ସମସ୍ୟା ଘେରରେ ଭିଏସ୍ଏସ୍‌ନଗର ସ୍ବାସ୍ଥ୍ୟକେନ୍ଦ୍ର: ନାହାନ୍ତି ଡାକ୍ତର, ନାହିଁ ଭିତ୍ତିଭୂମି

ଭୁବନେଶ୍ବର: ଭିଏସ୍‌ଏସ୍‌ନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ବିଭିନ୍ନ ସମସ୍ୟା କାରଣରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଡାକ୍ତର ନଥିବାରୁ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର। ସେହିଭଳି ଅପେକ୍ଷାରଥ ରୋଗୀଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ସେମାନେ ଆହୁରି ଅଧିକ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ପରିସ୍ରାଗାର ନଥିବାରୁ ମହିଳା ରୋଗୀମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ବସିବା ପାଇଁ ଜାଗା ନଥିବାରୁ ବରିଷ୍ଠ ନାଗରିକମାନେ ଘଣ୍ଟାଘଣ୍ଟା ଧରି ଠିଆ ହୋଇ କଷ୍ଟ ପାଉଛନ୍ତି। ଫଳରେ ଗତ କିଛି ଦିନ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରୁ ରୋଗୀମାନେ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳୁଛି।

ସୂଚନା‌ଯୋଗ୍ୟ, ବିଏମ୍‌ସିର ୧୧ ନମ୍ବର ୱାର୍ଡରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭିଏସ୍ଏସ୍ ନଗର, ଚକେଇସିହାଣୀ, ମଞ୍ଚେଶ୍ବର, ପଥରବନ୍ଧ ବସ୍ତି, ଝରଣାବସ୍ତିର ଲୋକମାନେ ନିର୍ଭରଶୀଳ। ଏହି ସ୍ବାସ୍ଥ୍ୟକେନ୍ଦ୍ର ୨ ବର୍ଷ ହେଲା ଉଦ୍‌ଘାଟନ ହୋଇଛି। ମାତ୍ର ଏଠାରେ ଜଣେ ସ୍ଥାୟୀ ତଥା ନିୟମିତ ଡାକ୍ତର ନିଯୁକ୍ତି ହୋଇପାରିଲା ନାହିଁ। ପ୍ରଥମେ ଜଣେ ଡାକ୍ତର ଆସୁଥିଲେ। କିନ୍ତୁ ଗତ କିଛି ଦିନ ହେବ ସେ ଆଦୌ ଏହି ଡାକ୍ତରଖାନା ଦୁଆର ମାଡ଼ୁନାହାନ୍ତି। ତେଣୁ ଫାର୍ମାସିଷ୍ଟ ରୋଗୀ ଦେଖି ଔଷଧ ଲେଖି ଦେଉଛନ୍ତି। ସେହିଭଳି ଆବଶ୍ୟକ ଉପକରଣ ନଥିବାରୁ ସାମାନ୍ୟ ଷ୍ଟିଚ୍‌ ପକାଇବାକୁ ବି ଆଟେଣ୍ଡାଣ୍ଟ ସମସ୍ୟାରେ ପଡ଼ୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନଙ୍କ ପାଇଁ ବସିବାକୁ ଚୌକିଟିଏ ନାହିଁ।

ବାରଣ୍ଡାରେ ଟେବୁଲ୍ ପକାଇ ଫାର୍ମାସିଷ୍ଟଙ୍କ ହାତରେ ରୋଗୀସେବା ଚାଲିଛି। ଶୌଚାଳୟ ସୁବିଧା ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାକୁ ଆସିଥିବା ରୋଗୀ ଶିଶିର ଜେନାଙ୍କ କହିବା କଥା ସେ ଜଣେ ଦିବ୍ୟାଙ୍ଗ। ପାଖରେ ସମ୍ବଳ ନଥିବାରୁ ଦୂରରେ ଥିବା ଭଲ ଡାକ୍ତରଖାନାକୁ ଯାଇପାରେନାହିଁ। ତେଣୁ ଏଠାକୁ ଆସିବାକୁ ବାଧ୍ୟ ହେଉଛି। କିନ୍ତୁ ଏଠାକାର ଅବ୍ୟବସ୍ଥା ଯୋଗୁଁ ଦହଗଞ୍ଜ ହେବାକୁ ପଡୁଛି। ବସିବାକୁ ଜାଗା ନଥିବାରୁ ତାଙ୍କ ଭଳି ଦିବ୍ୟାଙ୍ଗମାନେ ବହୁ ହନ୍ତସନ୍ତ ହେଉଛନ୍ତି।

ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସନ୍ଦୀପ ତ୍ରିପାଠୀଙ୍କ କହିବା କଥା ଏଠାକୁ ଦୈନିକ ୪୫ ରୁ ୫୦ ଜଣ ରୋଗୀ ଆସୁଛନ୍ତି। ଡାକ୍ତର ନଥିଲେ ବି ସେ ରୋଗୀମାନଙ୍କୁ ଔଷଧ ଦେଇପାରୁଛନ୍ତି ବୋଲି କହିଛନ୍ତି। ଏ ସଂପର୍କରେ ଅତିରିକ୍ତ ଜିଲ୍ଲା ସହରୀ ଜନସ୍ବାସ୍ଥ୍ୟ ଅଧିକାରୀ ଅର୍ନ୍ତଯ୍ୟାମୀ ମିଶ୍ରଙ୍କ ସହ ଯୋଗଯୋଗ କରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ସହରାଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ତୁଳନାରେ ଡାକ୍ତରଙ୍କ ସଂଖ୍ୟା କମ୍ ରହିଛି। ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖୁବ୍‌ ଶୀଘ୍ର ଡାକ୍ତର ନିଯୁକ୍ତି ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ଓ ଏହା ପରେ ଏହି ସମସ୍ୟା ଦୂର ହୋଇଯିବ।

ସମ୍ବନ୍ଧିତ ଖବର