ବିଜେଡିର ମହାନଦୀ, ବିଜେପିର ମହିଳା ସୁରକ୍ଷା : ୧୭ରୁ ଆରମ୍ଭ ହେବ ମହିଳା ସୁରକ୍ଷା ଯାତ୍ରା, ୧୧ ଦିନରେ ୪୫୦ଟି ସାଧାରଣ ସଭା

ଭୁବନେଶ୍ୱର : କେନ୍ଦ୍ର ଓ ଛତିଶଗଡ ସରକାରଙ୍କ ଅନ୍ୟାୟ ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଆସନ୍ତା ୧୬ ତାରିଖରୁ ବିଜେଡି ମହାନଦୀ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରୁଛି। ଏହାକୁ ଟକ୍କର ଦେବା ଲାଗି ଆଜି ବିଜେପି ଭିନ୍ନ ଏକ କାର୍ଯ୍ୟକ୍ରମ ଘୋଷଣା କରିଛି। ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସା ସଂପର୍କରେ ବିଜେପି ଲୋକଙ୍କୁ ସଚେତନ କରାଇବ। ଏଥିପାଇଁ ଆସନ୍ତା ୧୭ ତାରିଖରୁ ଦଳ ମହିଳା ସୁରକ୍ଷା ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି। ୨୯ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ୧୧ ଦିନ ମଧ୍ୟରେ ଦଳ ୪୫୦ଟି ସାଧାରଣ ସଭା କରିବ ଓ ଏକ କୋଟି ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ଦାବି କରିଛି। ବିଜେଡି ଓ ବିଜେପିର ଏଭଳି କାର୍ଯ୍ୟକ୍ରମ ରାଜ୍ୟ ରାଜନୀତିକୁ ସରଗରମ କଲାଣି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ନାବାଳିକା ଦୁଷ୍କର୍ମ ଏକ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଆୟୁଧ କରି ବିଜେପି ଶାସକ ଦଳର ମହାନଦୀ ଆନ୍ଦୋଳନର ପ୍ରଭାବକୁ ରୋକିବା ଲାଗି ପାଗ ଭିଡିଛି। ଆଜି ବିଜେପି ମହିଳା ମୋର୍ଚ୍ଚାର ସଭାପତି ପ୍ରଭାତୀ ପରିଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏହି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି। କହିଛନ୍ତି, ୧୭ ତାରିଖ ଦିନ ପୁରୀ ଜିଲ୍ଲା କାକଟପୁରର ମଙ୍ଗଳା ମନ୍ଦିରରୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ଭଦ୍ରକର ଭଦ୍ରକାଳୀ ମନ୍ଦିରୁ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, କଟକର ଚଣ୍ଡୀ ମନ୍ଦିରରୁ ଉପ ସଭାନେତ୍ରୀ ସୁକେଶୀ ଓରାମଙ୍କ ନେତୃତ୍ୱରେ ଏହି ସୁରକ୍ଷା ଯାତ୍ରା ଆରମ୍ଭ ହେବ। ସେହିଭଳି ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରରୁ ବିଧାୟିକା ରାଧାରାଣୀ ପଣ୍ଡା, ପାଟଣାଗଡର ପାଟଣେଶ୍ୱରୀ ମନ୍ଦିରରୁ ପୂର୍ବତନ ସାଂସଦ ସଂଗୀତା ସିଂହଦେଓ, ସୋରଡାର କନ୍ଧୁଣୀ ଦେବୀ ମନ୍ଦିରରୁ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକ, ଭୁବନେଶ୍ୱରର ଶିଖରଚଣ୍ଡୀ ମନ୍ଦିରରୁ ଆରମ୍ଭ ହେବାକୁ ଥିବା ଯାତ୍ରାର ନେତୃତ୍ୱ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ନେବେ।

ଏହି ଯାତ୍ରା ସମୟରେ ବିଜେପି ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବ। ସୁରକ୍ଷା ଯାତ୍ରାରେ ପ୍ରତିଦିନ କେନ୍ଦ୍ରୀୟ ମହିଳା ନେତ୍ରୀ ଉପସ୍ଥିତ ରହି ମହିଳାମାନଙ୍କୁ ସଚେତନ କରାଇବେ ।

ବିଜେପି କହିଛି, ୨୦୧୭ ମସିହାରେ ରାଜ୍ୟରେ ଦୁଷ୍କର୍ମ,ଯୋତୁକ ଜନିତ ହତ୍ୟା, ଆତ୍ମହତ୍ୟା ଆଦି ମାମଲା ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ, ଜାନୁଆରିରେ ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇବା ନାଁରେ ଦଳୀୟ ଅଫିସକୁ ଏକ ବିଧବା ମହିଳାଙ୍କୁ ଡାକି ଶାସକ ବିଜେଡି ନେତାଙ୍କ ସଂପର୍କୀୟ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପ୍ରିଲ ୧୩ରେ ବାଲେଶ୍ୱର ନୀଳଗିରିରେ ବି ନାବାଳିକା ଦୁଷ୍କର୍ମ ମାମଲାରେ ବି ଶାସକ ଦଳର ଭୂମିକା କାହାକୁ ଅଛପା ନାହିଁ। ଇତିମଧ୍ୟରେ ସାଲେପୁରରେ ପୀଡ଼ିତା ପ୍ରାଣ ହରାଇଛି ଓ କୁନ୍ଦୁଲିରେ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଭଳି ଘଟଣା ଘଟିଛି। ସେହିପରି ଜାନୁଆରି ୨୪ରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଂଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିଥିଲା । ମାର୍ଚ୍ଚ ୨୩ରେ ଗଜପତି ଜିଲ୍ଲାରେ ଜଣେ ୧୫ ବର୍ଷୀୟା ନାବାଳିକା ପଡୋଶୀ ଦ୍ୱାରା ଦୁଷ୍କର୍ମରେ ଶିକାର ହୋଇଥିଲା । ବିଜେପି କହିଛି, ୧୯ ଏବଂ ୨୦ ତାରିଖରେ ରାଜ୍ୟର ବହୁ ପ୍ରତିକ୍ଷୀତ ରାଜ୍ୟ କାଯ୍ୟର୍କାରିଣୀ ବୈଠକ ଥିବାରୁ ଏହି ଯାତ୍ରାକୁ ଦୁଇ ଦିନ ପାଇଁ ବନ୍ଦ ରଖାଯିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ସାଂସଦ କୁମୁନ୍ଦିନୀ ପଟ୍ଟନାୟକ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ପିଙ୍କି ପ୍ରଧାନ ଏବଂ ବରିଷ୍ଠ ଅଭିନେତ୍ରୀ ମହେଶ୍ୱତା ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର