ବିଶ୍ବ ଛାତ୍ର ଓ ଯୁବ ସଂଗଠନ ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀ

ଖଣ୍ତଗିରି: ରାଷ୍ଟ୍ରବାଦ ହେଉଛି ଅନ୍ତଃରାଷ୍ଟ୍ରବାଦର ମୂଳପିଣ୍ତ। ରାଷ୍ଟ୍ରବାଦ ହିଁ ଅନ୍ତଃରାଷ୍ଟ୍ରବାଦର ଶିକ୍ଷା ଦେଇଥାଏ। ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସୋଆ) ପରିସରରେ ଉଦ୍‌ଘାଟିତ ହୋଇଥିବା ବିଶ୍ବ ଛାତ୍ର ଓ ଯୁବ ସଂଗଠନର ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହା କହିଛନ୍ତି। ‘ଏକବିଂଶ ଶତାବ୍ଦୀରେ ମହିଳା’ ଶୀର୍ଷକ ଆଲୋଚନା ଉପରେ ମତ ରଖି ସେ କହିଥିଲେ ଯେ ଭାରତରେ ନାରୀ ଶକ୍ତି ଯୁଗେ ଯୁଗେ ମହାନ୍। ଏଠାରେ ନାରୀ ଦୁର୍ଗା, ଭଗବତୀ ଓ ଗଜଲକ୍ଷ୍ମୀଭାବେ ପୂଜା ପାଇ ଆସୁଛନ୍ତି ବୋଲି ସେ କହିଥିଲେ। ଏହି ଅବସରରେ ଏବିଭିପିର ରାଷ୍ଟ୍ରୀୟ ସଂଗଠକ ସମ୍ପାଦକ ସୁନିଲ୍ ଆମ୍ବେକର, ବିଶ୍ବ ଛାତ୍ର ଓ ଯୁବ ସଂଗଠନର ଅଧ୍ୟକ୍ଷା ଡ. ରଶ୍ମି ଦାଶ ପ୍ରମୁଖ ଏକବିଂଶ ଶତାବ୍ଦୀର ନାରୀ ଶକ୍ତି ଉପରେ ଆଲୋକପାତ କରିଥିଲେ। ସଂଗଠନର ମହାସଚିବ ସଂଜୀବ ନିଗୋମ୍ବାମ୍‌ବାମ୍‌, ଡ. ଗାର୍ଗୀ ବାନାର୍ଜୀ, ଶେଖର ସାପରୋଭା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ନାରୀ ଶକ୍ତିର ଭୂମିକା ଉପରେ ଆଲୋକପାତ କରିଥିଲେ। ବିଶ୍ବରେ ନାରୀ ଶିକ୍ଷାର ପ୍ରସାର ଉପରେ ଏହି ସମ୍ମିଳନୀରେ ଗୁରୁତ୍ବାରୋପ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ସମ୍ମିଳନୀରେ ୫୨ ଦେଶରୁ ପ୍ରାୟ ଏକ ହଜାର ବିଦ୍ୟାର୍ଥୀ ପ୍ରତିନିଧି ସାମିଲ୍ ହୋଇଛନ୍ତି।

ସମ୍ବନ୍ଧିତ ଖବର