ଗୁଜରାଟରେ ରାହୁଲଙ୍କ ନବସର୍ଜନ ଯାତ୍ରା : ସତ୍ୟ ଏବଂ ଅସତ୍ୟ ମଧ୍ୟରେ ଲଢ଼େଇ

ଅହମଦାବାଦ୍‌: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ତିନି ଦିନିଆ ‘ନବସର୍ଜନ ଯାତ୍ରା’ ଅବସରରେ ଏବେ ଗୁଜରାଟ ଗସ୍ତରେ ଥିବାବେଳେ ଭଲସଦ୍‌ରେ ଏକ ବିଶାଳ ଜନସମାବେଶରେ ସେ ମୋଦିଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି ଏଥର ଗୁଜରାଟ ନିର୍ବାଚନରେ ସତ୍ୟ ଏବଂ ଅସତ୍ୟ ମଧ୍ୟରେ ଲଢ଼େଇ ହେବ ଏବଂ ରାଜ୍ୟବାସୀଙ୍କୁ ସେ କେବଳ ସତ୍ୟ ହିଁ ଦେଇପାରିବେ। ମହାଭାରତର ପାଣ୍ଡବ ଏବଂ କୌରବମାନଙ୍କୁ ଆଧାର କରି ସେ କହିଛନ୍ତି ଅନେକ ବର୍ଷ ପୂର୍ବେ ସତ୍ୟ ଏବଂ ଅସତ୍ୟ ମଧ୍ୟରେ ଲଢ଼େଇ ହୋଇଥିଲା। ପାଣ୍ଡବମାନଙ୍କ ପାଖରେ କେବଳ ସତ୍ୟ ଥିଲା ଏବଂ କୌରବ ମାନଙ୍କ ପାଖରେ କେବଳ ବ୍ୟାପକ ସେନାଦଳ ଥିଲା। ସେହିପରି ବର୍ତ୍ତମାନର ଲଢ଼େଇ ମଧ୍ୟ ସତ୍ୟ ଏବଂ ଅସତ୍ୟର। ଅସତ୍ୟର କେବେ ଜୟ ହେବନି ଏବଂ ଗୁଜରାଟ ଏହି ନିର୍ବାଚନରେ ବିଜେପିକୁ ସତ୍ୟ କ’ଣ ଶିଖାଇଦେବ। ତେବେ ଗୁଜରାଟର ସତ୍ୟ କହିଲେ କେବଳ କୃଷକର ଦୁଃଖ, ବହୁମୂଲ୍ୟ ଶିକ୍ଷା, ସ୍ୱାସ୍ଥ୍ୟସେବା, ପଟିଦାର ଏବଂ ଦଳିତମାନଙ୍କ ପ୍ରତି ହେଉଥିବା ଗୁଳିକାଣ୍ଡକୁ ବୁଝାଉଛି। ବେକାରୀ ସମସ୍ୟା ହିଁ ଗୁଜରାଟର ବାସ୍ତବତା। ତେବେ ବିଜେପିର ସତ୍ୟ କହିଲେ କେବଳ ୫ରୁ ୧୦ ପୁଂଜିପତିଙ୍କ ଲାଭ ହିଁ ବୁଝାଏ। ମୋଦି ଯୁବପିଢିଙ୍କୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଦେଇଥିବାବେଳେ ଚୀନ୍‌ରେ ପ୍ରତି ୨୪ ଘଣ୍ଟାରେ ୫୦,୦୦୦ ନିଯୁକ୍ତି ପାଉଛନ୍ତି। ଅନ୍ୟପକ୍ଷରେ ଭାରତରେ ୨୪ ଘଣ୍ଟାରେ ୪୫୦ ଯୁବପିଢ଼ି ନିଯୁକ୍ତି ପାଉଛନ୍ତି। ଏହା ହିଁ ମୋଦିଙ୍କ ମେକ୍‌ ଇନ୍‌ ଇଣ୍ଡିଆର କରିଶ୍ମା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର