ଶିଶୁ ଅପହରଣ ଅଭିଯୋଗରେ ମହିଳା ଅଟକ

ଭୁବନେଶ୍ବର: ଶିଶୁ ଅପହରଣ ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛି। ମହିଳା ଜଣକ ହାଇଦ୍ରାବାଦର ବୋଲି ଜଣାପଡ଼ିଛି। ସୂଚନାନୁସାରେ ଗତକାଲି ଅପରାହ୍ନରେ ବଡ଼ଗଡ଼ ଅଞ୍ଚଳରେ ଶିଶୁକନ୍ୟାଟି ଘର ସମ୍ମୁଖ ରାସ୍ତାରେ ଏକୁଟିଆ ଖେଳୁଥିବା ବେଳେ ମହିଳାଜଣକ ତାକୁ ‌କାଖରେ ଧରି ପଳାଉଥିଲେ। ଅଚିହ୍ନା ମହିଳାଙ୍କ କାଖରେ ଶିଶୁଟି ଛାଟିପିଟି ହୋଇ ଖୁବ୍‌ ଜୋର୍‌ରେ କାନ୍ଦୁଥିବାରୁ କିଛି ସ୍ଥାନୀୟ ଲୋକେ ସନ୍ଦେହ କରି ତାଙ୍କୁ ଅଟକାଇଥିଲେ।

ପଚରାଉଚରା ବେଳେ ମହିଳାଜଣକ ଥତମତ ହୋଇଥିଲେ। ତେଣୁ ସଙ୍ଗେସଙ୍ଗେ ଲୋକେ ମହିଳାଙ୍କୁ ପୁଲିସ ଜିମା ଦେଇଥିଲେ। ଖବର ପ୍ରଚାରିତ ହେବା ପରେ ଶିଶୁକନ୍ୟାଟିର ମା’ ଥାନାରେ ପହଞ୍ଚିଥିଲେ। ପୁଲିସ ଶିଶୁକନ୍ୟାକୁ ମା’ଙ୍କୁ ହସ୍ତାନ୍ତର କରିଥିଲା। ମା’ଙ୍କ ଅଭିଯୋଗ ଆଧାରରେ ପୁଲିସ ଅପହରଣ କରିଥିବା ମହିଳାଙ୍କୁ ଜେରା କରୁଛି। ତେବେ ଏସମ୍ପର୍କରେ ପୁଲିସ କୌଣସି ମତାମତ ଦେଇନାହିଁ। ମହିଳାଜଣକ କୌଣସି ପିଲାଚୋରି ରୢାକେଟ୍‌ର ସଦସ୍ୟ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର