କ୍ୟାପିଟାଲ ହସ୍ପିଟାଲରୁ ଯୁବକ ନିଖୋଜ

ଭୁବନେଶ୍ବର/ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍‌ କିଆଝର ପଞ୍ଚାୟତ ଅଧୀନ ପେଟାପଲ୍ଲୀ ଗ୍ରାମର ଜଣେ ଯୁବକ କ୍ୟାପିଟାଲ ହସ୍ପିଟାଲରୁ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପେଟାପଲ୍ଲୀ ଗ୍ରାମର ସୁଶାନ୍ତ ପ୍ରଧାନ (୩୨) ଗତ ୧୫ ତାରିଖ ଦିନ ତଳେ ସ୍ତ୍ରୀ ରଞ୍ଜୁ ପ୍ରଧାନଙ୍କୁ ସନ୍ତାନ ପ୍ରସବ ନିମନ୍ତେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ସେଠାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ୧୬ ତାରିଖ ସକାଳେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା।

ସନ୍ଧ୍ୟାରେ ସୁଶାନ୍ତ ପରିବାର ଲୋକଙ୍କୁ ଖାଇବାକୁ ଦେଇ ସାରିବା ପରେ ବିଳମ୍ବିତ ରାତ୍ରିରେ ହଠାତ୍‌ କେଉଁଆଡ଼େ ନିଖୋଜ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି। ମେଡିକାଲ୍‌ ପରିସରରେ ବହୁ ଖୋଜାଖୋଜି ପରେ ତାଙ୍କର ସନ୍ଧାନ ନ ମିଳିବାରୁ ସୁଶାନ୍ତଙ୍କ ବାପା ମଦନ ପ୍ରଧାନ ୧୮ ତାରିଖରେ କ୍ୟାପିଟାଲ ଥାନାରେ ନିଖୋଜ ନେଇ ଏତଲା କରିଥିଲେ। ଅନ୍ୟ ପକ୍ଷରେ ଏତଲା ପରେ ସୁଶାନ୍ତଙ୍କୁ ଚୋର ସନ୍ଦେହରେ କିଛି ଲୋକ ମାଡ଼ ମାରିଥିବା ତଥା ଥାନାରେ ଜିମା ଦେଇଥିବା ନେଇ ପୁଲିସ ସୂଚନା ଦେଇଥିଲା। ତେବେ ତାଙ୍କୁ ଚିକିତ୍ସା କରାଇ ପୁଲିସ ଛାଡ଼ିବା ପରେ ସୁଶାନ୍ତ ପୁଣି ଥରେ କେଉଁଆଡ଼େ ନିଖୋଜ ହୋଇଯାଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ସମ୍ପୂର୍ଣ୍ଣ ଘଟଣା ବର୍ତ୍ତମାନ ରହସ୍ୟଘେରରେ ଥିବା ବେଳେ ନିଖୋଜ ହେବାର ପାଖାପାଖି ୫ ଦିନ ପରେ ସୁଶାନ୍ତଙ୍କର କୌଣସି ସନ୍ଧାନ ମିଳିନଥିବା ପରିବାର ଲୋକେ କହିଛନ୍ତି। ଭୁବନେଶ୍ଵର ଭଳି ବଡ଼ ସହରରେ ଚାରିଆଡ଼ୁ ନିରାଶ ହେବା ପରେ ମଦନ ବାଧ୍ୟ ହୋଇ ଗାଁକୁ ଫେରିଥିବା ବେଳେ ଆଶା ଆଶଙ୍କାରେ ଦିନ କାଟୁଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୁଲିସ ବିଧିବଦ୍ଧ ତଦନ୍ତ କରି ସୁଶାନ୍ତଙ୍କ ସନ୍ଧାନ ନିମନ୍ତେ ପରିବାର ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର