କଂଗ୍ରେସ ବିଧାୟକ ଦଳର ଆଗୁଆ ବୈଠକ : ପୁଣି ଦଳୀୟ କନ୍ଦଳ ତେଜିଲା

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ବିଧାନସଭାର ବଜେଟ୍‌ ଅଧିବେଶନ ବସିବ। ଏହାର ଅବ୍ୟବହିତ ପୂର୍ବରୁ ରାଜନୈତିକ ଦଳଗୁଡ଼ିକର ବିଧାୟକ ଦଳ ବୈଠକ ବସିବାର ପରମ୍ପରା ରହିଛି। କିନ୍ତୁ ଅଧିବେଶନର ଛଅ ଦିନ ପୂର୍ବରୁ ଆଜି କଂଗ୍ରେସ ବିଧାୟକ ଦଳର ବୈଠକ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏଭଳି ଆଗୁଆ ବୈଠକର ରଣନୀତି ଯାହା ହୋଇଥାଉ ନା କାହିଁକି, ବୈଠକରେ କିଛି ବିଧାୟକ ଦଳୀୟ ସ୍ଥିତି ନେଇ ଗଣମାଧ୍ୟମରେ ଖୋଲାଖୋଲି ଯେଉଁ ବିସ୍ଫୋରକ ବିବୃତି ଦେଇଥିଲେ, ସେଥିରୁ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଆହୁରି ତେଜି ଉଠିଛି।

‘‘ଯଦି କଂଗ୍ରେସ ନେତୃତ୍ୱର ପରିବର୍ତନ ନ ହୁଏ, ମୁଁ କଂଗ୍ରେସରେ ରହିବି ନାହିଁ। ଆଗରୁ ଏ କଥା କହିଛି। ଆଜି ବି କହୁଛି। ପିସିସି ସଭାପତି ଭାବେ ପ୍ରସାଦ ହରିଚନ୍ଦନ ଓ ରାଜ୍ୟ ପ୍ରଭାରୀ ଭାବେ ହରିପ୍ରସାଦଙ୍କ ନେତୃତ୍ୱକୁ ଆଦୌ ଗ୍ରହଣ କରିପାରୁନାହିଁ। ସେମାନଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବି ନାହିଁ। ତେବେ ଦଳ ଛାଡ଼ିବା ପୂର୍ବରୁ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପରାମର୍ଶ ନେବି। ତା’ପରେ ପରବର୍ତୀ ନିଷ୍ପତ୍ତି ନେବି। କିନ୍ତୁ ଏଆଇସିସି ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଯିବି ନାହିାଁ’’ ଏଭଳି ଖୋଲାଖୋଲି କଟୁ ଭାଷାରେ ପ୍ରସାଦଙ୍କ ନେତୃତ୍ୱକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ।

ବିଧାୟକ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ, ୨୦୧୯ ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ରହିଲେ ମୁଁ ନିର୍ବାଚନ ଲଢ଼ିବି କି ନାହିଁ ଜାଣେନା। ସେତେବେଳେ କି ପରିସ୍ଥିତି ଥିବ, କହିହେବ ନାହିଁ। ଲଢ଼ିବା ପାଇଁ ମନ କହୁନି। ୨୦୧୯ ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ ମିଳିବ କି ବୋଲି ପଚରାଯିବାରୁ ସେ କହିଥିଲେ ଯେ ତାଙ୍କୁ ଆଗରୁ ଟିକେଟ୍‌ ନ ଦେଇ ପରୀକ୍ଷା କରାଯାଇଛି। ଏଥର ବି ପରୀକ୍ଷା ହୋଇପାରେ। କଂଗ୍ରେସର ଉପଯୁକ୍ତ ପ୍ରସ୍ତୁତି ହୋଇପାରିଲାନି ବୋଲି ବିଜେପୁରରେ ଦଳର ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଲା ବୋଲି ଶ୍ରୀ ବାହିନୀପତି କହିଥିଲେ।

ବିଧାୟକ ଦଳ ଉପନେତା ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ କହିଲେ, ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତଏଆଇସିସି ବୈଠକରେ ଯୋଗଦେବା ପାଇଁ ଦଳୀୟ ବିଧାୟକମାନେ ଦିଲ୍ଲୀ ଯାଉଥିବାରୁ ଆଜି ବିଧାୟକ ଦଳ ବୈଠକ ବସିଥିଲା। ଦଳର ସ୍ଥିତି ଓ ସଂଗଠନକୁ ନେଇ ହାଇକମାଣ୍ଡକୁ ଅବଗତ କରାଯିବ ବୋଲି ସେ କହିଥିଲେ। ଏହି ବୈଠକରେ ୪ଜଣ ବିଧାୟକ ନବକିଶୋର ଦାସ, କୃଷ୍ଣ ଶଗରିଆ, କୈଳାସ କୁଲେସିକା, କେ. ସୂର୍ଯ୍ୟାରାଓ ଯୋଗ ଦେଇନଥିଲେ। ତେବେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଅଗ୍ରାହ୍ୟ ହୋଇଥିବା, ୨୦୧୯ ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବା ଆଦି ନେଇ ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ରଙ୍କ ବିବୃତି ନେଇ କିଛି ଦିନ ଧରି ଶୋଇ ରହିଥିବା କଂଗ୍ରେସ ଦଳରେ ବିବାଦର ସୂତ୍ରପାତ ହୋଇଥିଲା।

ସମ୍ବନ୍ଧିତ ଖବର