ବିଜେପୁର ବିଜୟ ଲାଗି ବିଜେଡିକୁ ଅଭିନନ୍ଦନ ଜଣାଇବା ସହ ଧର୍ମେନ୍ଦ୍ର କହିଲେ ବିଜେପିର ରାଜନୈତିକ ସଂଘର୍ଷ ଜାରି ରହିବ

ଭୁବନେଶ୍ବର:  ବିଜେପୁର ଉପନିର୍ବାଚନରେ ବିଜୁ ଜନତା ଦଳର ଐତିହାସିକ ବିଜୟ ପରେ  କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ରୀତା ସାହୁ ଓ ବିଜେଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି । କେବଳ ଏତିକି ନୁହେଁ, ଗଣତନ୍ତ୍ରରେ ବିଜେପୁର ବାସୀଙ୍କ ନିଷ୍ପତ୍ତିକୁ ମୁଣ୍ଡପାତି ସମ୍ମାନ ଜଣାଇଥିବା କଥା ସେ ଟ୍ୱିଟ୍ ଜରିଆରେ ଜଣାଇଛନ୍ତି ।

ସେ ଟୁଇଟରେ ଲେଖିଛନ୍ତି, ‘ଓଡିଶାର ବିଜେପୁର ବିଧାନସଭା ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀ ରିତା ସାହୁ ଓ ତାଙ୍କ ଦଳ ବିଜେଡ଼ିକୁ ଅଭିନନ୍ଦନ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଜେପୁରବାସୀଙ୍କ ନିଷ୍ପତିକୁ ମୁଣ୍ଡପାତି ସମ୍ମାନ ଜଣାଉଛି। ବିଜେପିର ରାଜନୈତିକ ସଂଘର୍ଷ ଜାରୀ ରହିବ । ରାଜ୍ୟର ୩୭ ହଜାର ବୁଥରେ ସଂଗଠନକୁ ସୁଦୃଢ କରିବା ସହ ଲୋକ କଲ୍ୟାଣ ଓ ଲୋକ ସମ୍ପର୍କ ମାଧ୍ୟମରେ ଲୋକଙ୍କ ବିଶ୍ୱାସ ହାସଲ ସହ ସରକାର ପ୍ରାୟୋଜିତ କଳ ଓ ବଳକୁ ମୁକାବିଲା କରି ରାଜନୈତିକ ସଫଳତା ହାସଲରେ ମୋ ଦଳ ବିଜେପି ଆଗାମୀ ଦିନରେ ସଫଳ ହେବ ବୋଲି ମୋର ଦୃଢ ବିଶ୍ୱାସ ।’

ବିଜେଡିର ବିପୁଳ ବିଜୟ ପରେ ଏବେ ବିଜେପି ପରାଜୟକୁ  ଗ୍ରହଣ କରିବାକୁ ବାଧ୍ୟ ହୋଇଛି । ରାଜନୈତିକ ବିଶ୍ଲେଷକଙ୍କ ଅନୁଯାୟୀ, ପୂର୍ବତନ ବିଧାୟକ ତଥା ସ୍ଥାନୀୟ ନେତା ଅଶୋକ ପ୍ରାଣିଗ୍ରାହୀ ଦଳ ଛାଡ଼ିବା ବିଜେପିକୁ ମହଙ୍ଗା ପଡ଼ିଲା । ତୃଣମୂଳ ସ୍ତରରେ ନେତାମାନେ ଭାଗ ଭାଗ ହେବା ବିଜେପି ପରାଜୟର ମୁଖ୍ୟ କାରଣ ହୋଇଛି ବୋଲି ଆକଳନ କରାଯାଉଛି । ଅନ୍ୟପଟେ ବିଜେପି ନିଜସ୍ୱ କୌଣସି ଏଜେଣ୍ଡା ନ ରଖି ଶାସକ ଦଳକୁ ଟାର୍ଗେଟ କରିବା ଉପରେ ଧ୍ୟାନ ଦେବା ବିପର୍ଯ୍ୟୟର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର