ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣା, ଡିଏନ୍ଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ

ପରିଚୟ ପାଇଁ ଆଧାର କେନ୍ଦ୍ରକୁ ପଠାଗଲା ଫିଙ୍ଗରପ୍ରିଣ୍ଟ, ଆନ୍ଧ୍ର, ବିହାର, ଝାଡ଼ଖଣ୍ଡ ନିଖୋଜ ମହିଳାଙ୍କର କରାଗଲା ଯାଞ୍ଚ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଚନ୍ଦକା ଅନ୍ଧାରୁଆ-ଦାସପୁର ରାସ୍ତାରୁ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାକୁ ସପ୍ତାହେ ପୂରୁଛି। କିଏ ଏହି ମହିଳା? କେଉଁଠି ପଡିଛି କଟାମୁଣ୍ଡ? ପରିଚୟ ଖୋଜି ଖୋଜି ନାକେଦମ୍ ହୋଇ ପଡ଼ିଲାଣି ପୁଲିସ। ବିଭିନ୍ନ ଥାନା ଅଞ୍ଚଳରେ ୫୦ରୁ ଅଧିକ ମହିଳାଙ୍କ ନିଖୋଜ ସମ୍ପର୍କରେ ଯାଞ୍ଚ କରିସାରିଲାଣି। କିନ୍ତୁ ଏଯାଏ ପରିଚୟ ମିଳି ପାରିନି। ଏବେ ମୃତଦେହର ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟରୁ ମହିଳାଙ୍କ ପରିଚୟ ପାଇବା ଲାଗି ଉଦ୍ୟମ ଚଳାଇଛି ପୁଲିସ। ଏହି ଫିଙ୍ଗରପ୍ରିଣ୍ଟକୁ ଆଧାର କେନ୍ଦ୍ର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଛି। ସେଠାରେ ଫିଙ୍ଗରପ୍ରିଣ୍ଟ ମ୍ୟାଚ୍‌ କରାଯିବା ପରେ ମହିଳାଙ୍କ ପରିଚୟ ମିଳିବ ବୋଲି ପୁଲିସ ଆଶା ରଖିଛି। ଅନ୍ୟପକ୍ଷରେ ଡିଏନ୍ଏ ପରୀକ୍ଷା ପାଇଁ ମୃତଦେହରୁ ନଖ, ରକ୍ତ ନମୁନା ସଂଗ୍ରହ କରାଯାଇଛି। ଯଦି କୌଣସି ଜାଗାରେ କଟାମୁଣ୍ଡ ମିଳିଯାଏ କିମ୍ବା କେହି ମୃତେଦହକୁ ଦେଖିବା ପରେ ଦାବିଦାର ହୁଅନ୍ତି; ତାହାଲେ ସେହି କ୍ଷେତ୍ରରେ ଡିଏନ୍ଏ ମେଳ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପଡୋଶୀ ରାଜ୍ୟର ମହିଳା ନିଖୋଜ ଥିବା ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଏ ନେଇ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଝାଡଖଣ୍ଡ ଓ ଛତିଶଗଡ଼ର ସୀମାରେ ଥିବା ଜିଲ୍ଲାର ନିଖୋଜ ମହିଳାଙ୍କ ସମ୍ପର୍କରେ ଯାଞ୍ଚ ଚଳାଇଛି। ପ୍ରାୟ ୧୦ଟି ମହିଳାଙ୍କ ନିଖୋଜ ସମ୍ପର୍କରେ କାଗଜପତ୍ର, ଫଟୋ, ସବିଶେଷ ବିବରଣୀ ମଗାଇ ଯାଞ୍ଚ କରାଯାଇଛି। କିନ୍ତୁ ଗୋଟିଏ ମଧ୍ୟ ମେଳ ଖାଇ ନାହିଁ। ଯାହା ଫଳରେ ପୁଲିସ ତଦନ୍ତ ଆଗକୁ ବଢ଼ାଇଛି। ପଡ଼ୋଶୀ ରାଜ୍ୟର ସୀମାନ୍ତ ଜିଲ୍ଲାରେ ହିନ୍ଦୀରେ ପୋଷ୍ଟର ଲଗାଯାଇଛି। କିନ୍ତୁ ପୁଲିସକୁ ଏଯାଏ ସେଭଳି କୌଣସି ଠୋସ୍ ସୁରାକ୍ ମିଳିପାରି ନାହିଁ।

ଆସିଲାଣି ୫୦ରୁ ଅଧିକ ଫୋନ କଲ୍, ୪୦ ନିଖୋଜଙ୍କ ତଥ୍ୟ
ଏବେ ସୁଦ୍ଧା ପୁଲିସ ପାଖକୁ ୫୦ରୁ ଅଧିକ ଫୋନ୍ କଲ୍ ଆସିଲାଣି। ଜୋନ୍-୬ ଏସିପି, ଚନ୍ଦକା ଥାନା ଆଇଆଇସି, ଡିସିପି ଅଫିସ ଓ ଡାଏଲ୍ ୧୦୦କୁ ଏହି ଫୋନ୍ କଲ୍ ଆସିଛି। ଫୋନ୍ କରିଥିବା ବ୍ୟକ୍ତିମାନେ ହ୍ବାଟ୍‌ସଆପ୍ ଜରିଆରେ ପୁଲିସକୁ ତଥ୍ୟ, ଫଟୋ ଓ ସମ୍ପୂର୍ଣ୍ଣ ବିବରଣୀ ପଠାଉଛନ୍ତି। କିନ୍ତୁ ତାହା ମେଳ ଖାଉ ନାହିଁ। ସେହିପରି ପ୍ରତ୍ୟକ୍ଷ ଭାବେ ରାଜଧାନୀ ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଟକରୁ ୪୦ରୁ ଅଧିକ ନିଖୋଜ ମହିଳାଙ୍କ ତଥ୍ୟ ଆସିଲାଣି। ପରିବାର ଲୋକ ମଧ୍ୟ ଥାନାରେ ପହଞ୍ଚିଲେଣି। କିନ୍ତୁ ନିଖୋଜ ଥିବା ମହିଳାଙ୍କ ସହ ମିଳିଥିବା ମୃତେଦହର କୌଣସି ପ୍ରକାରେ ମେଳ ହୋଇ ନାହିଁ।
ପୁରସ୍କାର ଘୋଷଣା ପରେ ଆସୁଛି ଗୁଜବ ଫୋନ୍
ମିଳିଥିବା ମୁଣ୍ଡବିହୀନ ମୃତଦେହର ସମ୍ପୂର୍ଣ୍ଣ ବିବରଣୀ ସହ ପୁରସ୍କାର ଘୋଷଣା କରାଯାଇ ପୋଷ୍ଟର ଲଗାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଚାରିଆଡୁ ଗୁଜବଭରା ଫୋନ୍ କଲ୍ ଆସୁଛି। ଯାହା ପୁଲିସକୁ ଅସୁବିଧାରେ ପକାଉଛି। କାରଣ ଏଭଳି ସ୍ଥିତିରେ ଗୁଜବକୁ ମଧ୍ୟ ଅବିଶ୍ବାସ କରିହେବ ନାହିଁ। ଫୋନ୍ କଲ ମିଛ କି ସତ ତାହା ଜାଣିବା ଲାଗି ସ୍ଥାନୀୟ ଥାନା ଜରିଆରେ ପୁଲିସ ଯାଞ୍ଚ କରୁଛି। ଆଉ କେହି କେହି ମଜା ଉଠାଇବା ପାଇଁ ପୁଲିସ ସହ ଏଭଳି ମଜା କରୁଥିବା ଜଣାପଡିଛି।

ମୃତ ମହିଳା ବରୀର ନୁହନ୍ତି
ବରୀ/ଭୁବନେଶ୍ବର: ଭୁବନେଶ୍ବରର ଚନ୍ଦକା ଥାନା ଅଞ୍ଚଳର ରାସ୍ତାକଡ଼ରୁ ମିଳିଥିବା ମୁଣ୍ଡ ବିହୀନ ମହିଳାଙ୍କ ଶବର ପରିଚୟ ପୁଲିସ ଖୋଜୁଥିବା ବେଳେ କେତକ ଗଣମାଧ୍ୟମରେ ମୃତ ମହିଳାଙ୍କ ବରୀ ଲିଙ୍କ୍‌ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପୁଲିସ ପ୍ରଶାସନଠାରୁ ସ୍ପେସାଲ ବ୍ରାଞ୍ଚ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇ ଉଠିଥିଲେ। ଭୁବନେଶ୍ବର ସ୍ପେସାଲ ବ୍ରାଞ୍ଚର ଅଧିକାରୀ ଶୀତିକଣ୍ଠ କାନୁନଗୋ ବରୀରେ ପହଞ୍ଚି ଘଟଣାର ଯାଞ୍ଚ କରିବା ପରେ ମୃତ ମହିଳାଙ୍କ ସହ ବରୀର କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି। ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା ମଧ୍ୟ ଏହା ଏକ ମିଥ୍ୟା ଖବର ବୋଲି କହିଛନ୍ତି। ଶ୍ରୀ ଜେନା କହିଛନ୍ତି ଝାଡ଼ଖଣ୍ଡର ଜଣେ ୨୦ ବର୍ଷୀୟା ମହିଳା ବରୀ ବ୍ଲକର ଅଟିର ପଞ୍ଚାୟତ ବକ୍ସିପାଟଣା ଗ୍ରାମରେ ରହୁଥିଲେ। ତାଙ୍କର ସ୍ବାମୀ ରଂପା ପଞ୍ଚାୟତର ସୁନାମୁହିଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟର ଚଳାଉଥିଲେ। ଝାଡ଼ଖଣ୍ଡର ଶ୍ୟାମସୁନ୍ଦରପୁର ଥାନାରେ ହୋଇଥିବା ଏକ ମାମଲରେ ଝାଡ଼ଖଣ୍ଡ ପୁଲିସ ସିଧାସଳଖ ଆସି ବରୀରୁ ସଂପୃକ୍ତ ଯୁବତୀଙ୍କୁ ନେଇ ଯାଇଥିଲା। ଝାଡ଼ଖଣ୍ଡ ପୁଲିସ ସମସ୍ତ କାଗଜପତ୍ର ଏବଂ ଉଦ୍ଧାର କରିଥିବା ଯୁବତୀର ଫଟୋ ମଧ୍ୟ ବରୀ ଥାନାକୁ ପଠାଇଛନ୍ତି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତେଣୁ ସେ ଘଟଣା ସହିତ ବରୀର କୌଣସି ସଂପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର