ଏନ୍‌ଏଚ୍‌ରୁ ହଟିଲା ଡ୍ରେନ୍‌ ପାଣି

ଖଣ୍ଡଗିରି : ମାସେ ହେଲା ଦେଖୁଥିଲେ ଲୋକେ କିଭଳି ହନ୍ତସନ୍ତ ହେଉଛନ୍ତି। ନିତିଦିନିଆ ବ୍ୟସ୍ତ ବହୁଳ ରାସ୍ତାରେ ଡ୍ରେନ୍‌ ପାଣି ଜମି ରହୁଥିବାରୁ ଲୋକେ କିଭଳି ବିପଜ୍ଜନକ ଭାବେ ଯାତାୟାତ କରୁଛନ୍ତି, ତାହା ଜଳଜଳ ହୋଇ ଦିଶୁଥିଲା। ଏମିତିକି ଲୋକଙ୍କ ଅଭିଯୋଗ ପ୍ରତି ବି କର୍ଣପାତ କରୁ ନଥିଲେ ବିଏମ୍‌ସି କର୍ତୃପକ୍ଷ। କିନ୍ତୁ ଗତକାଲି ରାଜରାସ୍ତାରେ ନିଅାଁ ଜଳିବା ପରେ ବିଏମ୍‌ସି କର୍ତୃପକ୍ଷ ଆଜି ସକାଳୁ ଜେସିବି ମେସିନ୍‌ ଧରି ଅସ୍ଥାୟୀ ଡ୍ରେନ୍‌ ଖୋଳି ପାଣି ନିଷ୍କାସନ କରିଛନ୍ତି। ରାସ୍ତାକଡ଼ରେ ଥିବା ବ୍ୟବସାୟୀମାନଙ୍କ ଦୋକାନ ସମ୍ମୁଖରେ ଡ୍ରେନ୍‌ ଖୋଳାଯାଇଛି। ଫଳରେ ରାସ୍ତାରେ ଜମିଥିବା ପାଣି ନିଷ୍କାସନ ହୋଇଯାଇଛି। ତୁରନ୍ତ ଏହାର ଏକ ସ୍ଥାୟୀ ପ୍ରତିକାର କରାଯିବ ବୋଲି ବିଏମ୍‌ସି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ସର୍ଭିସ୍‌ ରୋଡ୍‌ କଡ଼ରୁ ଜବରଦଖଲ ହଟାଯିବା ସହ ଏକ ସ୍ଥାୟୀ ଡ୍ରେନ୍‌ ନିର୍ମାଣ କରାଯିବ ବୋଲି ବିଏମ୍‌ସି ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିବା ସହ ତୁରନ୍ତ କାର୍ଯ୍ୟକାରୀ କରିବ ବୋଲି ସୂଚନା ମିଳିଛି।

ଖଣ୍ଡଗିରି ଛକରୁ ଡୁମୁଡୁମା ଛକ ପର୍ଯ୍ୟନ୍ତ ଲମ୍ବିଥିବା ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ୍‌ ରୋଡ୍‌ରେ ଗତ ମାସେ ହେଲା ଡ୍ରେନ୍‌ ପାଣି ଜମି ରହୁଥିଲା। ଡୁମୁଡୁମା ହାଉସିଂ ବୋର୍ଡ କଲୋନିରୁ ଆସୁଥିବା ଡ୍ରେନ୍‌ ପାଣି ବାଟ ନ ପାଇ ରାସ୍ତାରେ ଜମି ରହୁଥିଲା। କସ୍‌ମୋପଲି ଛକ ନିକଟ ଫର୍ଣିଚର ଗୋଦାମ ନିକଟରେ ପ୍ରାୟ ୧୦୦ ମିଟର ଲମ୍ବରେ ପାଣି ଜମି ରହୁଥିବାରୁ ପିଚୁ ଉଠି ପାଣି ତଳେ ରାସ୍ତାରେ ବଡ଼ ବଡ଼ ଗର୍ତ ସୃଷ୍ଟି ହୋଇଥିଲା। ଆଣ୍ଠୁଏ ଗଭୀରରେ ପାଣି ଠିଆ ହେଉଥିବାରୁ ଲୋକେ ଯାତାୟତ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ।

ସମ୍ବନ୍ଧିତ ଖବର