ଅପରାଧର ପେଡ଼ି ୱେବ୍‌ ପୋର୍ଟାଲ୍‌

ଭୁବନେଶ୍ବର: ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ଲୋକପ୍ରିୟତା ବଢ଼ୁଥିବା ବେଳେ ରାଜ୍ୟରେ କିଛି ୱେବ୍‌ ପୋର୍ଟାଲ ଅପରାଧର ପେଡ଼ି ପାଲଟିଛି। ଖବର ପ୍ରସାରଣକୁ ଢାଲ କରି କିଛି ସଂସ୍ଥା ଦାଦାବଟି ଆଦାୟ କରିବା ଓ ବ୍ଲାକ୍‌ମେଲ କରି ଅର୍ଥ ଉପାର୍ଜନ କରିବା ଭଳି ସଂଗିନ୍ ଅପରାଧ ଘଟାଉଛନ୍ତି। ପୂର୍ବରୁ ଓଡ଼ିଶା ପୁଲିସ ଏଭଳି ବହୁ ନକଲି ଖବର ସରବରାହ ସଂସ୍ଥାର ନକଲି ସାମ୍ବାଦିକଙ୍କୁ ଜେଲ୍‌ ପଠାଇଥିଲେ ବି ଏଭଳି ସଂସ୍ଥାର କାରନାମା କମିବା ନାଁ ଧରୁନାହିଁ। ସମ୍ପ୍ରତି ରାଜ୍ୟରେ ହଇଚଇ ସୃଷ୍ଟି କରିଛି ‘ସମ୍ପୂର୍ଣ୍ଣ’ ୱେବ୍‌ ଚ୍ୟାନେଲ୍‌ର ମାଲିକାଣୀ ତଥା ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କ କଳା କାହାଣୀ।

ନିଜ ଚ୍ୟାନେଲ୍‌ରେ କାମ କରୁଥିବା କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ ଶର୍ମିଷ୍ଠା ଅପହରଣ କରିବା ସହ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। ପୁଲିସ ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କ ସମେତ ୬ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ଫେରାର୍ ଥିବା ଶର୍ମିଷ୍ଠାଙ୍କ ପତ୍ତା ପାଇନି ପୁଲିସ।

ୱେବ୍‌ ଚ୍ୟାନେଲ୍‌ଗୁଡ଼ିକ ଦ୍ବାରା ପୂର୍ବରୁ ଘଟିଥିବା ଅପରାଧ ସବୁକୁ ବଳେଇ ପଡ଼ିଛି କ୍ୟାମେରାମ୍ୟାନ୍‌ ମାନସ ହତ୍ୟାକାଣ୍ଡ। ଶର୍ମିଷ୍ଠାଙ୍କ ଚ୍ୟାନେଲ୍‌ର ପୂର୍ବତନ କ୍ୟାମେରାମ୍ୟାନ ମାନସଙ୍କୁ ଭଦ୍ରକ ଚାନ୍ଦବାଲିରୁ ଅପହରଣ କରିବା ପରେ ଭୁବନେଶ୍ବରରେ ହତ୍ୟା ଓ ନୟାଗଡ଼ରେ ମୃତଦେହକୁ ପୋତିବା ଭଳି ବୀଭତ୍ସ ଘଟଣାର ପର୍ଦ୍ଦାଫାସ ହୋଇସାରିଛି। ବଡ଼ କଥା ହେଉଛି ଏଥିରେ ସାମ୍ବାଦିକା ଶର୍ମିଷ୍ଠାଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଆସୁଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି। ଚାକିରିର ଶେଷ ଦିନରେ ସେ ଶର୍ମିଷ୍ଠାଙ୍କ ପାକ୍ଷିକ ଖବରକାଗଜ ‘ସମ୍ପୂର୍ଣ୍ଣ’କୁ ସରକାରୀ ସ୍ବୀକୃତି ପ୍ରଦାନ କରିଥିଲେ। ନିରଞ୍ଜନ ଶର୍ମିଷ୍ଠାଙ୍କୁ ଏଭଳି ଅନୁକମ୍ପା କାହିଁକି ଦେଖାଇଥିଲେ? କି ସ୍ବାର୍ଥ ଥିଲା ନିରଞ୍ଜନଙ୍କର?

ବିଗତ ଦିନର ଘଟଣାବଳୀ

୨୬ ଅକ୍ଟୋବର ୨୦୨୦: ପାତ୍ରପଡ଼ା ଭଗବାନପୁରରେ ଜ୍ୟୋତି ଟ୍ରେଡର୍ସରୁ ଦାଦାବଟି ଆଦାୟ ମାମଲାରେ ୩ ଓ୍ଵେବ୍‌ ଚ୍ୟାନେଲ୍‌ର ୬ ସାମ୍ବାଦିକ ଗିରଫ।
୬ ଅଗଷ୍ଟ ୨୦୨୧: ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ କଳିଙ୍ଗ ଷ୍ଟୁଡିଓ ଛକ ନିକଟରୁ୍ୱେବ୍‌ ଚ୍ୟାନେଲ୍‌ ସାମ୍ବାଦିକ ଚିତ୍ରସେନ ସାହୁ ଗିରଫ।
୨୫ ଜୁଲାଇ ୨୦୨୧: ୧୬ ନମ୍ବର ଜାତୀୟ ରାଜପଥ ଧର୍ମଶାଳା ନିକଟରୁ ଗୋରୁ ବୋଝେଇ ଟ୍ରକ୍‌ରୁ ଦାଦାବଟି ଆଦାୟ ଅଭିଯୋଗରେ ଓ୍ୱେବ୍‌ ଚ୍ୟାନେଲ୍‌ର ୩ ସାମ୍ବାଦିକ ଗିରଫ।
୬ ସେପ୍ଟେମ୍ବର ୨୦୨୧: ନବରଙ୍ଗପୁର ଉମରକୋଟରେ ଜଣେ ଶିକ୍ଷକଙ୍କଠାରୁ ଦାଦାବଟି ଆଦାୟ ଅଭିଯୋଗରେ ନକଲି ସାମ୍ବାଦିକ ଜିତେନ୍ଦ୍ର ଦାସ ଓ ଶଙ୍କର ପ୍ରସାଦ ଗିରଫ

ପୁଣି କେଉଁ ସ୍ବାର୍ଥରେ ବାଧା ଆସିଲା ବୋଲି ସମସ୍ତେ ମିଳିମିଶି ମାନସ ମୁଣ୍ଡ ନେଇଗଲେ? ବର୍ତ୍ତମାନ ସୁଦ୍ଧା ଯେତିକି ତଥ୍ୟ ସାମ୍ନାକୁ ଆସିଲାଣି, ଶର୍ମିଷ୍ଠା ନିରଞ୍ଜନଙ୍କ ବଳରେ ବଳୀୟାନ୍ ହୋଇପଡ଼ିଥିଲେ। କେବଳ ସେତିକି ନୁହେଁ, ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଫଟୋଗୁଡ଼ିକରୁ ବି ଶର୍ମିଷ୍ଠାଙ୍କ ବଳୀୟାନ୍‌ ହେବା ପଛରେ ଥିବା ଶକ୍ତିମାନଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଗତବର୍ଷ ଅଗଷ୍ଟରେ ଆଉ ଏକ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳରେ ଲାଇଭ୍ କଳିଙ୍ଗ ନ୍ୟୁଜ୍ ଅଫିସରେ ଦୁଇ ବ୍ୟବସାୟୀଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମରାଯାଇଥିଲା। ୱେବ୍‌ ଚ୍ୟାନେଲ୍‌ ମାଲିକ ରାଜ୍ ଓରଫ୍ର ଘୁନାଥ ସାହୁ ଓ ସାମ୍ବାଦିକା ଗୁଡ୍ଡି ଏହି କାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ। ସାମ୍ବାଦିକା ଗୁଡ୍ଡି ଜରିଆରେ ଦୁଇ ବ୍ୟବସାୟୀଙ୍କଠାରୁ ଦାଦାବଟି ଆଦାୟ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ପୁଲିସ ଗୁଡ୍ଡି ଓ ରାଜ୍‌କୁ ଗିରଫ କରିଥିଲା। ୱେବ୍‌ ଚ୍ୟାନେଲକୁ ଢାଲ କରି ଏମିତି ଅନେକ ଅପରାଧ ଘଟିଛି।

କେବଳ ରାଜଧାନୀରେ ବର୍ଷକ ଭିତରେ ୧୦ରୁ ଅଧିକ ସଙ୍ଗିନ ଅପରାଧ ଘଟାଇଛନ୍ତି ୱେବ୍‌ ଚ୍ୟାନେଲ ମାଲିକ ଓ କର୍ମଚାରୀମାନେ। ବଡ଼ କଥା ହେଉଛି, କିଛି ରାଜନେତା, ବଡ଼ବଡ଼ ବ୍ୟବସାୟୀ, ବିଲ୍ଡର ଓ କିଛି ସରକାରୀ ଅଧିକାରୀଙ୍କ ପୃଷ୍ଠପୋଷକତାରେ ରାତାରାତି ୱେବ୍‌ ଚ୍ୟାନେଲ୍‌ ତିଆରି ହେଉଛି। ବୁମ୍ ଓ ଲୋଗୋ ଧରି ମହିଳା ସାମ୍ବାଦିକାମାନେ କାର୍‌ରେ ବୁଲୁଛନ୍ତି। ପ୍ରଭାବଶାଳୀଙ୍କ ପାଇଁ ନିର୍ଭୟରେ ବୁଲୁଛନ୍ତି ଏହି ୱେବ୍‌ ଚ୍ୟାନେଲ ସାମ୍ବାଦିକାମାନେ। ପରେ ସେଇମାନେ ହିଁ ଢାଲ ସାଜୁଛନ୍ତି ଓ ଅନୈତିକ ଉପାୟରେ ଅର୍ଥ ରୋଜଗାରର ବାଟ ତିଆରି ହୋଇଯାଉଛି। ବେଳେବେଳେ ଏହି ଅନୈତିକ କାମ ହିଁ ସେମାନଙ୍କ ପାଇଁ କାଳ ପାଲଟି ଯାଉଛି। କ୍ୟାମେରାମ୍ୟାନ୍‌ ମାନସ ହତ୍ୟାକାଣ୍ଡ ପଛରେ ହିଁ ଏମିତି କିଛି ରହସ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର