ବିଜେଡିର ପାଟକୁରା ସମରସଜ୍ଜା: ପ୍ରତି ପଞ୍ଚାୟତରେ ଡେରା ପକାଇଛନ୍ତି ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତା  

ଭୁବନେଶ୍ୱର:  ଆଉ ୧୨ ଦିନ ପରେ ପାଟକୁରା ଉପନିର୍ବାଚନ। ଦଳୀୟ ପ୍ରାର୍ଥୀ କିଭଳି ବଡ଼ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଆସିବେ ସେ ନେଇ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ବିଜୁ ଜନତା ଦଳ ଏଠାରେ ଜନମତକୁ ନିଜ ସପକ୍ଷକୁ ଆଣିବା ଲାଗି କାର୍ଯ୍ୟ ଆରମ୍ଭ କରିଦେଇଛି। ପ୍ରତି ପଞ୍ଚାୟତକୁ ଗୁରୁତ୍ୱ ଦିଆଯାଇଛି। ଦଳ ପକ୍ଷରୁ ବ୍ଲକ ଦାୟିତ୍ୱରେ ଜଣେ ଜଣେ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ରଖାଯାଇଥିବା ବେଳେ ପଞ୍ଚାୟତ ଦାୟିତ୍ୱରେ ମଧ୍ୟ ତତୁଲ୍ୟ ନେତାଙ୍କୁ ରଖାଯାଇଛି।

କେନ୍ଦ୍ରପଡା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଗରଦପୁର, ଡେରାବିଶ ଓ ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତକୁ ନେଇ ଗଠିତ। ଦଳପକ୍ଷରୁ ପ୍ରତି ବ୍ଲକ ଲାଗି ଏକାଧିକ ଟାଣୁଆ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ମାର୍ଶାଘାଇ ବ୍ଲକ୍‌ ଲାଗି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଥିିବା ବେଳେ ଡେରାବିଶ ବ୍ଲକ ମନ୍ତ୍ରୀ ଅରୁଣ ସାହୁ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଗରଦପୁର ବ୍ଲକ ଦାୟିତ୍ୱ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ଦଳ ନ୍ୟସ୍ତ କରିଛି। ଦଳର ଏହି ଛାମୁଆ ନେତାମାନେ ବ୍ଲକ ଅଧିନରେ ଥିବା ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା ଅନ୍ୟ ନେତାଙ୍କୁ ନେଇ ଗଠିତ ଟିମ୍‌ର ନେତୃତ୍ୱ ନେବେ।

ରଣେନ୍ଦ୍ରଙ୍କ ଟିମ୍‌ରେ ବିଧାୟକ ପ୍ରଣବ ବଳବନ୍ତ ରାୟ, ବିଧାୟକ ଅଶୋକ ବଳ ଓ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ବିଧାୟକ ବିକ୍ରମ ପଣ୍ଡା, ହର ସାହୁ, ବିଧାୟକବ୍ୟେମକାଶ ରାୟ,  ସୁବାସ ବେହେରା, ଉମେଶ ଗଡନାୟକ ଓ ମନ୍ତ୍ରୀ  ସୁଶାନ୍ତ  ସିଂ ରହିଛନ୍ତି। ଏହି ନେତାମାନେ ଗୋଟିଏ ଗୋଟିଏ ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି।

ସେହିପରି ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କ ଟିମ୍‌ରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ,ବିଧାୟକ  ସଞ୍ଜୀବ ମଲ୍ଲିକ, ରାଜୁ ଦାସ, ମନ୍ତ୍ରୀ ସମୀର ଦାଶ,ବିଧାୟକ ପ୍ରଶାନ୍ତ ଜଗଦେବ, ଜନ୍ମେଜୟ ଲେଙ୍କା, ବିଧାୟକ ରାଜକିଶୋର ଦାସ, ସୁବାସ ସିଂ, ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ଉମା ସାମନ୍ତରାୟ, ପ୍ରଫୁଲ୍ଲ ସିଂ, ବିଧାୟକ ବ୍ରଜ ପ୍ରଧାନ ଓ  ମୁକ୍ତିକାନ୍ତ ମଣ୍ଡଳ ରହିଛନ୍ତି। ଏହି ନେତାମାନେ ଡରାବିଶ ବ୍ଲକର ବିଭିନ୍ନ ପଞ୍ଚାୟତ ଦାୟିତ୍ୱ ସମ୍ଭାଳୁଛନ୍ତି।

ଅନ୍ୟପକ୍ଷରେ ପ୍ରଫୁଲ୍ଲ ମଲିକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ଟିମ୍‌ରେ ଦେବାଶିଷ ମରାଣ୍ଡି,  ବିଧାୟକ ବିଭୂତି ବଳବନ୍ତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ରାଜେନ୍ଦ୍ର ସାହୁ ରହିଛନ୍ତି। ମାର୍ଶାଘାଇ ବ୍ଲକର ୭ ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଏହି ନେତା ରହିଛନ୍ତି।

ବିଜୁ ଜନତା ଦଳ ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ବିଜୟ ସୁନିଶ୍ଚିତ ବୋଲି ଜିଲ୍ଲା ସଭାପତି କିଶୋର ତରାଇ ମତ ଦେଇଛନ୍ତି। ସେ କହିଛନ୍ତି, ଦଳ ୩୦ରୁ ୪୦  ହଜାର ଭୋଟରେ ଜିତିବ। ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ଵାଲ ପାଖାପାଖି ୪୦ ହଜାର ଭୋଟରେ ଜିତିଥିଲେ,ଏଥର ମଧ୍ୟ ସେହି ଫଳାଫଳର ପୁନାରବୃତ୍ତି ଘଟିବ ବୋଲି ତରାଇ ବୟାନ ଦେଇଛନ୍ତି।

ସମ୍ବନ୍ଧିତ ଖବର