କଂଗ୍ରେସରେ ଯୋଗଦେଲେ ଶତାଧିକ ବିଜେଡି କର୍ମୀ

ତିନିଦିନିଆ ଗସ୍ତରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ

ଭୁବନେଶ୍ୱର : ଆଜି ଅପରାହ୍ଣରେ ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ଶ୍ରୀ ସିଂହ କଂଗ୍ରେସ ଭବନରେ ପହଞ୍ଚିବାର କିଛି ମୁହୂର୍ତ ପୂର୍ବରୁ ବାଙ୍କି ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ କଂଗ୍ରେସରେ ଯୋଗ ଦେଇଥିଲେ।

ଆଜି ମଧ୍ୟାହ୍ନ ବେଳକୁ ବାଙ୍କି ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ କଂଗ୍ରେସ ଭବନ ଆସିଥିଲେ। ସେମାନେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥାପ୍ରକଟ କରିଥିଲେ। ସେମାନଙ୍କୁ କଂଗ୍ରେସକୁ ସ୍ୱାଗତ କରିଥିଲେ ଶ୍ରୀ ପଟ୍ଟନାୟକ। କଂଗ୍ରେସରେ ସେମାନଙ୍କର ଯୋଗଦାନ ଦଳକୁ ସୁଦୃଢ଼ କରିବ ବୋଲି ସେ କହିଥିଲେ। ସ୍ୱାଗତ ସମାରୋହ ଉତ୍ସବରେ କଂଗ୍ରେସ ଭବନ ଲୋକାରଣ୍ୟ ହୋଇପଡ଼ିଥିଲା।

ଅପରାହ୍ଣ ପ୍ରାୟ ଦୁଇଟା ବେଳେ ଏଆଇସିସି ଓଡ଼ିଶା ପ୍ରଭାରୀ ଶ୍ରୀ ସିଂହ କଂଗ୍ରେସ ଭବନରେ ପହଞ୍ଚିଥିଲେ। ସେ ପିସିସି ସଭାପତି, ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ, ଦେବାଶିଷ ପଟ୍ଟନାୟକଙ୍କ ସମେତ କର୍ମକର୍ତାମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସନ୍ଧ୍ୟା ବେଳକୁ ସେ କଟକରେ ଅନୁଷ୍ଠିତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆସନ୍ତାକାଲି ପୂର୍ବାହ୍ନରେ ସେ ଖୋର୍ଧାରେ ଏକ ସାଧାରଣ ସଭାରେ ଯୋଗଦେବେ। ଅପରାହ୍ଣରେ ଯୁବ ଓ ଛାତ୍ର ନେତାମାନଙ୍କ ସହିତ ଆଲୋଚନା କରିବେ। ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ। ୧୬ ତାରିଖରେ ସେ କୋରାପୁଟ ଗସ୍ତ କରି ଜୟପୁରରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର