇଥିଲେ। ଏହାପରେ ଭିଜିଲାନ୍‌ସ ପକ୍ଷରୁ ଆରମ୍ଭ ହୋଇଥିଲା ଅଭିଯାନ। ଯୋଜନା ମୁତାବକ ଆଜି ରତ୍ନାକର ସୁରେଶଙ୍କ ପାଖରେ ପହଞ୍ଚି ୮ ହଜାର ଟଙ୍କା ବଢ଼ାଇ ଦେଇଥିଲେ। ସୁରେଶ ମଧ୍ୟ ଉକ୍ତ ଟଙ୍କାକୁ ନିଜ ପକେଟ୍‌ରେ ପୂରାଇ ଦେଇଥିଲେ। ମାତ୍ର ସେଠାରେ ଭିଜିଲାନ୍‌ସ ଟିମ୍‌ ଛକି ରହିଥିବା କଥା ତାଙ୍କୁ ଜଣାନଥିଲା। ସଙ୍ଗେ ସଙ୍ଗେ ଭିଜିଲାନ୍‌ସ ଟିମ୍‌ ସୁରେଶଙ୍କୁ କାବୁ କରି ନେଇଥିଲେ ଓ ପକେଟ୍‌ରୁ କେମିକାଲ୍ ବୋଳା ଟଙ୍କା ଜବତ କରିଥିଲେ। ଆଜି ସୁରେଶଙ୍କର କରୋନା ପରୀକ୍ଷା ପାଇଁ ସ୍ବାବ୍ ସଂଗ୍ରହ କରାଯାଇଛି। ରିପୋର୍ଟ ଆସିବା ପରେ ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଅନ୍ୟ ପକ୍ଷରେ ସୁରେଶଙ୍କ ସରକାରୀ କ୍ବାର୍ଟର୍ସରେ ଚାଲିଥିବା ଚଢ଼ଉ ଶେଷ ହୋଇନଥିବାରୁ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ବାବଦରେ କିଛି ସୂଚନା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର