ବୋମାମାଡ଼ରେ ଆହତ ଯୁବକଙ୍କ ମୃତ୍ୟୁ: ପଞ୍ଚୁପଲ୍ଲୀ ସ୍ତବ୍‌ଧ, ଜେଲ୍‌ ‌ଫେରନ୍ତା ଅକ୍ଷୟ ଫେରାର୍‌

ପୁରୁଣା ଭୁବନେଶ୍ବର: ରବିବାର ରାତିରେ ଏୟାର୍‌ଫିଲ୍‌ଡ ଥାନା ପଞ୍ଚୁପଲ୍ଲୀ ମାଳିସାହିରେ ଘଟିଥିବା ବୋମାମାଡ଼ରେ ଆହତ ହୋଇଥିବା ରାଜେଶ ସାହୁ(୨୨)ଙ୍କ ମୃତ୍ୟୁ ହୋଇଯାଇଛି। ଆଜି ସକାଳେ ଆମ୍ରି ହସ୍ପିଟାଲରେ ରାଜେଶ ଆଖି ବୁଜିଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ପରେ ସମଗ୍ର ପଞ୍ଚୁପଲ୍ଲୀ ପଞ୍ଚାୟତ ସ୍ତବ୍‌ଧ ହୋଇଯାଇଥିଲା। ବ୍ୟବ‌ଚ୍ଛେଦ ପରେ ମୃତଦେହ ମାଳିସାହି ଗାଁରେ ପହଞ୍ଚିବା ପରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ଏକ ଶୋକାକୂଳ ପରିବେଶରେ ରାଜେଶଙ୍କ ମୃତଦେହକୁ ଗାଁ ଶ୍ମଶାନକୁ ନିଆଯାଇଥିବା ବେଳେ କୁଖ୍ୟାତ ଅକ୍ଷୟ ସାହୁକୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀମାନେ ଦାବି କରିଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଉପସ୍ଥିତ ପୁଲିସ ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ପୁଲିସ ଅଭିଯୁକ୍ତ ଅକ୍ଷୟର ବୁଲେଟ୍‌ ଜବତ କରିବା ସହ ତା’ର ଜଣେ ସମ୍ପର୍କୀୟକୁ ଅଟକ ରଖିଛି।

ରବିବାର ସନ୍ଧ୍ୟାରେ ଅକ୍ଷୟ ମାଳିସାହି ଗାଁ ଦାଣ୍ଡରେ ଘନଘନ ବୋମାମାଡ଼ କରିଥିଲା। ଗୁଣନିଧି ସାହୁଙ୍କ ପୁଅ ରାଜେଶ ଏହାର ପ୍ରତିବାଦ କରିଥିଲେ। ବୋମା ଫୁଟାଇବାର ଅଛି ତ ଗାଁ ବାହାରେ ଫୁଟାଅ, ଆମ ଘର ଆଗରେ ଫୁଟାଅ ନାହିଁ ବୋଲି ରାଜେଶ କହିଥିଲେ। ଏତିକି କଥାରେ ଅକ୍ଷୟ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ସେ ରାଜେଶଙ୍କ ଉପରକୁ ଲାଗଲାଗ ବୋମାମାଡ଼ କରିଥିଲା। ଫଳରେ ରାଜେଶଙ୍କ ଛାତି, ହାତ, ବେକ, ପେଟ ଓ ମୁହଁ କ୍ଷତିଗ୍ରସ୍ତ ହୋଇଥିଲା। ପୋଡ଼ିଯାଇଥିଲା। ସେ ତଳେ ପଡ଼ିଯିବା ପରେ ଅକ୍ଷୟ ସେଠାରୁ ଫେରାର୍ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ରାଜେଶଙ୍କୁ ଗାଁ ଲୋକେ ଉଦ୍ଧାର କରି ପ୍ରଥମେ ଏମ୍‌ସ ଓ ପରେ ଆମ୍ରି ହସ୍ପିଟାଲକୁ ନେଇଥିଲେ।

ସୂଚନାଯୋଗ୍ୟ ଯେ ନବେ ଦଶକରରେ କୁଖ୍ୟାତ ଅକ୍ଷୟ ସାହୁ ରେଳବାଇ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିଲା। କଟକରୁ ପୁରୀ ଓ ବ୍ରହ୍ମପୁର ଭିତରେ ସେ ଟ୍ରେନ୍‌ରେ ଲୁଟ୍‌ପାଟ୍‌ କରି ରେଳବାଇ ପୁଲିସର ନିଦ ହଜାଇ ଦେଇଥିଲା। ଏମିତିକି ଟ୍ରେନ୍‌ରେ ସେ ଲୁଟ୍‌ କଲା ବେଳେ ହତ୍ୟାକାଣ୍ଡ ଭିଆଇଥିଲା ବୋଲି ଅଭିଯୋଗ ହୋଇଥିଲା। ସେହିଭଳି ଜଟଣୀ ଥାନା ଅଞ୍ଚଳରେ ଡକାୟତ ଗ୍ୟାଙ୍ଗ୍‌ ଗଢ଼ି ସେ କୋକୁଆଭୟ ଖେଳାଇ ଦେଇଥିଲା। ଶେଷରେ ଭୁବନେଶ୍ବର ରେଳବାଇ ଥାନା ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା ଓ ଲୁଟ୍‌, ହତ୍ୟାକାଣ୍ଡ ଭଳି ସଂଗିନ୍‌ ମାମଲାରେ ତାକୁ ଜେଲ୍‌ ପଠାଇଥିଲା। ଜଟଣୀ ଓ ଭୁବନେଶ୍ବର ରେଳବାଇ ଥାନା ସହ ଜଟଣୀ, ଏୟାର୍‌ଫିଲ୍‌ଡ ଆଦି ଥାନାରେ ତା‌’ ନାଁରେ ବହୁ ମାମଲା ରହିଛି। ପ୍ରାୟ ୧୦ ବର୍ଷ ଜେଲ୍‌ରେ କଟାଇବା ପରେ ସେ ମୁକୁଳିଥିଲା। ଜେଲ୍‌ରୁ ଆସିବା ପରେ ସେ ପୁଣି ତା’ର ଦବ୍‌ଦବା ଦେଖାଇବା ଆରମ୍ଭ କରିଥିଲା। ତା’ ନାଁରେ ପୁଣି ଲୁଟ୍‌ କରିବା ଓ ଦାଦାବଟି ଆଦାୟ କରିବା ଭଳି ମାମଲା ରୁଜୁ ହୋଇଥିଲା ଓ ସେ ଗିରଫ ମଧ୍ୟ ହୋଇଥିଲା। ବାରମ୍ବାର ଜେଲ୍‌ ଯାଉଥିଲେ ବି ତାକୁ ଜାମିନ ମିଳିଯାଉଥିଲା। ଗତ କିଛି ବର୍ଷ ହେଲା ସେ ରେତଙ୍ଗ ଅଞ୍ଚଳରେ ତା’ର ଆପରାଧିକ କାର୍ଯ୍ୟକଳାପ ଚାଲୁ ରଖିଥିଲା।

ସମ୍ବନ୍ଧିତ ଖବର